Home Finance ବେଟାରେ ମିଳିବ ବଜେଟ୍‍ ବିବରଣୀ

ବେଟାରେ ମିଳିବ ବଜେଟ୍‍ ବିବରଣୀ

ଭୁବନେଶ୍ୱର :୨୦୨୨-୨୩ ବର୍ଷରେ ବଜେଟ୍‍ ଏକଜ୍ୟୁକେସନ ଟେକନିକ୍‍ ଅଟୋମେସନ (ବେଟା) ବ୍ୟବସ୍ଥାରେ ଧାର୍ଯ୍ୟ ସମୟରେ ବଜେଟ୍‍ ସୂଚନା ପ୍ରଦାନ କରିବାକୁ ରାଜ୍ୟ ସରକାର ୨୭ଟି ବିଭାଗକୁ କହିଛନ୍ତି । ସର୍ବାଧିକ ଅର୍ଥ ବ୍ୟୟ କରୁଥିବା ବିଭାଗ ମଧ୍ୟରେ ରହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟଜଳ, ଶିଳ୍ପ, ଇସ୍ପାତ ଓ ଖଣି, ମହିଳା ଓ ଶିଶୁ ବିକାଶ, ପୂର୍ତ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଉଚ୍ଚଶିକ୍ଷା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ଏହାବଦ୍‍ ବେଟାରେ ୨୦୨୧-୨୨ ବର୍ଷର ବଜେଟ୍‍ ବିବରଣୀ ପ୍ରଦାନ ପାଇଁ ଅନ୍ୟମାନଙ୍କ ଇଚ୍ଛାଧିନ ରହିଛି ।

ବିଭାଗଗୁଡିକ ପାଇଁ ବଜେଟ୍‍ରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ତୁଳନାରେ ସେମାନଙ୍କର ତ୍ରିମାସିକ ଆର୍ଥିକ ଓ କାର୍ଯ୍ୟ ସଫଳତାକୁ ଏଥିରେ ଉଲ୍ଲେଖ କରିବେ । ପ୍ରତ୍ୟେକ ତ୍ରିମାସିକ ଶେଷରେ ନିର୍ଦ୍ଦିଷ୍ଟ ଫର୍ମାଟରେ ବିଭାଗଗୁଡିକ ସେମାନଙ୍କର ଆର୍ଥିକ ଓ ଅନ୍ୟାନ୍ୟ କାର୍ଯ୍ୟର ସଫଳତା ପ୍ରଦାନ କରିବେ । ଏହି ତଥ୍ୟ ମଧ୍ୟରେ ଯୋଜନାର ନାମ, ଉପଯୋଜନା, ବଜେଟ୍‍ ବ୍ୟୟ ଆଦି ବେଟାରେ ଉଲ୍ଲେଖ କରିବେ । ଅନ୍ୟ ସୂଚନା ଯଥା ଯୋଜନାର ଦିଗ, ସଫତଳା ଆଦି ହିତାଧିକାରୀ ବିଭାଗଗୁଡିକ ପ୍ରଦାନ କରିବେ ।

ଏହାବାଦ୍‍ ୨୦୨୧-୨୨ର ସୂଚନା ତଥ୍ୟଗୁଡିକୁ ବିଭାଗମାନେ ବେଟା ବ୍ୟବସ୍ଥାରେ ଉଲ୍ଲେଖ କରିବେ ଯାହା ଫଳରେ ୨୦୨୨-୨୩ର ସୂଚନା ପ୍ରଦାନ କାର୍ଯ୍ୟ ସରଳ ହୋଇପାରିବ । ବେଟାରେ ତଥ୍ୟ ପ୍ରଦାନ ପରେ ବଜେଟ୍‍ର ଆୟ ବ୍ୟୟ ନିର୍ଦ୍ଦିଷ୍ଟ ଫର୍ମକୁ ଯିବ । ତେଣୁ ୨୭ଟି ବିଭାଗକୁ ସେମାନଙ୍କ ମତାମତ ଅର୍ଥ ବିଭାଗକୁ ପ୍ରଦାନ ଲାଗି କୁହାଯାଇଛି । ମତାମତ ପାଇଲାପରେ ସମ୍ପୃକ୍ତ ବିଭାଗର ସଚିବଙ୍କ ଅନୁମତିକ୍ରମେ ଅର୍ଥ ବିଭାଗ ପକ୍ଷରୁ ତାହାରକୁ ବଜେଟ୍‍ ଏବଂ ବ୍ୟୟ ବ୍ରାଞ୍ଚକୁ ପଠାଯିବ । ସମ୍ପୃକ୍ତ ବିଭାଗ ଥରେ ବଜେଟ୍‍ କାର୍ଯ୍ୟକୁ ଅନୁମୋଦନ କଲାପରେ ବିଭାଗୱାରୀ ବଜେଟ୍‍ ରିପୋର୍ଟ ବେଟାରେ ଉପଲବ୍ଧ ହେବ ।

ଅର୍ଥ ବିଭାଗ ପକ୍ଷରୁ ୨୦୨୨-୨୩ ବର୍ଷ ପାଇଁ ଗୋଟିଏ ବଜେଟ୍‍ ବିବରଣୀ ପ୍ରକାଶ କରିବ । ୨୦୨୧-୨୨ ବର୍ଷରେ ଯେଭଳି ଭାବେ ବିବରଣୀ ପ୍ରସ୍ତୁତ ହୋଇଥିବା ଅନୁରୂପ ଭାବେ ଚଳିତ ବର୍ଷର ବଜେଟ୍‍ ବିବରଣୀ ପ୍ରସ୍ତୁତ କରାଯିବ । ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍‍ ଗଠନ ହୋଇଛି । ଏହାଦ୍ୱାରା ବଜେଟ୍‍ରେ ବରାଦ ଅର୍ଥକୁ ଠିକଣା ଭାବେ ବିଭିନ୍ନ ବିଭାଗକୁ ପ୍ରଦାନ ସହିତ ଏହାକୁ ମନିଟରିଂ କରାଯାଇ ପାରିବ । (ତଥ୍ୟ)