ଭୁବନେଶ୍ୱର : ବୁଲା କୁକୁରମାନଙ୍କୁ ହଟାଇବାପାଇଁ ପଦକ୍ଷେପ ନେବାକୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଡା ନିର୍ଦ୍ଦେଶ ଦେବାପରେ ଏବେ ଏହି ଜନ୍ତୁମାନଙ୍କୁ କିଭଳି ଓ କେଉଁଠାକୁ ହଟାଯିବ ସେଥିଘେନି ଦ୍ୱନ୍ଦ ଉପୁଜିଛି ।
ପଶୁପ୍ରେମୀ ସମାଜସେବୀମାନେ ଏଭଳି ନିର୍ଦ୍ଦେଶ ଅବାସ୍ତବ ବୋଲି ଉଲ୍ଲେଖ କରିବା ସହ ଅନ୍ୟ ଜୀବମାନଙ୍କ ଭଳି ବୁଲା କୁକୁରମାନଙ୍କର ମଧ୍ୟ ବଞ୍ଚି ରହିବାର ଅଧିକାର ରହିଛି ଏବଂ ଏ ସଂକ୍ରାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା କୁହାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ହାଇଦ୍ରାବାଦରେ ଜଣେ ଚାରିବର୍ଷର ଶିଶୁକୁ ଏକୁଟିଆ ପାଇ ବୁଲା କୁକୁରମାନେ ଝୁଣି ମାରି ଦେଇଥିବା ପରିପ୍ରେକ୍ଷୀରେ ଏଭଳି ଦୁର୍ଘଟଣାର ପୁନରାବୃତ୍ତି ଯେପରି ଓଡିଶାରେ ନହୁଏ ତାହାକୁ ଆଖିଆଗରେ ରଖି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସିଡିଭିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗୋଟିଏ ସ୍ଥାନରେ ତିନି ଚାରିଟି କୁକୁର ଘଟାଇଥିବା ବିଭତ୍ସକାଣ୍ଡର ପାପ ଓଡିଶାର ସବୁ କୁକୁରଙ୍କ ଉପରେ ଲଦି ଦେବା ମାନବିକତାର ପରିଚାୟକ ନୁହେଁ । ସମଗ୍ର ରାଜ୍ୟରେ କେତେ ବୁଲା କୁକୁର ଅଛନ୍ତି ତାହାର ସଠିକ୍ ଗଣନା ଏପର୍ଯ୍ୟନ୍ତ କରାଯାଇ ନାହିଁ । ମନ୍ତ୍ରୀଙ୍କ ତାଗିଦା ମୁତାବକ ଗୋଟିଏ ଅଞ୍ଚଳରୁ ଯଦି ଅଧିକାରୀମାନେ ବୁଲା କୁକୁରମାନଙ୍କୁ ଧରିନେବେ ତେବେ ସେମାନଙ୍କୁ ଆଉ କେଉଁ ସ୍ଥାନରେ ଛାଡିବେ ସେ ସଂକ୍ରାନ୍ତରେ କିଛି ମାର୍ଗନିର୍ଦ୍ଦେଶିକା ନାହିଁ । ବୁଲା କୁକୁରମାନଙ୍କୁ ଧରି କେଉଁଠି ରଖାଯିବ ଏବଂ ସେମାନଙ୍କ ଖାଦ୍ୟପେୟ, ଚିକିତ୍ସା ଓ ଲାଳନ ପାଳନ ବାବଦରେ ଯେଉଁ ଅର୍ଥ ଖର୍ଚ୍ଚହେବ ତାହା କେଉଁଠୁ ଆସିବ ସେ ସଂକ୍ରାନ୍ତରେ ବି ବିଭାଗୀୟ କର୍ତ୍ତୃପକ୍ଷ ନିରବ ।
