Home Administration ବେସରକାରୀ ସଂସ୍ଥାଙ୍କ ପାଇଁ ଚୟନ ପରୀକ୍ଷା ବିଭ୍ରାଟ

ବେସରକାରୀ ସଂସ୍ଥାଙ୍କ ପାଇଁ ଚୟନ ପରୀକ୍ଷା ବିଭ୍ରାଟ

ଭୁବନେଶ୍ୱର : ବିଭିନ୍ନ ପାହ୍ୟାର ସରକାରୀ କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କର ଅନେକ ଚୟନକାରୀ ସଂସ୍ଥା ଥିବାବେଳେ ଏବେ କିଛିବର୍ଷ ଧରି ପ୍ରାର୍ଥୀ ଚୟନ କ୍ଷେତ୍ରରେ ବେସରକାରୀ ସଂସ୍ଥାଙ୍କୁ ଦାୟିତ୍ୱ ଦିଆଯାଉଛି । ଏଥିଯୋଗୁଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବ୍ୟାପକ ବିଭ୍ରାଟ ଓ ଅନିୟମିତତା ଉପୁଜୁଥିବା ଘେନି ବାରମ୍ବାର ଗୁରୁତର ଅଭିଯୋଗମାନ ଆସୁଛି ।

କେବଳ ସେତିକି ନୁହେଁ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ କ୍ୟାଡରଗୁଡିକରେ ନିଯୁକ୍ତି ପାଇଁରାଜ୍ୟ ସ୍ତରରେ ପ୍ରାର୍ଥୀ ଚୟନ କରାଯିବା ଫଳରେ ଆଦିବାସୀ ଅଧ୍ୟୁଷିତ ଅନେକ ପଛୁଆ ଜିଲ୍ଲାର ପ୍ରାର୍ଥୀମାନେ ଅଗ୍ରଣୀ ଜିଲ୍ଲାଗୁଡିକର ପ୍ରାର୍ଥୀମାନଙ୍କ ସହ ପ୍ରତିଦ୍ୱନ୍ଦିତାରେ ପଛେଇ ଯାଇ ନିଜ ଜିଲ୍ଲାରେ ନିଯୁକ୍ତି ସୁବିଧାରୁ ବଞ୍ଚିତ ହେଉଥିବା ଘେନି ବି ଅଭିଯୋଗମାନ ଆସୁଛି । ତେବେ ବର୍ଷ ବର୍ଷ ଧରି ପ୍ରାର୍ଥୀଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ସୃଷ୍ଟି କରାଯାଇଥିବା ବିଭ୍ରାଟକୁ ନସୁଧାରି ପୁରୁଣା ଢାଞ୍ଚାରେ ନିଯୁକ୍ତି ପ୍ରକ୍ରିୟା ଚାଲୁ ରଖାଯିବା ଫଳରେ ସରକାରୀକଳ ଅଯଥାରେ ସମାଲୋଚନାର ଶରବ୍ୟ ହେଉଛି ।

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପଦବୀରୁ ଆରମ୍ଭକରି ଜିଲ୍ଲାସ୍ତରୀୟ ଅମଲା ଏବଂ ଅନ୍ୟାନ୍ୟ ତୃତୀୟ ଓ ଚତୁର୍ଥଶ୍ରେଣୀର ପଦବୀଗୁଡିକ ଲାଗି ପୂର୍ବରୁ ଜିଲ୍ଲା ସ୍ତରରେ ପ୍ରାର୍ଥୀ ଚୟନ ସହ ନିଯୁକ୍ତି ହୋଇଥିଲା । ଫଳରେ ସମ୍ପୃକ୍ତ ଜିଲ୍ଲାର ପ୍ରାର୍ଥୀମାନେ ନିଜ ଜିଲ୍ଲା ଭିତରେ ଜିଲ୍ଲାସ୍ତରୀୟ କ୍ୟାଡରରେ ନିଯୁକ୍ତି ପାଉଥିଲେ । କିନ୍ତୁ କିଛିବର୍ଷ ଧରି କେତେକ ପଦବୀରେ ବ୍ୟତିକ୍ରମ ଘଟାଯାଇ ଜିଲ୍ଲାସ୍ତରୀୟ ପଦବୀ ଲାଗି ରାଜ୍ୟସ୍ତରୀୟ ନିଯୁକ୍ତି ହେବା ଫଳରେ ବହୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଅଣଆଦିବାସୀ ଜିଲ୍ଲାର ପ୍ରାର୍ଥୀମାନେ ଯୋଗ୍ୟ ବିବେଚିତ ହୋଇ ନିଯୁକ୍ତି ପାଉଛନ୍ତି । ଏଥିଘେନି ଆଞ୍ଚଳିକ ସ୍ତରରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି ହେଉଛି ।

ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଓଡିଶା ଲୋକସେବା ଆୟୋଗ, ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନ, ସବର୍ଡିନେଟ୍‍ ଷ୍ଟାଫ୍‍ ସିଲେକ୍ସନ କମିଶନ ଆଦି ବିଭିନ୍ନ ସଂସ୍ଥା ରହିଛନ୍ତି । ବିଶେଷକରି ବିଭିନ୍ନ ବର୍ଗର ରାଜ୍ୟସ୍ତରୀୟ କ୍ୟାଡରଗୁଡିକ ଲାଗି ଏହି ସଂସ୍ଥାଗୁଡିକ ମାଧ୍ୟମରେ ପୂର୍ବରୁ ପ୍ରାର୍ଥୀ ମନୋନୟନ କରାଯାଉଥିଲା । ଏହାଛଡା ଜିଲ୍ଲାପାଳ, ଏସ୍‍ପିଙ୍କ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ସଂସ୍ଥା ନିଜ ନିଜ ଜିଲ୍ଲାର ଦପ୍ତରଗୁଡିକରେ ଖାଲି ପଡୁଥିବା ତୃତୀୟ ଓ ଚତୁର୍ଥଶ୍ରେଣୀ ପାହ୍ୟାର କର୍ମଚାରୀ ନିଯୁକ୍ତି ଓ ସେଥିଲାଗି ଚୟନ କାର୍ଯ୍ୟ କରୁଥିଲେ । କିନ୍ତୁ ଏବେ ସେଥିରେ ବ୍ୟତିକ୍ରମ ଦେଖାଯାଉଛି ।

ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀ ନିଜ ଅଞ୍ଚଳ ପାଇଁ ପ୍ରାଥମିକ ଶିକ୍ଷକ ଚୟନ କରୁଥିଲେ । ସେହିପରି ଆରଆଇ, ଏଆରଆଇ, ଅମିନ ଆଦି ପଦବୀ ଲାଗି ଜିଲ୍ଲା ପ୍ରଶାସନ ଖୋଲା ବିଜ୍ଞାପନ ଆଧାରରେ ପ୍ରାର୍ଥୀ ଚୟନ କରୁଥିଲା । କିନ୍ତୁ ଏବେ ଅନେକ କ୍ଷେତ୍ରରେ ଏଭଳି ନିଯୁକ୍ତି ଲାଗି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସରକାର ବିପୁଳ ଅର୍ଥ ବ୍ୟୟକରି ଘରୋଇ ସଂସ୍ଥାକୁ ଠିକା ଦେଇ ଦେଉଛନ୍ତି ।

ଏଭଳି ସ୍ଥିତିରେ ଘରୋଇ ସଂସ୍ଥାଠାରୁ ଚୋରାରେ ପ୍ରଶ୍ନପତ୍ର ସଂଗ୍ରହ କରିବା ଏବଂ ଉତ୍ତରଦାୟିତ୍ୱ ନଥିବାରୁ ଏଭଳି ସଂସ୍ଥାଙ୍କ ସହଯୋଗୀମାନଙ୍କ ଜରିଆରେ ହେରଫେର କରି ଅଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇବାର ଆଶଙ୍କା ଅଧିକ ରହୁଛି । କେବଳ ସେତିକି ନୁହେଁ, ଘରୋଇ ସଂସ୍ଥା ପରୀକ୍ଷା ପରିଚାଳନାବେଳେ ଅନେକ ତ୍ରୁଟି ବିଚ୍ୟୁତି ମଧ୍ୟ ଘଟୁଛି । ଏ ପରିପ୍ରେକ୍ଷୀରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାପାଇଁ ପୁଣି ପୂର୍ବପରି ସରକାରୀ ସଂସ୍ଥାମାନଙ୍କ ଜରିଆରେ ଏବଂ ଜିଲ୍ଲାସ୍ତରୀୟ କ୍ୟାଡର ପାଇଁ ସମ୍ପୃକ୍ତଜିଲ୍ଲାରେ ପ୍ରାର୍ଥୀ ଚୟନ କରିବାକୁ ଚାକିରି ପ୍ରତ୍ୟାଶୀମାନେ ଦାବି କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏବେ ରାଜ୍ୟରେ ୨ଲକ୍ଷରୁ ଅଧିକ ସରକାରୀ ଚାକିରି ଖାଲି ପଡିଥିବାବେଳେ ସେଥିରୁ ୧ଲକ୍ଷ ୪୦ହଜାରରୁ ଅଧିକ ତୃତୀୟ ଓ ଚତୁର୍ଥଶ୍ରେଣୀ ପାହ୍ୟାର ରହିଛି । (ତଥ୍ୟ)