Home General ବିଷାକ୍ତ ହେଉଛି ଚିଲିକା ଜଳ

ବିଷାକ୍ତ ହେଉଛି ଚିଲିକା ଜଳ

ଭୁବନେଶ୍ୱର : ରାଜ୍ୟର ଗୋଟିଏ ହେଲେ ମଧୁରଜଳ ପ୍ରଦୂଷଣମୁକ୍ତ ନଥିବାବେଳେ ଏସିଆର ସର୍ବବୃହତ୍‍ ଲବଣାକ୍ତ ହ୍ରଦ ଚିଲିକା ଯେଭଳି ପ୍ରଦୂଷିତ ହେଉଛି ତାହାର ତୁରନ୍ତ ନିରାକରଣ କରାନଗଲେ ଖୁବ୍‍ କମ୍‍ ବର୍ଷ ମଧ୍ୟରେ ଏହି ହ୍ରଦରୁ ମାଛ, କଙ୍କଡା ଓ ଅନ୍ୟାନ୍ୟ ଜଳବୀବ ଲୋପ ପାଇବା ସହିତ ଏଠାକୁ ଆଉ ବିଦେଶୀ ପକ୍ଷୀ କିମ୍ବା ପର୍ଯ୍ୟଟକ ଆସିବେ ନାହିଁ ବୋଲି ପରିବେଶପ୍ରେମୀମାନେ ଉଦ୍‍ବେଗର ସହ କହୁଛନ୍ତି ।

ଚିଲିକାକୁ ପ୍ରଦୂଷଣମୁକ୍ତ କରିବା ସହ ଏହା ଉପରେ ନିର୍ଭରକରି ଜୀବିକାର୍ଜନ କରୁଥିବା ଲୋକମାନଙ୍କ ଆର୍ଥିକ ବିକାଶପାଇଁ ରାଜ୍ୟ ସରକାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିବା ସହିତ ଏହି ସଂସ୍ଥା ମାଧ୍ୟମରେ ଚିଲିକାରୁ ଗୁଳ୍ମ ସଫା କରିବା ସଂଗେ ସଂଗେ ପୋତିହୋଇ ପଡିଥିବା ଏହାର ସାମୁଦ୍ରିକ ମୁହାଣ ଖନନ କରିଛନ୍ତି । ଏହା ସହିତ ଚିଲିକା ମଧ୍ୟରୁ ବି ବ୍ୟାପକ ପରିମାଣର ପଙ୍କ ଉଦ୍ଧାର କରାଯାଇଥିଲା । କେବଳ ସେତିକି ନୁହେଁ, ଚାରିପଟେ ଓ ଏହାକୁ ସଂଯୋଗ କରୁଥିବା ନଦୀନାଳଗୁଡିକର ଉପରମୁଣ୍ଡରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବ୍ୟାପକ ବୃକ୍ଷରୋପଣ କରାଯିବା ସହ ଲୋକଙ୍କ ଜୀବିକାର୍ଜନର ମାଧ୍ୟମ ବଢାଯାଇଥିଲା ।

୨୦/୨୫ ବର୍ଷ ତଳେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଦେଶ ବିଦେଶରୁ ବିପୁଳ ଅର୍ଥ ସଂଗ୍ରହ କରି ଯେପରି ବ୍ୟାପକ କାମ କରୁଥିଲେ ଏବେ ତାହା ଦେଖିବାକୁ ମିଳୁନାହିଁ । ଖୋଦ ମୁଖ୍ୟମନ୍ତ୍ରୀ ଏହି ସଂସ୍ଥାର ଅଧ୍ୟକ୍ଷ ହୋଇଥିଲେ ମଧ୍ୟ ତାଙ୍କ ସଭାପତିତ୍ୱରେ ଦୀର୍ଘବର୍ଷ ଧରି ଆଉ କାର୍ଯ୍ୟନିର୍ବାହୀ କମିଟିର ବୈଠକ ହେଉନାହିଁ । କେବଳ ସେତିକି ନୁହେଁ, ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦବୀରେ ଆଗରୁ ଜଣେ ବରିଷ୍ଠ ଆଇଏଫ୍‍ଏସ୍‍ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଥିବାବେଳେ ଏବେ କିଛିବର୍ଷ ଧରି ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବହୁ ସଂସ୍ଥାର ଦାୟିତ୍ୱରେ ରହୁଛନ୍ତି । ଏହାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବି ତିନି ଚାରିଟି ସଂସ୍ଥାର ଦାୟିତ୍ୱରେ ଅଛନ୍ତି ।