ଭୁବନେଶ୍ୱର ମେୟର କହୁଛନ୍ତି ଯେ ତାଙ୍କ ଅଞ୍ଚଳରେ କୁଆଡେ ୬୦ହଜାରରୁ ଅଧିକ ବୁଲା କୁକୁର ଅଛନ୍ତି । ଏତେ ସଂଖ୍ୟକ କୁକୁରଙ୍କୁ ବିଏମ୍ସି ଅଞ୍ଚଳରୁ ହଟାଇବା ସମ୍ଭବପର ନୁହେଁ । ଅନ୍ୟ ପକ୍ଷରେ ପଶୁପ୍ରେମୀମାନେ କହୁଛନ୍ତି ଯେ ବିଏମ୍ସିର ତ୍ରୁଟିପୂର୍ଣ୍ଣ ସଫେଇ ନୀତି ଯୋଗୁଁ ଅନେକ ବୁଲା କୁକୁର ଭୋକରେ ରହୁଛନ୍ତି ।
ପୂର୍ବରୁ ଗୋଟିଏ ଗୋଟିଏ ଅଞ୍ଚଳରେ ଅନେକ ବଡ ଡଷ୍ଟବିନ୍ ରହୁଥିଲା ଏବଂ ସେଠାରେ ସେ ଅଞ୍ଚଳର ଲୋକେ ଅଳିଆ ଆବର୍ଜନା ଗଦା କରିବା ସହ ବଳକାଖାଦ୍ୟ ପକାଉଥିଲେ । ବୁଲା କୁକୁରମାନେ ଏଠାରୁ ସେମାନଙ୍କ ଖାଦ୍ୟର ମୁଖ୍ୟାଂଶ ପାଉଥିଲେ । ଏବେ ବିଏମ୍ସିର ସଫେଇ ଗାଡି ଅଳିଆ ଆବର୍ଜନା ସଂଗ୍ରହ କରିନେଉଥିବାରୁ ବୁଲା କୁକୁର, ଷଣ୍ଢ ଇତ୍ୟାଦିଙ୍କ ପାଇଁ ଖାଦ୍ୟ ସଙ୍କଟ ରାଜଧାନୀରେ ସୃଷ୍ଟି ହୋଇଛି ।
କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବି ଲକ୍ଷାଧିକ ବୁଲା କୁକୁର ଅଛନ୍ତି । ଅନ୍ୟ ପୌରାଞ୍ଚଳ ସମେତ ରାଜ୍ୟର ୫୦ହଜାରରୁ ଅଧିକ ଗାଁରେ ମଧ୍ୟ ବହୁ ସଂଖ୍ୟକ ବୁଲା କୁକୁର ରହିଛନ୍ତି । ଏମାନେ ପରିତ୍ୟକ୍ତ ଖାଦ୍ୟ ଖାଇ ଆବର୍ଜନା ସଫା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଲୋକଙ୍କ ସାଥୀ ଭଳି ରହିଥାନ୍ତି । ଏ ପରିପ୍ରେକ୍ଷୀରେ ବୁଲା କୁକୁରମାନଙ୍କୁ ହଟାଇ ଦେବା ଏକ ଅସମ୍ଭବପର ବ୍ୟାପାର ।
ପଶୁସମ୍ପଦ ବିଭାଗ କର୍ତ୍ତୃପକ୍ଷ ମନ୍ତ୍ରୀଙ୍କ ବକ୍ତବ୍ୟକୁ ସ୍ୱୀକାର କରୁଥିଲେ ମଧ୍ୟ ଏଯାବତ୍ କିଭଳି କୁକୁର ହଟାଯିବ ସେ ସଂକ୍ରାନ୍ତରେ ମାର୍ଗନିର୍ଦ୍ଦେଶିକା ପ୍ରକାଶ ପାଇନାହିଁ କିମ୍ବା ଏ ବାବଦରେ ମଧ୍ୟ ଅର୍ଥ ବରାଦ କରାଯାଇ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ କରୋନା ସମୟରେ ଲକଡାଉନ୍ ଚାଲିଥିବାବେଳେ ବୁଲା କୁକୁର ଓ ଷଣ୍ଢ ଆଦିଙ୍କୁ ବଞ୍ଚାଇ ରଖିବାପାଇଁ ସରକାର, ପୌରସଂସ୍ଥା ଓ ବେସରକାରୀ ବ୍ୟକ୍ତିବିଶେଷ ଅର୍ଥ ଖର୍ଚ୍ଚକରି ଖାଦ୍ୟ ଯୋଗାଉଥିଲେ । (ତଥ୍ୟ)