ଭୁବନେଶ୍ୱର : ବିହନ ଚାଷୀମାନଙ୍କୁ ପୂର୍ବଭଳି ପ୍ରୋତ୍ସାହନ ରାଶି ଯୋଗାଇ ଦେବାଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ପତ୍ର ଲେଖିଛନ୍ତି । ମିଳୁଥିବା ପ୍ରୋତ୍ସାହନ ରାଶିକୁ ଜାରି ରଖିବାପାଇଁ ରାଜ୍ୟର ବିହନ ଚାଷୀମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରସ୍ଥ ହୋଇଥିଲେ ।
କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ୫ହଜାରରୁ ଅଧିକ ବିହନ ଚାଷୀ ରହିଛନ୍ତି ଯେଉଁମାନେ କି ଓଡିଶା ରାଜ୍ୟ ବିହନ ନିଗମ ଅଧିନରେ ବିହନ ଉତ୍ପାଦନ କରୁଛନ୍ତି । ସେମାନଙ୍କୁ ଉନ୍ନତ କିସମର ବିହନ ଉତ୍ପାଦନ ଲାଗି ବିଗତ ୧୦ବର୍ଷ ଧରି ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଥିଲା । ଏହି ଉତ୍ପାଦିତ ବିହନ ଗୁଡିକୁ ନିଗମ ଜରିଆରେ ରାଜ୍ୟର ଚାଷୀମାନଙ୍କୁ ଯୋଗା ଯାଉଥିଲା ।
୨୦୧୬-୧୭ ମସିହାରୁ ବିହନ ଚାଷୀମାନେ ଉନ୍ନତମାନର ଧାନ, ହରଡ, ମୁଗ ଆଦି ବିହନ ଉତ୍ପାଦନ କରି ପ୍ରୋତ୍ସାହନ ରାଶି ପାଉଥିବାବେଳେ ବର୍ତ୍ତମାନ କେନ୍ଦ୍ରରେ ମିଳୁଥିବା ଏହି ପ୍ରୋତ୍ସାହନ ରାଶି ବନ୍ଦ ହୋଇଯାଇଛି । ଏ ସଂକ୍ରାନ୍ତରେ ଚାଷୀମାନେ ମଧ୍ୟ ୨୦୧୯ରୁ କେନ୍ଦ୍ର ସରକାରଙ୍କୁ ଅବଗତ କରି ଆସୁଛନ୍ତି ।
ଅନ୍ୟପକ୍ଷରେ ଚାଷୀମାନେ ସେମାନଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି ଯେ ଗତ ୩୦/୩୫ବର୍ଷ ଧରି ସେମାନେ ରାଜ୍ୟ ବିହନ ନିଗମକୁ ଧାନ ଓ ଅଣଧାନ, ଡାଲି ଏବଂ ତୈଳବୀଜ ଜାତୀୟ ବିହନ ଉନ୍ନତ ପ୍ରଣାଳୀରେ ଚାଷକରି ଯୋଗାଇ ଆସୁଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ୫ହଜାରରୁ ଅଧିକ ବିହନ ଚାଷୀ ଉତ୍ପାଦନ କରିଥିବା ବିହନ ପ୍ରକ୍ରିୟାକରଣ ପରେ ରାଜ୍ୟରେ ୪୦ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ ।
ୟୁପିଏ ସରକାରଙ୍କ ସମୟରେ ନୂଆ କିସମର ବିହନକୁ ପ୍ରୋତ୍ସାହନ ଲାଗି ୨୦୧୦-୧୧ ମସିହାରୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ପ୍ରୋତ୍ସାହନ ରାଶି ବ୍ୟବସ୍ଥା ହୋଇଥିଲା । ତେବେ ୨୦୨୦-୨୧ ଖରିଫ ଋତୁଠାରୁ ୧୦ବର୍ଷରୁ କମ୍ ପିଣ୍ଡ ଧାନ ବିହନ ଉପରେ ବର୍ତ୍ତମାନର କେନ୍ଦ୍ର ସରକାର ଉକ୍ତ ପ୍ରୋତ୍ସାହନ ଯୋଜନାକୁ ବନ୍ଦ କରିଦେବାରୁ ହଜାର ହଜାର ବିହନ ଚାଷୀ ଏହା ପାଇବାରୁ ବଞ୍ôଚତ ହେଉଛନ୍ତି ।
ଏହାଛଡା ୨୦୧୬-୧୭ ରବି ଋତୁରେ ରାଜ୍ୟ ବିହନ ନିଗମକୁ ଯୋଗାଯାଉଥିବା ଡାଲିଜାତୀୟ ବିହନ ଯଥା- ମୁଗ, ବିରି ଉପରେ କେନ୍ଦ୍ର ଦେଉଥିବା ପ୍ରୋତ୍ସାହନ ରାଶି ରାଜ୍ୟ ପାଖରେ ଜମାଥିଲେ ସୁଦ୍ଧା କେନ୍ଦ୍ର କୃଷି ବିଭାଗର ଅବହେଳା ପାଇଁ ଚାଷୀମାନେ ପାଇପାରୁନାହାନ୍ତି । ଏ ବିଷୟରେ ରାଜ୍ୟ କୃଷି ନିର୍ଦ୍ଦେଶକ ୨୦୧୯ଠାରୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖୁଥିଲେ ବି କିଛି ଫଳ ମିଳୁନାହିଁ ।
ଚାଷୀମାନେ ଏଭଳି ଅଭିଯୋଗ ସମ୍ବଳିତ ଦାବିପତ୍ର ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରସ୍ଥ ହେବାପରେ ଚାଷୀମାନଙ୍କୁ ତୁରନ୍ତ ବକେୟା ଅର୍ଥ ପ୍ରଦାନ ସହିତ ପୂର୍ବଭଳି ଉନ୍ନତମାନର ବିହନ ଚାଷ ଲାଗି ପ୍ରୋତ୍ସାହନ ରାଶି ଜାରି ରଖିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ଜଣାଯାଇଛି । (ତଥ୍ୟ)