ଭୁବନେଶ୍ୱର : ଓଡିଶାରେ ଖଦିବସ୍ତ୍ର ଉତ୍ପାଦନ ନୈରାଶ୍ୟଜନକ ହେବା ସହିତ ଏହି ଶିଳ୍ପ ଧିରେ ଧିରେ ବୁଡିବାରେ ଲାଗିଛି । ଯେଉଁ କେତୋଟି ହାତଗଣତି ଖଦି ସଂସ୍ଥା ରହିଛନ୍ତି ସେମାନେ ଖଦିବସ୍ତ୍ର ଅପେକ୍ଷା ଟସର ବସ୍ତ୍ର ଉତ୍ପାଦନ ଉପରେ ଅଧିକ ଧ୍ୟାନ ଦେଉଛନ୍ତିା
ରାଜ୍ୟରେ ଖଦି ଶିଳ୍ପର ପ୍ରସାର ସହିତ ଏହା ଜରିଆରେ ଲୋକଙ୍କ ହାତକୁ କାମ ଦେବାପାଇଁ ରହିଛି ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ । ରାଜ୍ୟର ଅତ୍ୟନ୍ତ ପୁରାତନ ଓ ଏକଦା ନିଜର ଖଦି ଉତ୍ପାଦନ ପାଇଁ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିବା ଏହି ବୋର୍ଡ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ସରକାରୀ ହିସାବରେ ଏବେ ମାତ୍ର ୩୦ଟି ଖଦି ସଂସ୍ଥା ବୋର୍ଡ ସହିତ ଅନୁବନ୍ଧିତ ଥିବାବେଳେ ଏଥିରୁ ୨୨ଟି ସଂସ୍ଥା କାର୍ଯ୍ୟକରୁଛି । ଏମାନେ ଖଦି ଓ ଟସର ବସ୍ତ୍ର ଉତ୍ପାଦନ ସହିତ ତାହାର ବିକ୍ରିବଟା କରୁଛନ୍ତି ।
ତେବେ ସୂଚନା ମୁତାବକ ଏହି ସଂସ୍ଥାଗୁଡିକ ଖଦି ଅପେକ୍ଷା ଟସର ଉତ୍ପାଦନ ଓ ବ୍ୟବସାରେ ଅଧିକ ମନନିବେଶ କରୁଛନ୍ତି । ଏହି ସଂସ୍ଥାଗୁଡିକ କୋଟିଏ ଟଙ୍କାର ଖଦି ସାମଗ୍ରୀ ବିକ୍ରି କରୁଥିବା ସରକାରୀ ଭାବେ ଦର୍ଶାଯାଉଥିବାବେଳେ ଟସର ବ୍ୟବସାୟ କିନ୍ତୁ ୪କୋଟି ଟଙ୍କାରୁ ଅଧିକ ରହିଛି । ମୋଟାମୋଟି ଭାବେ ଖଦି ଉତ୍ପାଦନ ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିରେ ରହିଛି ।
ଓଡିଶା ବଜାରରେ ଏବେ ଯେଉଁ ଖଦି ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ମିଳୁଛି ତାହା ରାଜ୍ୟ ବାହାରୁ ଆମଦାନୀ ହୋଇ ଆସୁଛି । ଏପରିକି ଓଡିଶା ରଜ୍ୟ ଖଦିବୋର୍ଡ ଯେଉଁ ଖଦି କପଡା ବିକ୍ରି କରୁଛି ସେଥିରୁ ଅଧିକାଂଶ ଅନ୍ୟ ରାଜ୍ୟର ଖଦି । ସେହିଭଳି ଅନ୍ୟ ରାଜ୍ୟର ଖଦି ସଂସ୍ଥାଦ୍ୱାରା ଉତ୍ପାଦିତ ପ୍ରସାଧନ ସାମଗ୍ରୀ ମଧ୍ୟ ବୋର୍ଡ ଜରିଆରେ ବିକ୍ରି ହେଉଛି । ବୋର୍ଡ ବାହାରେ ଅନ୍ୟ ଯେଉଁ କିଛି ବ୍ୟବସାୟୀ ଖଦି ସାମଗ୍ରୀ ବିକ୍ରି କରୁଛନ୍ତି ସେମାନେ ଗ୍ରାହକଙ୍କ ରୁଚିକୁ ନଜରରେ ରଖି ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଆଦିରୁ ଖଦି କପଡା ସଂଗ୍ରହ କରୁଛନ୍ତି । ଓଡିଶାର ଖଦି ସାମଗ୍ରୀ ଏକ ପ୍ରକାର ଲୁଙ୍ଗି ଓ ଗାମୁଛା ସ୍ତରରେ ରହିଗଲାଣି । ଯେତିକି ବି ଉତ୍ପାଦନ ହେଉଛି ତାହାକୁ ବିକ୍ରିବଟା କରିବାରେ ସମସ୍ୟା ଉପୁଜୁଥିବା କୁହାଯାଉଛି ।
ଖଦି ଜରିଆରେ ଆତ୍ମନିଯୁକ୍ତି ଉପରେ କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତେ ଗୁରୁତ୍ୱ ଦେଉଥିବାବେଳେ ଏହି ଶିଳ୍ପର ପୁନରୁଦ୍ଧାର ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ଫଳରେ ରାଜ୍ୟରେ ଚାଲୁଥିବା ୨୨ଟି ଖଦି ସଂସ୍ଥାରେ ୬ଶହରୁ କମ୍ ଲୋକେ କାର୍ଯ୍ୟ କରୁଛନ୍ତି । ଖଦି ବସ୍ତ୍ର ବଦଳରେ ରାଜ୍ୟ ଖଦିବୋର୍ଡ ସୋରିଷତେଲ, ମହୁ, ହଳଦୀ ଓ ଡାଲି ଫିନାଇଲ୍ ଆଦିର ଉତ୍ପାଦନ ଓ ବିକ୍ରି ଉପରେ ଜୋର ଦେଉଛି । ରାଜ୍ୟ ସରକାର ଗତ ୫ବର୍ଷ ମଧ୍ୟରେ ୧୭ଟି ଖଦି ସଂସ୍ଥାକୁ ଯନ୍ତ୍ରପାତି ଓ ଆନୁଷଙ୍ଗିକ ସାମଗ୍ରୀ କିଣିବାପାଇଁ ପ୍ରାୟ ୧କୋଟି ୨୦ଲକ୍ଷ ଟଙ୍କା ଦେଇଥିବାବେଳେ ସ୍ଥିତିରେ ସେଭଳି କୌଣସି ଉନ୍ନତି ଆସୁନଥିବା ଦେଖିବାକୁ ମିଳିଛି । (ତଥ୍ୟ)