Home General ବେଧଡକ ଜମି ବିକୁଛନ୍ତି ଚିଟ୍‍ଫଣ୍ଡ ଅଭିଯୁକ୍ତ

ବେଧଡକ ଜମି ବିକୁଛନ୍ତି ଚିଟ୍‍ଫଣ୍ଡ ଅଭିଯୁକ୍ତ

ଭୁବନେଶ୍ୱର : ଚିଟ୍‍ଫଣ୍ଡ ଠକେଇରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ଜବତ କରାଯାଇଥିବା ବେଳେ କେତେକ କ୍ଷେତ୍ରରେ ସରକାରଙ୍କୁ ଚକ୍‍ମା ଦେଇ ଅଭିଯୁକ୍ତ କୋଟି କୋଟି ଟଙ୍କାର ସଂପତ୍ତି ନିଜ ସଂପର୍କୀୟଙ୍କୁ ହସ୍ତାନ୍ତର କରିବା ସହ ଏହାକୁ ପରେ ବିଲଡର ସଂସ୍ଥା ମାଧ୍ୟମରେ ବିକ୍ରି କରିଦେଉଛନ୍ତି । ଗୋଟିଏ ପଟେ କ୍ଷତିଗ୍ରସ୍ତ ସମସ୍ତ ଜମାକାରୀ ସେମାନଙ୍କ ସଂପୂର୍ଣ୍ଣ ଅର୍ଥ ଫେରସ୍ତ ପାଇପାରୁନଥିବା ବେଳେ ଅନ୍ୟପଟେ ଅଭିଯୁକ୍ତମାନେ କାରସାଦି କରି ସଂପତ୍ତି ବିକିବାରେ ଲାଗିଛନ୍ତି । ଏଭଳି ଘଟଣା ଘଟିଛି ଖୋଦ୍‍ ରାଜଧାନୀର ଉପକଣ୍ଠରେ ।

ଏଠାରେ ଉଲ୍ଲେଖନୀୟ ଯେ ୨୦୦୦ରୁ ୨୦୧୮ ବର୍ଷ ମଧ୍ୟରେ ପାଖାପାଖି ୩୦୦ଟି ବେଆଇନ୍‍ ଆର୍ôଥକ ପ୍ରତିଷ୍ଠାନ ବିରୋଧରେ ଅନ୍ୟୁନ ୭୦୦ ଫୌଜଦାରୀ ମାମଲା ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା, କମିଶନରେଟ୍‍ ପୋଲିସ ଭୁବନେଶ୍ୱର-କଟକ ଓ ବିଭିନ୍ନ ଜିଲ୍ଲା ପୋଲିସ ଅଧିକାରୀଙ୍କ ଦ୍ୱାରା ଦାଏର କରାଯାଇଥିଲା । ସେତେବେଳେ ଏହି ବେଆଇନ୍‍ ଆର୍ôଥକ ପ୍ରତିଷ୍ଠାନଗୁଡ଼ିକର ପାଖାପାଖି ୯୦୦ ଲୋକଙ୍କୁ ଗିରଫ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଅନେକଗୁଡ଼ିଏ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏହାଛଡ଼ା ରାଜ୍ୟ ସରକାର ଏହି ମହା ଘୋଟାଲାର ତଦନ୍ତ ପାଇଁ ପ୍ରଥମେ ଅବସରପ୍ରାପପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ଆର.କେ. ପାତ୍ର ଓ ତାଙ୍କ ଦେହାନ୍ତ ପରେ ଅନ୍ୟତମ ବିଚାରପତି ଏମ.ଏମ. ଦାସଙ୍କ ଦ୍ୱାରା କମିଶନ ବସାଇଥିଲେ । ଏହି କମିଶନ ପାଇଁ ରାଜକୋଷରୁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ରିପୋର୍ଟ ଆସିବା ପୂର୍ବରୁ କମିଶନକୁ ଅଚଳ କରିଦିଆଯାଇଥିଲା ।

