ଭୁବନେଶ୍ୱର : ରାଜଧାନୀରେ ଘଟୁଥିବା ଛୋଟ ବଡ ଚୋରି, ନିଶା କାରବାର ଏବଂ ଅପରାଧରେ ଲିପ୍ତ ବ୍ୟକ୍ତିମାନେ ସହରରେ ବିଭିନ୍ନ ବେଆଇନ୍ ଘରେ ରହୁଥିବା ପୁଲିସ୍ ନଜରକୁ ଆସୁଥିବାବେଳେ ଏଭଳି ଘରନିର୍ମାଣ ଉପରେ କିନ୍ତୁ ପ୍ରଶାସନ ଅଙ୍କୁଶ ଲଗାଇ ପାରୁନାହିଁ । ଅପରାଧି ଧରାପଡିଲା ପରେ ପୁଲିସ୍ କିଛି ସ୍ଥାନରେ ଏଭଳି ଘରକୁ ଭାଙ୍ଗୁଛି ।
ସହରରେ ଏବେ ବିଭିନ୍ନ ସ୍ଥାନ ବିଶେଷକରି ରାସ୍ତାକଡ, କନଜରଭେନ୍ସି, ସ୍କୁଲ ହତା, ପାଚେରୀ କଡ, ଖୋଲାପଡିଆ ଆଦିରେ ରାତାରାତି ଘର ତିଆରି ହେଉଛି । ଏହି ଘରଗୁଡିକ କୌଣସି ବସ୍ତିର ଅର୍ନ୍ତଭୁକ୍ତ ନୁହେଁ । ସହରରେ ୪୩୬ଟି ସରକାରୀ ତାଲିକାଭୁକ୍ତ ବସ୍ତି ଥିବାବେଳେ ଏହାବାଦ୍ ଆହୁରି ପ୍ରାୟ ଛୋଟବଡ ହଜାରେ ବସ୍ତି ଗଢି ଉଠିଛି । ତେବେ ବସ୍ତିବାହାରେ ବି ଅନେକ ଘର ପ୍ରତିଦିନ ତିଆରି ହେଉଛି ।
ଏହି ଘର କିଏ ତିଆରି କରୁଛି, ଏଠାରେ କିଏ ରହୁଛି, ଘରେ ରହୁଥିବା ଲୋକେ ସହରରେ କ’ଣ କରୁଛନ୍ତି ତାହାର ହିସାବ କାହାରି ପାଖରେ ନାହିଁ । ଏହି ଘରଗୁଡିକ ବସ୍ତି ଅଞ୍ଚଳରେ ହୋଇନଥିବାରୁ ଅନ୍ୟ ବସ୍ତିଯେ ଯେଭଳି ଟିକିନିଖି ଖବର ବସ୍ତି ମୁଖିଆଙ୍କ ପାଖରେ ରହିଥାଏ ତାହା ଏଠାରେ ହେଉନାହିଁ । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଭିନ୍ନ ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତ ଅପରାଧିମାନେ ସହଜରେ ଏଠାରେ ଆସି ଛପି ରହୁଛନ୍ତି । ସେହିଭଳି ନିଶା କାରବରରେ ଜଡିତ ଅପରାଧି ଓ ବ୍ୟବସାୟୀମାନେ ମଧ୍ୟ ଏଭଳି ବେଆଇନ୍ ଘରକୁ ସୁରକ୍ଷିତ ମଣୁଛନ୍ତି ।
ନିକଟରେ ରାଜଭବନ ନିକଟରୁ ହୋଇଥିବା ଏକ ବଡଧରଣର ଚୋରିରେ ଅପରାଧିମାନେ ଏଭଳି ବେଆଇନ୍ ଘରେ ରହୁଥିବା ନଜରକୁ ଆସିବାପରେ ସେହି ଘରକୁ ଭଙ୍ଗାଯିବ ବୋଲି ପୁଲିସ୍ ଘୋଷଣା କରିଛି । ହେଲେ ଏହି ଘରଗୁଡିକ ଯେତେବେଳେ ଗଢି ଉଠୁଛି ତାହାକୁ କେହି ରୋକି ନାହାନ୍ତି । ବେଆଇନ୍ ନିର୍ମାଣ ଉଚ୍ଛେଦ ପାଇଁ ସାଧାରଣ ପ୍ରଶାସନ ବିଭାଗ, ପୂର୍ତ୍ତ ବିଭାଗ ଓ ବିଏମ୍ସିର ନିଜସ୍ୱ ସ୍କ୍ୱାଡ୍ ଥିବାବେଳେ କମିଶନରରେଟ ପୁଲିସ୍ର ପିସିଆର ଗାଡି ବି ପଇଁତରା ମାରୁଛି । ହେଲେ ଜଣେ ହେଲେ ବି କେହି ଏଭଳି ବେଆଇନ୍ ଘର ତିଆରିକୁ ବିରୋଧ କରୁନାହାନ୍ତି ।
କେବଳ ଏମାନେ ଆଖିବୁଜିଦେଉ ନାହାନ୍ତି, ଘର ତିଆରି ହେଲାମାତ୍ରେ ସେଠାକୁ ବିଦ୍ୟୁତ୍ ବିଭାଗର ବେଆଇନ୍ ବିଜୁଳି ସଂଯୋଗ ଓ ୱାଟ୍କୋ ପକ୍ଷରୁ ଜଳସଂଯୋଗ ମିଳିଯାଉଛି । ଏହାପରେ ଘର ଭଡା ନେବାରେ ଓ ଦେବାରେ ଆଉ କୌଣସି ଅସୁବିଧା ହେଉନାହିଁ । କେବଳ ଭଡା ନୁହେଁ ରାସ୍ତାକଡ ଠାରୁ କନଜରଭେନ୍ସି ପର୍ଯ୍ୟନ୍ତ ଗଢିଉଠିଥିବା ଏଭଳି ଘର ଏବେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ।
ବର୍ତ୍ତମାନ ବିଏମ୍ସି ପକ୍ଷରୁ ସହରର କନଜରଭେନ୍ସିଗୁଡିକରେ ଟାଇଲ୍ ବିଛା କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଯେଉଁସବୁ କନଜରଭେନ୍ସିରେ ଜବରଦଖଲ ହୋଇଛି ସେଠାରେ ଘରଗୁଡିକୁ ଉଚ୍ଛେଦ କରାଯାଉନାହିଁ । ଫଳରେ ବହୁ ସ୍ଥାନରେ ଏବେ କାମ ଅଧାପନ୍ତରିଆ ଅବସ୍ଥାରେ ରହିଲାଣି । ସରକାରୀକଳର ଏଭଳି କୋହଳ ପଣ ଏବେ ଅପରାଧି ଓ ନିଶା ବ୍ୟବସାୟୀଙ୍କୁ ସୁହାଉଥିବାବେଳେ ଆଗାମୀ ଦିନରେ ଏମାନେ ସହର ପାଇଁ ବଡ ବିପଦ ସାଜିବେ ବୋଲି କୁହାଯାଉଛି । (ତଥ୍ୟ)