Home News in Odia ବେଆଇନ୍‍ ହୋର୍ଡିଂ ପଛରେ ବଡ କେଳେଙ୍କାରୀ

ବେଆଇନ୍‍ ହୋର୍ଡିଂ ପଛରେ ବଡ କେଳେଙ୍କାରୀ

ଭୁବନେଶ୍ୱର : ରାଜଧାନୀରେ ବିଶାଳକାୟ ହୋର୍ଡିଂ ଖୁଣ୍ଟ ଉପୁଡି ଦୁଇଜଣଙ୍କ ମୃତ୍ୟୁ ଓ ତିନିଜଣ ଗୁରୁତର ଆହତହେବା ପରେ ଏବେ ହୋର୍ଡିଂ କେଳେଙ୍କାରୀ ସମ୍ପର୍କରେ ଗୁରୁତର ଅଭିଯୋଗମାନ ଆସୁଛି । କେବଳ ଭୁବନେଶ୍ୱର ମହାନଗର ନିଗମ ନୁହେଁ, କଟକ ମହାନଗର ନିଗମ ସମେତ ଅନ୍ୟ ପୌରାଞ୍ଚଳରେ ବି ହୋର୍ଡିଂ ପାଇଁ କର୍ତ୍ତୃପକ୍ଷ କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି ।

ସୁଉଚ୍ଚ ହୋର୍ଡିଂ ଖୁଣ୍ଟ ପୋତିବା ପାଇଁ କିଏ ଅନୁମତି ଦେଉଛନ୍ତି ଏବଂ ଏହାର ନିରାପତ୍ତା ଦାୟିତ୍ୱରେ କେଉଁମାନେ ରହୁଛନ୍ତି ସେଥିଘେନି କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି । କେବଳ ସେତିକି ନୁହେଁ, ଛୋଟ ବଡ ହୋର୍ଡିଂ ଲଗାଇବାକୁ ଯାହା ସବୁ କଟକଣା ରହିଛି ତାହାର ଅନୁପାଳନ ନକରି ରାସ୍ତା ମେଡିଆନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିପଦଜନକ ଭାବେ ହୋର୍ଡିଂମାନ ଲାଗୁଛି । ଏହି ହୋର୍ଡିଂରେ ଦିଆଯାଉଥିବା ବିଜ୍ଞାପନ ବାବଦରେ ପୌରସଂସ୍ଥାଗୁଡିକ ମାଧ୍ୟମରେ ରାଜକୋଷକୁ ଯେତେ ଅର୍ଥ ଆସିବାକଥା ତାହା ଆଦାୟ ହୋଇପାରୁ ନାହିଁ । ଏହା ପଛରେ ବହୁତ ବଡ ବଡିଆଙ୍କ ହାତ ଥିବା କୁହାଯାଉଛି ।

କଟକ ମେୟର ସୁବାସ ସିଂହ ସ୍ୱୀକାର କରିଛନ୍ତି ଯେ କଟକ ମହାନଗର ନିଗମ ଅଞ୍ଚଳରେ ବହୁ ସଂଖ୍ୟକ ବିପଦଜନକ ହୋର୍ଡିଂ ଖୁଣ୍ଟମାନ ରହିଛି । ଏହାର ରକ୍ଷଣା ବେକ୍ଷଣ ସମ୍ପୃକ୍ତ ସଂସ୍ଥା କରୁନାହାନ୍ତି । ଫଳରେ ରଙ୍ଗଛାଡି କେଉଁଠି ହୋର୍ଡିଂ ଖୁଣ୍ଟରେ କଳଙ୍କି ଲାଗୁଛି ତ ଆଉ କେଉଁଠି ଏହା ଉପରେ ଲଟା ମାଡି ଭୟଙ୍କର ଅବସ୍ଥା ସୃଷ୍ଟି ହେଉଛି । ଏଭଳି ବିପଦଜନକ ହୋର୍ଡିଂ ଖୁଣ୍ଟମାନ ହଟାଇବାପାଇଁ ସେ ବିଏମ୍‍ସିର ଭାରପ୍ରାପ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାସହିତ ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ଏସଓପି ଅଣାଯିବ ବୋଲି ସୂଚନା ଦେଇଛନ୍ତି ।