ଲକ୍ଷାଧିକ କ୍ଷତିଗ୍ରସ୍ତ ଜମାକାରୀ ଅର୍ଥ ଫେରସ୍ତ ପାଇବା ଆଶାରେ କମିଶନଙ୍କ ନିକଟରେ ଶପଥ ପାଠ ଦାଖଲ କରିଥିଲେ । ରାଜ୍ୟ ସରକାର ମଧ୍ୟ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବା ଲାଗି ୩୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଘୋଷଣା କରିଥିଲେ । ୨୦୨୪ ନିର୍ବାଚନ ବେଳେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଡିନାନ୍ସ ମାଧ୍ୟମରେ ଆଇନ୍‍ ଆଣି ଅର୍ଥ ଫେରସ୍ତ କରାଯିବ ବୋଲି ବିଜେପି ତା’ର ସଂକଳ୍ପ ପତ୍ରରେ ଘୋଷଣା କରିଥିଲା । ଚଢ଼ଉ ବେଳେ କୋଟି କୋଟି ଟଙ୍କାର ନଗଦ ଅର୍ଥ, ବିପୁଳ ପରିମାଣର ସ୍ୱର୍ଣ୍ଣ ଓ ରୌପ୍ୟ ମୁଦ୍ରା ସମେତ ଅନେକ ଯାନବାହନ, ୯ଟି ଶିଳ୍ପାନୁଷ୍ଠାନ, ଶତାଧିକ ଫ୍ଲାଟ୍‍, ଅଫିସ ଘର, ଫାର୍ମ ହାଉସ୍‍ ଓ ପାଖାପାଖି ହଜାରେ ଏକର ଜମି ଜବତ କରାଯାଇଥିଲା । ଏହାଛଡ଼ା ଚିଟ୍‍ଫଣ୍ଡ ଘୋଟାଲାରେ ସଂପୃକ୍ତ ବିଭିନ୍ନ୍‍ ସଂସ୍ଥାଙ୍କର ୨୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ମଧ୍ୟ ଜବତ କରାଯାଇଥିଲା । ଆଇନ୍‍ ଅନୁଯାୟୀ ଏସବୁକୁ ନିଲାମ କିମ୍ବା ବିକ୍ରି କରି କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଫେରସ୍ତ କରାଯିବା କଥା ।

ଇତିମଧ୍ୟରେ କେତେକ ଅଭିଯୁକ୍ତ ସେମାନଙ୍କ ନାମରେ ରାଜଧାନୀ ଉପକଣ୍ଠରେ କିଣାଯାଇଥିବା କୋଟି କୋଟି ଟଙ୍କା ମୂଲ୍ୟର ଭୂସଂପତ୍ତିକୁ ରାଜସ୍ୱ ବିଭାଗ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ହାସଲ କରି ସଂପର୍କୀୟଙ୍କ ନାମରେ ଦରଜ କରିଦେଇଛନ୍ତି । ଏହି ପ୍ରକ୍ରିୟା ପରେ କେତେକ ନିର୍ଦ୍ଦିଷ୍ଟ ବିଲଡର୍‍ ସଂସ୍ଥା ନାମୀ ବେନାମୀ କବଲା କରି ଏହି ଭୂସଂପତ୍ତିକୁ କିଣି ନେଇଛନ୍ତି । ରାଜଧାନୀ ଉପକଣ୍ଠରେ ଚିଟ୍‍ଫଣ୍ଡ ଠକେଇରେ ସଂପୃକ୍ତ ଅଭିଯୁକ୍ତଙ୍କ ସଂପତ୍ତି କିଭଳି ତଦନ୍ତକାରୀ ସଂସ୍ଥା ଓ ସରକାରଙ୍କ ନଜରକୁ ଆସିଲା ନାହିଁ ଏବଂ ଅଭିଯୁକ୍ତଙ୍କ ନାମରେ କିଣାଯାଇଥିବା ଏହି ଭୂସଂପତ୍ତିକୁ କିପରି ଅନ୍ୟ ନାମରେ ଦରଜ କରାଇବା ପାଇଁ ରାଜସ୍ୱ ବିଭାଗ କ୍ଷେତ୍ର କର୍ତ୍ତୃପକ୍ଷ ଅନୁମତି ଦେଲେ ଓ ତା’ପରେ ପରେ ଏହାକୁ ବିଲଡର୍‍ ବିଭିନ୍ନ ଲୋକଙ୍କ ନାମରେ କିଣିନେଲେ ସେଥିଘେନି ଅଭିଯୋଗମାନ ମିଳିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିବା ଜଣାପଡିଛି । ରାଜ୍ୟର ଅନ୍ୟ ଅଞ୍ଚଳରେ ଏଭଳି ଜମି ହସ୍ତାନ୍ତର ଚିଟ୍‍ଫଣ୍ଡ ଠକମାନେ କରିଛନ୍ତି କି ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି କ୍ଷତିଗ୍ରସ୍ତ ଜମାକାରୀମାନେ କହୁଛନ୍ତି ।(ତଥ୍ୟ)