ଭୁବନେଶ୍ୱର : ବିଜୁଳି ଚୋରିକୁ ରୋକିବାପାଇଁ ସ୍ୱତନ୍ତ୍ର ଥାନା ନଥିବାରୁ ରାଜଧାନୀରେ ଏବେ ବେଧଡକ ବିଜୁଳି ଚୋରି ଚାଲିଛି । ତେବେ ଅଧିକାଂଶ ଚୋରି ବିଦ୍ୟୁତ୍ କର୍ମଚାରୀଙ୍କ ଜାଣତରେ ହେଉଥିବାରୁ ଏହାକୁ ରୋକିବା ସେତେଟା ସହଜ ହେଉନାହିଁ ।
ରାଜଧାନୀରେ ଏବେ ମାଳ ମାଳ ବସ୍ତି । ସରକାରୀ ତାଲିକାରେ ୪୩୨ ବସ୍ତି ଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଦେଢ ହଜାରକୁ ଅତିକ୍ରମ କରିଗଲାଣି । ଅଧିକାଂଶ ବେଆଇନ୍ ବସ୍ତି ସରକାରୀ ଜମିରେ ରହିଛି । ସହରର ପ୍ରମୁଖ ଅଞ୍ଚଳରେ କନଜରଭେନ୍ସି ଠାରୁ ଆରମ୍ଭ କରି ରାସ୍ତାପାଶ୍ୱର୍ ପର୍ଯ୍ୟନ୍ତ ଜମିରେ ବେଆଇନ୍ ଘର ଗଢି ଉଠିଛି । ଇଟା ଆଜବେଷ୍ଟସରେ ତିଆରି ଏହିସବୁ ଘରକୁ କିଭଳି ବିଜୁଳି ସଂଯୋଗ ହୋଇଛି ତାହା ଏବେ ବଡ ପ୍ରଶ୍ନବାଚୀ । କାରଣ ସରକାରୀ ଜମିରେ ଗଢି ଉଠିଥିବା ଘରକୁ ବିଜୁଳି ସଂଯୋଗ ଦେବାର ନିୟମ ନାହିଁ ।
ସ୍ଥାନୀୟ ଅଞ୍ଚଳରେ ଥିବା ବିଜୁଳି ବିଭାଗର କର୍ମଚାରୀମାନେ ରାତାରାତି ଏହିସବୁ ଘରକୁ ବିଜୁଳି ସଂଯୋଗ ଦେଇଦେଉଛନ୍ତି । ଥରେ ବିଜୁଳି ସଂଯୋଗ ପାଇଗଲେ ଏମାନଙ୍କୁ ଉଚ୍ଛେଦ କରିବା ସହଜ ହେଉନାହିଁ । ବିଡିଏ, ବିଏମ୍ସି ଓ ସାଧାରଣ ପ୍ରଶାସନ ବିଭାଗ ଉଚ୍ଛେଦକାରୀ ଟିମ୍ ଗଲେ ସେମାନଙ୍କୁ ବିଜୁଳି ସଂଯୋଗର ଆଳ ଦେଖାଇ ଲୋକେ ଘେରାଉ କରୁଛନ୍ତି । ତେବେ କେଉଁ ଆଧାରରେ ଏହି ବିଜୁଳି ସଂଯୋଗ ଦିଆଯାଉଛି ତାହା କେହି ସ୍ପଷ୍ଟ କରୁନାହାନ୍ତି ।
ବେଆଇନ୍ ଭାବେ ଗଢି ଉଠିଥିବା ଏହି ଘରଗୁଡିକୁ ସର୍ଭିସ୍ ତାର ଟଣା ହେଉଛି । କେତେକ ଲୋକେ ମଧ୍ୟ ମନଇଚ୍ଛା ଖୁଣ୍ଟରୁ ବିଦ୍ୟୁତ୍ ନେଉଛନ୍ତି ନଚେତ୍ ନିକଟରେ ଥିବା ଅନ୍ୟ ଘରଗୁଡିକରୁ ବିଜୁଳି ସଂଯୋଗ ନେଉଛନ୍ତି । ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଏଭଳି ବିଜୁଳି ସଂଯୋଗ ହେଉଥିବାବେଳେ ଏଥିପ୍ରତି ସ୍ଥାନୀୟ ବିଜୁଳି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୃଷ୍ଟି ଦେଉନାହାନ୍ତି ।
ପୂର୍ବରୁ ବିଦ୍ୟୁତ୍ ଥାନା ଥିବାବେଳେ ବିଜୁଳି ଚୋରି ନେଇ ଜୋରଦାର ଚଢଉ ହେଉଥିଲା । ଥାନା ଉଠିଯିବାପରେ ଏଭଳି ଚଢଉ ନଥିବାବେଳେ ସ୍ଥାନୀୟ ଲୋକେ ମଧ୍ୟ ଏ ନେଇ ବିଜୁଳି ବିଭାଗରେ ଅଭିଯୋଗ ପାଇଁ ସାହସ କୁଳାଇ ପାରୁନାହାନ୍ତି । କାରଣ ଅଭିଯୋଗ ପରେ ଯଦି କୌଣସି ଗଣ୍ଡଗୋଳ ହେବ ସେମାନଙ୍କ ସୁରକ୍ଷା ବିପନ୍ନ ହୋଇପଡିବ ।
ସମଗ୍ର ରାଜଧାନୀରେ ସରକାରୀ ଜମିରେ ଗଢି ଉଠିଥିବା ମାଳ ମାଳ ଘରକୁ ବିଦ୍ୟୁତ୍ ବିତରଣ କମ୍ପାନୀର ବିଜୁଳି ସଂଯୋଗ ଏବେ ଜମି ଜବରଦଖଲ ପାଇଁ ବଳ ଯୋଗାଇଛି । ବିଦ୍ୟୁତ୍ ସଂଯୋଗକୁ ଆଳ କରି ଜବରଦଖଲକାରୀମାନେ ପାଣି ସଂଯୋଗ ଆଣିବା ସହିତ ରାସନକାର୍ଡ ବି ହାତେଇ ନେଉଛନ୍ତି । ତେଣୁ ଖୋଦ୍ ରାଜଧାନୀରେ ହେଉଥିବା ଏଭଳି ବିଜୁଳି ଚୋରି ଉପରେ କଟକଣା ଲଗାଯାଇ ପାରିଲେ ଜମି ଜବରଦଖଲକୁ ବି ରୋକାଯାଇ ପାରିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)