Home General ବେସାମରିକ ପ୍ରତିରକ୍ଷା  ଅଭ୍ୟାସ ପାଇଁ ପ୍ରସ୍ତୁତି

ବେସାମରିକ ପ୍ରତିରକ୍ଷା  ଅଭ୍ୟାସ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ  ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଜିଲ୍ଲାରେ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ସ୍ଥିତି, ସେମାନଙ୍କର ସଂଖ୍ୟା ବୃଦ୍ଧି ଓ ସାଂଗଠନିକ ସୁଦୃଢ଼ କରିବା ସହିତ  ସେମାନଙ୍କ ଦ୍ୱାରା ସେବା ପ୍ରଦାନ ସଂପର୍କିତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା  । ବିଭିନ୍ନ ଜନ ଗହଳିପୂର୍ଣ୍ଣ  ଶିଳ୍ପାଞ୍ଚଳ ଓ ସହରରେ ଅଧିକ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ମୁତୟନ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ, ଅଗ୍ନିଶମ ବିଭାଗ ଡଃ. ସୁଧାଂଶୁ ଷଡଙ୍ଗୀ, ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ. କମଳଲୋଚନ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ  ଉପସ୍ଥିତ ଥିଲେ ।  ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼ ଆଦି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀମାନଙ୍କର ସ୍ଥିତି ଓ ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇ ବିଭିନ୍ନ ପରାମର୍ଶ ଦିଆଯାଇଛି । 

ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନେ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଜନସାଧାରଣଙ୍କୁ ସାହାଯ୍ୟ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସେମାନେ ପ୍ରାଥମିକ ଚିକିତ୍ସା, ସନ୍ଧାନ ଏବଂ ଉଦ୍ଧାର, ଅଗ୍ନିଶମ ସେବାରେ ସହାୟତା , ସ୍ଥାନାନ୍ତର ଏବଂ ପୁନରୁଦ୍ଧାର କାର୍ଯ୍ୟରେ  ସାହାଯ୍ୟ କରି କ୍ଷୟକ୍ଷତିକୁ ହ୍ରାସ କରିବା, ଜୀବନ ବଞ୍ଚାଇବା ଏବଂ ସଙ୍କଟ ସମୟରେ ସାମୂହିକ ସ୍ଥିରତା ବଜାୟ ରଖିବାରେ ପ୍ରମୁଖ ଯୋଗଦାନ କରିଥାନ୍ତି ।

ସେହିପରି ବିପର୍ଯ୍ୟୟ ସମୟରେ  ଆଗଧାଡ଼ିରେ ରହି ସାହାଯ୍ୟ କରିଆସିଥିବା ଆପଦମିତ୍ରମାନଙ୍କ ଭୂମିକାକୁ ପ୍ରଶଂସା କରାଯିବା ସହିତ ଆବଶ୍ୟକ ସମୟରେ ସେମାନଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି । ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ସମେତ, ଜାତୀୟ ସେବା ସଂସ୍ଥା(ଏନଏସ୍ଏସ),ସମର ଶିକ୍ଷାର୍ଥୀ ବାହିନୀ, ନେହେରୁ ଯୁବକେନ୍ଦ୍ର, ସେଣ୍ଟ ଜୋନ ଆମ୍ବୁଲାନ୍ସ ଭଳି ସଂସ୍ଥା ସହ  ବୈଠକ କରି ଆମର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ସମନ୍ୱୟକୁ ଅଧିକ ସୁଦୃଢ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।

ସେହିପରି ବିଭିନ୍ନ ଜିଲ୍ଲାର ପ୍ରମୁଖ ଶିଳ୍ପାଞ୍ଚଳ ଓ  ଜନସଂଖ୍ୟ ବହୁଳ ସ୍ଥାନରେ ଜନସାଧାରଣଙ୍କୁ ସତର୍କ ମୂଳକ ସୂଚନା ଦେବାକୁ ସାଇରନ୍‌ ବ୍ୟବସ୍ଥା ରଖିବାକୁ ବ୍ୟବସ୍ଥା  ପାଇଁ ପଦକ୍ଷେପ ନେବାକୁ  ପରାମର୍ଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ,  ସାଂପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ସଂକଟ ଜନକ ସମୟକୁ  ସୁଯୋଗ ଓ ଆହ୍ୱାନ ବୋଲି ମନେ କରି ନିଜକୁ ପ୍ରସ୍ତୁତ ରଖିବା ସଙ୍ଗେ ସଙ୍ଗେ ଜନ ସଚେତନତା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । ଏ ସଂପର୍କରେ ଗୁରୁତ୍ୱାରୋପ କରି ସେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଓ ଅଧିକାରୀମାନଙ୍କୁ ଆବଶ୍ୟକ ପ୍ରସ୍ତୁତି ସଂପର୍କରେ  ପରାମର୍ଶ ଦେଇଥିଲେ ।