ଭୁବନେଶ୍ୱର : ରାଜ୍ୟରେ ଚଳାଚଳ କରୁଥିବା ବହୁ ସଂଖ୍ୟକ ଯାନବାହନର ବୈଧ ବୀମା ନଥିବା ପ୍ରସଙ୍ଗରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋଟର ଯାନ ନିୟମାବଳୀର ସମ୍ପୂର୍ଣ୍ଣ କାର୍ଯ୍ୟକାରୀତା ସୁନିଶ୍ଚିତ କରିବା ପାଇଁ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦିଆଯାଇଛି।
ଏହିକ୍ରମରେ ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା, ଫିଟନେସ, ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ, ସେଗୁଡ଼ିକ ବିରୋଧରେ ସଙ୍ଗେ ସଙ୍ଗେ ଇ-ଚାଲାଣ ଜାରି କରାଯିବ ଏବଂ ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସ୍ୱରୂପ ପଞ୍ଜିକରଣ ପ୍ରମାଣପତ୍ର ରଦ୍ଦ ଓ ଗାଡ଼ିଗୁଡ଼ିକୁ ଜବତ କରିବାକୁ ପଦକ୍ଷେପ ନିଆଯିବ।
ଏଠାରେ ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୧,୦୧,୪୧,୯୫୧ ଟି ଯାନବାହନ ମଧ୍ୟରୁ ମାତ୍ର ୩୫,୬୮,୩୧୮ ଟି ଗାଡ଼ିର ବୈଧ ବୀମା ରହିଥିବା ବେଳେ ୬୫,୭୩,୬୩୩ଟି ଗାଡ଼ିର ବୀମା ବୈଧ ନାହିଁ। ଏହାକୁ ଦୃଷ୍ଟିରେ ରଖି ଆରଟିଓ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଏନଫୋର୍ସମେଣ୍ଟ ବୃଦ୍ଧି କରିବାକୁ କୁହାଯାଇଛି।
ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଯଥାସମ୍ଭବ ଉଚିତ୍ କ୍ଷତିପୂରଣ ସୁନିଶ୍ଚିତ କରିବା ପାଇଁ ବୈଧ ବୀମା ଅତ୍ୟନ୍ତ ଜରୁରୀ ହୋଇଥାଏ। ତେଣୁ ଏଭଳି ନିୟମ ଉଲ୍ଲଙ୍ଘନକାରୀ ନିଜ ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି।
ମୋଟର ଯାନରେ ବୀମାର ଗୁରୁତ୍ୱକୁ ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ନିକଟରେ ମତ ଦେଇଛନ୍ତି ଯେ, ଯେଉଁ ଗାଡ଼ିର ବୈଧ ବୀମା ନଥିବ, ତାକୁ ପେଟ୍ରୋଲ୍/ଡିଜେଲ ଦିଆଯିବ ନାହିଁ। ଏହି ନିୟମକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରିବା ପାଇଁ ମଧ୍ୟ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି।
ତେଣୁ ସମସ୍ତ ଗାଡ଼ି ମାଲିକ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ସହ ସମାଜ ପ୍ରତି ନିଜର ଦାୟିତ୍ୱ ବୁଝି ତୁରନ୍ତ ନିଜ ଯାନର ବୈଧ ବୀମା, ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି ନବୀକରଣ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