ଚିଲିକା ଉପରେ ଠିକଣା ଭାବେ ଧ୍ୟାନ କେନ୍ଦ୍ରୀୟ କରାଯାଉନଥିବାରୁ ଏହାର ପାଣି ବି କେବଳ ପ୍ରଦୂଷିତ ନୁହେଁ, କ୍ରମଶଃ ବିଷାକ୍ତ ହୋଇ ଚାଲିଛି । ପୁରାଣ ବର୍ଣ୍ଣିତ ଗନ୍ଧବତୀ ନଦୀକୁ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ନର୍ଦ୍ଦମାବାହୀ ଗଙ୍ଗୁଆ ନାଳରେ ପରିଣତ କରାଯାଇଛି । ଗଙ୍ଗୁଆର ପାଣି ଦୟାରେ ମିଶିବା ସହ ଦୟାର ଶାଖାନଦୀଗୁଡିକ ବି ନର୍ଦ୍ଦମାଜଳ ଯୋଗୁଁ ଅତି ମାତ୍ରାରେ ପ୍ରଦୂଷିତ ହେଉଛନ୍ତି ଏବଂ ସର୍ବଶେଷରେ ଏହି ନଦୀନାଳଗୁଡିକ ଚିଲିକାରେ ସହରାଞ୍ଚଳର ବର୍ଜ୍ୟବସ୍ତୁକୁ ନିଷ୍କାସିତ କରିବାରେ ନିୟୋଜିତ ହେଉଛନ୍ତି । ଏଥିଯୋଗୁଁ ଏହି ନଦୀନାଳଗୁଡିକରେ ମାଛ ବଂଶ ଲୋପପାଇ ଆସୁଥିବାବେଳେ ତାହାର ପ୍ରଭାବ ମଧ୍ୟ ଚିଲିକା ଉପରେ ପଡୁଛି ଏବଂ ଚିଲିକା ବି ପୋତିହୋଇ ଯାଉଛି ।

ଗଙ୍ଗୁଆ ଭଳି ଖୁବ୍‍ ଅଳ୍ପବର୍ଷ ମଧ୍ୟରେ ଚିଲିକାର ଜଳରାଶି ଦୁର୍ଗନ୍ଧଯୁକ୍ତ ହୋଇପାରେ ବୋଲି ପରିବେଶ ବିଶେଷଜ୍ଞଙ୍କ ଠାରୁ ଆରମ୍ଭକରି ଚିଲିକା ଉପକୂଳର ଅଧିବାସୀ ବିଶେଷକରି ମତ୍ସ୍ୟଜୀବୀମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ଆର୍ନ୍ତଜାତିକ ସ୍ତରରେ ପ୍ରସିଦ୍ଧିଲାଭ କରିଥିବା ଚିଲିକା ଓଡିଆ ଅସ୍ମିତାର ପ୍ରାଚୀନତମ ପରିଚୟ । କେବଳ ସେତିକି ନୁହେଁ, ଏହି ହ୍ରଦ ବି ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ଯେଭଳି ଲଗାମଛଡା ଭାବେ ଚିଲିକାକୁ ପ୍ରଦୂଷିତ କରାଯାଉଛି ତାହା ଆଗାମୀ ଦିନଗରେ ପର୍ଯ୍ୟଟନ ଶିଳ୍ପ ସହ ଅନ୍ୟାନ୍ୟ ଅର୍ଥକରୀ ବ୍ୟବସ୍ଥାକୁ ବି ପ୍ରଭାବିତ କରିବ । ଏ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂଗେ ସଂଗେ ରାମ୍‍ସର ସମ୍ମିଳନୀରେ ଭାରତ ପାଇଁ ଯେଉଁ ଚିଲିକା ଆର୍ନ୍ତଜାତିକ ସମ୍ମାନ ଆଣିଥିଲା ତାହାର ସୁରକ୍ଷା ଲାଗି ପୂର୍ବଭଳି ବ୍ୟାପକ ବୈଦେଶିକ ସହାୟତା ସହିତ ସ୍ଥାନୀୟ ଲୋକଙ୍କ ସମର୍ଥନନେବା ଏବଂ ଚିଲିକାରେ ମିଶିଥିବା ନଦୀନାଳଗୁଡିକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରିବାକୁ ଦାବି ଉଠୁଛି । (ତଥ୍ୟ)