Home Agriculture ବିହନ ଉତ୍ପାଦନରେ ଢେର ପଛରେ

ବିହନ ଉତ୍ପାଦନରେ ଢେର ପଛରେ

ଭୁବନେଶ୍ୱର : ବିହନ ଉତ୍ପାଦନ କ୍ଷେତ୍ରରେ ଓଡିଶା ଢେର ପଛରେ ପଡିଛି । କେବଳ ଧାନ, ମଟର ଓ ମିଠା ମକା ବିହନକୁ ବାଦ୍‍ ଦେଲେ ଅନ୍ୟ ପ୍ରାୟ ସବୁ ବିହନ ରାଜ୍ୟ ବାହାରୁ ଆମଦାନୀ କରିବାକୁ ପଡୁଛି ।

ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବାହାରୁ ଧାନ, ମଟର ଓ ମିଠା ମକା ବିହନ ଆମଦାନୀ କରିନଥିବାବେଳେ ବିରି, ମୁଗ, ହରଡ, ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ ଏପରିକି ଧନିଚା ବିହନ ବି ଆମଦାନୀ କରିଥିଲେ । ୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ବାହାର ରାଜ୍ୟରୁ ୩୨କୋଟି ୫୧ଲକ୍ଷ ଟଙ୍କାରୁ ଅଧିକ ବିହନ ଆମଦାନୀ କରିଥିବାବେଳେ ୨୦୧୯-୨୦ ବର୍ଷରେ ଏହି ପରିମାଣ ୩୧କୋଟି ୬୮ଲକ୍ଷ ଟଙ୍କାରୁ ସାମାନ୍ୟ ଅଧିକ ଥିଲା । ତେବେ ୨୦୧୮-୧୯ ରେ ସରକାରଙ୍କୁ ଅନ୍ୟ ରାଜ୍ୟକୁ ୪୪କୋଟି ୬୬ଲକ୍ଷ ଟଙ୍କାର ବିହନ ଆମଦାନୀ କରିବାକୁ ପଡିଥିଲା । ତେବେ ସେହି ଦୁଇବର୍ଷରେ ସରକାର ଅନ୍ୟାନ୍ୟ ବିହନ ସହିତ ଧାନ ବିହନ ବି ଆମଦାନୀ କରିଥିଲେ ।

ରାଜ୍ୟରେ ବିହନ ଉତ୍ପାଦନର ଅବସ୍ଥା ଏଭଳି ହୋଇଛି ବାଇଗଣ, ଲଙ୍କା, ଲାଉ, କଖାରୁ ବିହନ ବି ରାଜ୍ୟରେ ଉତ୍ପାଦନ ହୋଇପାରୁ ନାହିଁ । ବଜାରରେ ମିଳୁଥିବା ବିହନ ଅନ୍ୟ ରାଜ୍ୟ ବିଶେଷକରି ପଶ୍ଚିମବଙ୍ଗରୁ ଏଠାକୁ ଆସୁଛି । ଏପରିକି କୋଶିଳା ଓ ଖଡାଶାଗ ବିହନ ବି ବାହାର ରାଜ୍ୟରୁ ଆସୁଥିବା ବ୍ୟବସାୟୀମାନେ ମତ ଦେଉଛନ୍ତି । ରାଜ୍ୟ ବାହାରୁ ଆସୁଥିବାରୁ ଏହାର ଦର ଚଢା ରହୁଥିବାବେଳେ ପ୍ରୋତ୍ସାହନ ଅଭାବରୁ ରାଜ୍ୟର ଚାଷୀମାନେ ବିହନ ଉତ୍ପାଦନ କରିବାକୁ ରାଜି ହେଉନାହାନ୍ତି ।

ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ କେବଳ ରାଜ୍ୟରେ ଚାହିଦା ମୁତାବକ ଧାନ ବିହନ ଉତ୍ପାଦନ ହୋଇପାରୁଛି । ସେହିଭଳି ମଟର ଓ ମିଠା ମକା ପାଇଁ ବି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁନାହିଁ । ତେବେ ରାଜ୍ୟରୁ ପ୍ରଚୁର ପରିମାଣରେ ମୁଗ, ବିରି ଭଳି ଡାଲି ଜାତୀୟ ଫସଲ ଉତ୍ପାଦନ ହେଉଥିବାବେଳେ ସରକାର କାହିଁକି ଏହାର ବିହନ ଅନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ ଟଙ୍କାରେ ଖରିଦ କରୁଛନ୍ତି ତାହାକୁ ନେଇ ଚାଷୀମାନେ ପ୍ରଶ୍ନ କରୁଛନ୍ତି ।

ରାଜ୍ୟ ବାହାରୁ ଉନ୍ନତି କିସମ ନାଁରେ ସୋରିଷ, ସୂର୍ଯ୍ୟମୁଖୀ, ହରଡ, ଚିନାବାଦାମ ଭଳି ବିହନ ଆମାଦୀନ ହେଉଥିବାବେଳେ ଓଡିଶାରେ କିନ୍ତୁ ଏହାର ଉତ୍ପାଦନ ଆଶାନୁରୂପ ଭାବେ ବୃଦ୍ଧି ପାଉନାହିଁ । ବର୍ଷସାରା ରାଜ୍ୟର ଖାଉଟିମାନେ ଏହିସବୁ ଖାଦ୍ୟସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେଉଛନ୍ତି । ଗୋଟିଏ ପଟେ ବିହନ ଖରିଦ ବାବଦରେ ଓଡିଶାରୁ ଅନ୍ୟ ରାଜ୍ୟକୁ କୋଟି କୋଟି ଟଙ୍କା ଚାଲିଯାଉଥିବାବେଳେ ଖାଦ୍ୟ ସାମଗ୍ରୀ ବାବଦରେ ବି ବାହାର ରାଜ୍ୟର ବ୍ୟବସାୟୀମାନେ ଓଡିଶାର ଖାଉଟିଙ୍କ ଠାରୁ କୋଟି କୋଟି ଟଙ୍କା ଲାଭ କମାଉଛନ୍ତି । (ତଥ୍ୟ)