ଭୁବନେଶ୍ୱର : ରାଜ୍ୟରେ ହଇଜା ବ୍ୟାପୁଥିବାବେଳେ ଖୋଦ୍ ରାଧାନୀରେ ଜଣ୍ଡିସ୍ ଦେଖାଦେଇଛି । ଏଭଳି ଜଳ ବାହିତ ରୋଗ ଭୟରେ ଲୋକେ ଏବେ ପାନୀୟଜଳ ପାଇଁ ବୋତଲ ପାଣିକୁ ଅଗ୍ରାଧିକାର ଦେଉଛନ୍ତି । ତେବେ ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋତଲ ପାଣି କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ଉଠିଲାଣି ।
ରାଜଧାନୀରେ ଏବେ ସବୁଆଡେ ବୋତଲ ପାଣି ହାଉଜାଉ । ବିଭିନ୍ନ କମ୍ପାନୀର ଷ୍ଟିକର ମରାହୋଇ ଦୈନିକ ଶହ ଶହ ବିଭିନ୍ନ ଆକୃତିର ପାଣିବୋତଲ ରାଜଧାନୀକୁ ଆସୁଛି । ଏହାଛଡା ବିଭିନ୍ନ ହୋଟେଲ, ଦପ୍ତର ଆଦିକୁ ୫/୧୦ ଲିଟର ବଡ ବଡ ପାଣି ଡ୍ରମ ଆସୁଛି । ଏହି ପାଣି ଅତ୍ୟନ୍ତ ସୁରକ୍ଷିତ ବୋଲି ପ୍ରଚାର ହେଉଥିବାରୁ ଲୋକେ ତାହାକୁ ଅଗ୍ରାଧିକାର ଭିତ୍ତିରେ ବ୍ୟବହାର କରୁଛନ୍ତି ।
ତେବେ ଗୋଟିଏ ଦୁଇଟି ନାମୀ ଦାମୀ କମ୍ପାନୀକୁ ବାଦ୍ ଦେଲେ ଅନ୍ୟ ସବୁଗୁଡିକ ରାଜଧାନୀ ଆଖପାଖରେ ପ୍ରସ୍ତୁତ ହେଉଛି । ଏହିସବୁ ବୋତଲ ପାଣି କେଉଁ ପରିବେଶରେ କିଭଳି ତିଆରି ହେଉଛି ଏବଂ ଏହାର ଗୁଣମାନ କ’ଣ ତାହା ସାଧାରଣ ଲୋକେ ଜାଣିବା ମୁସ୍କିଲ । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ମଧ୍ୟ ଏହାକୁ ଯାଞ୍ଚ ପାଇଁ ସେଭଳି ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଅପମିଶ୍ରିତ ମସଲା, ସସ୍ ଆଦି ଉପରେ ଯେଭଳି ଚଢଉ କରାଯାଏ ସେଭଳି ଚଢଉ ବୋତଲ ପାଣି ପ୍ରସ୍ତୁତ କରୁଥିବା କାରଖାନା ଉପରେ ହୁଏ ନାହିଁ ।
ରାଜଧାନୀରେ ଏବେ ଜଣ୍ଡିସ ଦେଖାଦେବା ଏବଂ କେତେକ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବା ପରେ ଏହି ବୋତଲ ପାଣିର ମାନକୁ ନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ଝାଡାବାନ୍ତି ଦେଖା ଦେଇଥିବା ଅଞ୍ଚଳରେ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ହେଉଥିବାବେଳେ ବୋତଲ ପାଣିର ବି ବ୍ୟାପକ ଭାବେ ବ୍ୟବହାର ହେଉଛି । ହଇଜା ଓ ଜଣ୍ଡିସର ନାଁ ଶୁଣିବା ପରଠାରୁ ଲୋକେ ଅଧିକ ଭାବେ ଏହି ବୋତଲ ପାଣି ବ୍ୟବହାର କରୁଛନ୍ତି ।
କେବଳ ବୋତଲରେ ଭର୍ତ୍ତିହୋଇ ଆସୁଥିବା ପାଣିର ମାନ ନୁହେଁ, ଯେଉଁ ବୋତଲରେ ଏହା ଆସୁଛି ତାହାର ଗୁଣମାନ ମଧ୍ୟ ଯାଞ୍ଚ ହେବା ଆବଶ୍ୟକ ବୋଲି କୁହାଯାଉଛି । କାରଣ ଅଧିକାଂଶ ପାଣିବୋତଲ ଅତ୍ୟନ୍ତ ନିମ୍ନମାନର ଏବଂ ରିସାଇକ୍ଲିଂ ଜରିରୁ ଏହା ପ୍ରସ୍ତୁତ । ଏହାକୁ ଥରୁଟିଏ ବ୍ୟବହାର ପରେ ନଷ୍ଟ କରିବା ଜରୁରୀ ହୋଇଥିବାବେଳେ ଲୋକେ କିନ୍ତୁ ଏହାକୁ ଏକାଧିକଥର ବ୍ୟବହାର କରିଥାନ୍ତି ।
ବର୍ତ୍ତମାନ ରାଜଧାନୀକୁ ଦୈନିକ ଟ୍ରକ ଟ୍ରକ ପ୍ଲାଷ୍ଟିକ ବୋତଲ ପାଣି ଆସୁଥିବାବେଳେ ବିଭିନ୍ନ ଦୋକାନ ଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ଏହା ବ୍ୟବହାର ହେଉଛି । ଏପରିକି ଭୋଜିଭାତରେ ମଧ୍ୟ ଖାଦ୍ୟ ସହିତ ଲୋକଙ୍କ ହାତକୁ ପାଣିବୋତଲଟିଏ ଧରାଇ ଦିଆଯାଉଛି । ବୋତଲରେ ପାଣିର ମାନ ସହିତ ଏଭଳି ପାଣି ବେପାର ପାଇଁ କେତେ ପରିମାଣରେ ପ୍ଲାଷ୍ଟିକ ବ୍ୟବହାର ହେଉଛି ଏବଂ ଏହାର ମାନ କ’ଣ ତାହାର ତୁରନ୍ତ ଯାଞ୍ଚ ପାଇଁ ମତପ୍ରକାଶ ପାଉଛି ।
ଏଥି ସହିତ ସହରରେ ଖୋଲାମେଲାରେ ବିକ୍ରି ହେଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ, ଆଇସକ୍ରିମ୍ ଏବଂ ଅନ୍ୟାନ୍ୟ ପାନୀୟସାମଗ୍ରୀର ମଧ୍ୟ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହା ନହେଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ଦେଖା ଦେଇଥିବା ହଇଜା ରାଜଧାନୀରେ ତାହାର କାୟାବିସ୍ତାର କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି । (ତଥ୍ୟ)