ହୋର୍ଡିଂ ବିଜ୍ଞାପନରେ ଫ୍ଲେକ୍ସ କାଟି କଣାମାନ ରହିଲେ ସେ ବାଟେ ପବନ ଯାଇପାରିବ । କିନ୍ତୁ କଣା ଥିବା ଫ୍ଲେକ୍ସ ବିଜ୍ଞାପନ ଲଗାଇବାକୁ ସଂସ୍ଥାମାନେ ନାକ ଟେକୁଛନ୍ତି । ଏଥିଯୋଗୁଁ ବହୁ ସ୍ଥାନରେ ଦୁର୍ଘଟଣାମାନ ଘଟୁଛି । ରାଜଧାନୀର ମୁଖ୍ୟ ରାସ୍ତାଗୁଡିକର ମେଡିଆନ ଏବଂ ରାସ୍ତାକଡ ଫୁଟଫାଥକୁ ଲାଗିଥିବା ଲୁହା ଓ ଷ୍ଟିଲ୍‍ ବାଡରେ ବି ମାଳ ମାଳ ହୋର୍ଡିଂ ଲାଗୁଛି । ଏହା ଲଗାଇବାକୁ କିଏ ଅନୁମତି ଦେଉଛି ଏବଂ ଏ ବାବଦରେ ବିଏମସି କେତେ ଅର୍ଥ ପାଉଛି ସେଥିଘେନି ପ୍ରଶ୍ନ ଉଠିଲାଣି । ବିଶେଷକରି ଯେଉଁମାନଙ୍କ ଆକର୍ଷଣୀୟ ଫଟୋମାନ ଏହି ହୋର୍ଡିଂଗୁଡିକରେ ଶୋଭା ପାଉଛି ସେମାନେ ଏଥିଲାଗି ଅର୍ଥ ପଇଠ କରୁଛନ୍ତି କି ନାହିଁ ସେ ସଂକ୍ରାନ୍ତରେ କେହି କିଛି କହୁନାହାନ୍ତି ।

ତେବେ ବିଏମସି ସମେତ ବହୁ ପୌରସଂସ୍ଥାର ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ବିଜ୍ଞାପନ ବ୍ୟବସାୟରେ ପଶିଥିବା ପଞ୍ଜିକୃତ ସଂସ୍ଥାମାନେ ଆଇନାନୁଯାୟୀ ହୋର୍ଡିଂଖୁଣ୍ଟ ବସାଇବା ପୂର୍ବରୁ ଅନୁମତି ନେବାକଥା । ଏମିତିକି ଘରୋଇ କୋଠାବାଡି ଉପରେ ହୋର୍ଡିଂ ବିଜ୍ଞାପନ ପାଇଁ ବି ଅନୁମତି ଆବଶ୍ୟକ । କେବଳ ସେତିକି ନୁହେଁ, ଯେଉଁମାନେ ହୋର୍ଡିଂ ବିଜ୍ଞାପନ ପ୍ରଦର୍ଶନ ପାଇଁ ଦାୟିତ୍ୱ ନେଉଛନ୍ତି ଏ ବାବଦରେ ସେମାନେ ନିର୍ଦ୍ଦିଷ୍ଟ ଫି ମଧ୍ୟ ବିଏମସି ସମେତ ପୌରସଂସ୍ଥାଗୁଡିକୁ ପଇଠ କରିବାକଥା । ଏ ବାବଦରେ କୋଟି କୋଟି ଟଙ୍କା ବାକି ପଡିଥିଲେ ବି ବିଜ୍ଞାପନପାଇଁ ଠିକା ନେଇଥିବା ସଂସ୍ଥାମାନେ ପୌରସଂସ୍ଥାଗୁଡିକୁ ସମ୍ପୂର୍ଣ୍ଣ ଅର୍ଥ ପଇଠ କରୁନାହାନ୍ତି ।

ଯେଉଁ କ୍ଷେତ୍ରରେ ହୋର୍ଡିଂ ଷ୍ଟାଣ୍ଡଗୁଡିକୁ ପୌର କର୍ତ୍ତୃପକ୍ଷ ବିପଦସଙ୍କୁଳ ଘୋଷଣା କରୁଛନ୍ତି ତାହାକୁ ତୁରନ୍ତ ହଟାଯାଉ ନାହିଁ । ଆଇଗିଣିଆ ଅଞ୍ଚଳରେ ଯେଉଁ ହୋର୍ଡିଂ ଦୁର୍ଘଟଣା ପାଇଁ ଦୁଇଟି ଜୀବନ ଚାଲିଗଲା ତାହାକୁ ବି ବିପଦସଙ୍କୁଳ ଘୋଷଣା କରାଯାଇଥିବା କୁହାଯାଉଛି । ତେବେ ଏହାକୁ ବିଏମସି କର୍ତ୍ତୃପକ୍ଷ ଓ ସମ୍ପୃକ୍ତସଂସ୍ଥା କାହିଁକି ହଟାଇଲେ ନାହିଁ ସେଥିଘେନି ପ୍ରଶ୍ନ ଉଠିବାରେ ଲାଗିଛି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କଲେ ହୋର୍ଡିଂ କେଳେଙ୍କାରୀର ଅନେକ ଗୁମର ପଦାକୁ ଆସିବ ବୋଲି କୁହାଯାଉଛି । (ତଥ୍ୟ)