Home General ବୈଧ ନୁହେଁ ଭୂମି ଅଧିକାର ପ୍ରମାଣପତ୍ର

ବୈଧ ନୁହେଁ ଭୂମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ୱର : ଜାଗା ମିଶନ ଯୋଜନାରେ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ଯେଉଁ ଭୂମି ଅଧିକାର ପ୍ରମାଣପତ୍ର ଦେଇଛନ୍ତି ତାହାର କୌଣସି ବୈଧତା ନାହିଁ । ଏହାର ବି କୌଣସି ସମୟସୀମା ନାହିଁ । ଏହାକୁ ପୀଢି ପରେ ପୀଢି ଭୋଗଦଖଲ କରାଯାଇପାରିବ କିନ୍ତୁ କାହାକୁ ହସ୍ତାନ୍ତର କରାଯାଇ ପାରିବନାହିଁ ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଜାଗା ମିଶନ ଯୋଜନା ଅନୁଯାୟୀ ପୌରାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୨,୫୪,୬୭୨ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଦେଇଛନ୍ତି । ଏଥିୋର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସର୍ବାଧିକ ୬୪୬ ବର୍ଗ ଫୁଟ ଏବଂ ପୌରପରିଷଦ ଓ ମହାନଗର ନିଗମରେ ସର୍ବାଧିକ ୪୮୪ ବର୍ଗଫୁଟ ଜମିର ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ତେବେ ଏହି ଭୂମି ଅଧିକାର ପ୍ରମାଣପତ୍ରର କୌଣସି ବୈଧତା ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖନୀୟ ଯେ ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନମାନଙ୍କୁ ଘରଟିଏ ତିଆରି କରିବାପାଇଁ ରାଜ୍ୟ ସରକାରକ ଜାଗା ମିଶନରେ ଜମି ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ । ଏଥିପାଇଁ ପୌରାଞ୍ଚଳରେ ବ୍ୟାପକ ସର୍ଭେ କରାଯିବା ସହିତ ଉତ୍ସବ ଜରିଆରେ ଲୋକଙ୍କୁ ପ୍ରମାଣପତ୍ର ବଣ୍ଟନ ହୋଇଥିଲା । ଖୋଦ ରାଜଧାନୀରେ ଏହି ପ୍ରମାଣପତ୍ରକୁ ନେଇ ବିବାଦ ଦେବାଯିବା ସହିତ କର୍ତ୍ତୃପକ୍ଷ ତାହାକୁ ବଦଳାଇଥିଲେ ।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧିନରେ ଚାଲିଥିବା ମୁକ୍ତା ଯୋଜନାରେ ଗତ ୩ଟି ଆର୍ଥିକ ବର୍ଷରେ ୮୦୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥି ମଧ୍ୟରେ ୨୦୨୨-୨୩ ବର୍ଷରେ ସର୍ବାଧିକ ୪୫୦ କୋଟି ୮୬ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଏହି ଅର୍ଥରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ବର୍ଷାଜଳ ଅମଳ ପ୍ରକଳ୍ପ, ଶିଶୁ କ୍ରୀଡା କନ୍ଦ୍ରେ, ସହରୀ ସୌନ୍ଦର୍ଯ୍ୟକରଣ, ଗୋଷ୍ଠି କେନ୍ଦ୍ର, କ୍ଷୁଦ୍ର ନାଳ, ସର୍ବସାଧାରଣ ବ୍ୟାୟାମଶାଳା,ଖାଲି ସ୍ଥାନଗୁଡିକର ଉନ୍ନତିକରଣ, ଛୋଟ ପାର୍କ, ଖେଳପଡିଆ, ଭେଣ୍ଡିଂ ଜୋନ୍‍, ପକ୍କା ପାଦଚଲା ରାସ୍ତା ସହିତ ଜଳାଶୟମାନଙ୍କର ନବୀକରଣ କରାଯାଇଛି । ଏହି ଯୋଜନାରେ ସହରୀ ଶ୍ରମଜୀବୀମାନଙ୍କ ପାଇଁ ଗତ ତିନି ବର୍ଷରେ ୪୬ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି କରାଯାଇଛି । (ତଥ୍ୟ)