ଭୁବନେଶ୍ୱର : ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଓଡିଆ ସମ୍ମିଳନୀରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସମେତ ସାହିତ୍ୟିକ ଏବଂ ବୁଦ୍ଧିଜୀବୀମାନଙ୍କୁ ଯୋଡିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ସମେତ ଶିକ୍ଷା ସହ ଜଡିତ ଅନ୍ୟାନ୍ୟ ବିଭାଗ ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଅର୍ଥ ଯୋଗାଉଛନ୍ତି ।
ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହା ବିଦ୍ୟାଳୟଗୁଡିକ ବିଶ୍ୱ ଓଡିଆ ସମ୍ମିଳନୀ ପୂର୍ବରୁ ନିଜ ନିଜ ଶିକ୍ଷାନୁଷ୍ଠାନରେ ସାହିତ୍ୟିକ ଓ ଭାଷାବିତ୍ମାନଙ୍କୁ ଡକାଇ ସ୍ୱତନ୍ତ୍ର ଆଲୋଚନାଚକ୍ର ଓ ସଭା ସମିତି ଆଦିର ଆୟୋଜନ କରିବେ । ଏହାଛଡା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତ ପ୍ରତି ଆଗ୍ରହ ବୃଦ୍ଧି କରିବାପାଇଁ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆଦି ମଧ୍ୟ କରାଯିବ ।
କେଉଁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକ ଏ ସଂକ୍ରାନ୍ତରେ କ’ଣ ସବୁ କାର୍ଯ୍ୟକ୍ରମ କରୁଛନ୍ତି ସେ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ତଥ୍ୟ ସଂଗ୍ରହ କରିବେ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହାଦ୍ୱାରା ସାରା ରାଜ୍ୟରେ ବିଶ୍ୱ ଓଡିଆ ସମ୍ମିଳନୀ ପାଇଁ ଏକ ବାତାବରଣ ସୃଷ୍ଟି ହେବ । ସ୍କୁଲ ପିଲାମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ କରାଯିବା ପିଲାମାନଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏହି ସମ୍ମିଳନୀ ସଂକ୍ରାନ୍ତରେ ମଧ୍ୟ ଆଗ୍ରହ ବୃଦ୍ଧି ପାଇବ ।
ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ଓଡିଆ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଛି । ଏହା ସହିତ ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ସମ୍ପୃକ୍ତ ବିଭାଗ ମାଧ୍ୟମରେ ଅନେକ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ରାଜ୍ୟରେ ଇଂରାଜୀ ମାଧ୍ୟମ ଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି ପାଉଥିବାରୁ ଓଡିଆ ମାଧ୍ୟମ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ ସଂଖ୍ୟା ଢେର କମିଛି । ଏମିତିକି ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନଥିବା ଦର୍ଶାଇ ଇତି ମଧ୍ୟରେ ତିନି ହଜାରରୁ ଅଧିକ ପ୍ରାଥମିକ ବିଦ୍ୟାଳୟକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ।
୧୯୫୪ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡିଆକୁ ସରକାରୀ ଭାଷା କରିବାଲାଗି ଆଇନ୍ ପ୍ରଣିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବାଲାଗି ସରକାରୀ ବିଜ୍ଞପ୍ତିଟିଏ ପ୍ରକାଶ ପାଇଁ ପ୍ରାୟ ୩୦ବର୍ଷ ସମୟ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ସରକାରୀ ନଥିପତ୍ର କାମ ପୁଣି ଇଂରାଜୀରେ ଚାଲିବାରୁ ଏହାର ପ୍ରତିବାଦ ଜଣାଇ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭାଷା ଆନ୍ଦୋଳନ ମୁଣ୍ଡ ଟେକିଥିଲା ଏବଂ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ସରକାରୀ ଦପ୍ତରଗୁଡିକରେ ଓଡିଆ ଭାଷାର ବ୍ୟବହାର ସହିତ ବ୍ୟବସାୟିକ ଓ ସରକାରୀ ପ୍ରତିଷ୍ଠାନଗୁଡିକର ନାମ ଫଳକ ଓଡିଆରେ ଲେଖିବାପାଇଁ ବ୍ୟବସ୍ଥା କରିଥିଲେ । କିନ୍ତୁ ଏଯାବତ୍ ଏହା କଡାକଡି ଭାବେ ପାଳିତ ହୋଇନାହିଁ ।
୧୯୯୦ ଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ତତ୍କାଳନୀ ବାଚସ୍ପତି ଯୁଧିଷ୍ଟିର ଦାସଙ୍କ ଆଗ୍ରହ କ୍ରମେ ଭୁବନେଶ୍ୱରରେ ବିଶ୍ୱ ଓଡିଆ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହା ପରେ ଅବଶ୍ୟ ଆଉ କେତେଥର ଏଭଳି ସମ୍ମିଳନୀ ବେସରକାରୀ ଉଦ୍ୟମରେ ହୋଇଛି । ତେବେ ଏଥର ରାଜ୍ୟ ସରକାର ନିଜ ଉଦ୍ୟମରେ ବିଶ୍ୱ ଓଡିଆ ସମ୍ମିଳନୀ କରିବାକୁ ଯାଉଛନ୍ତି ଏବଂ ଏଥିଲାଗି ସ୍ୱତନ୍ତ୍ର ଲୋଗୋ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଓଡିଶା ବାହାରେ ଥିବା ଓଡିଆମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବାପାଇଁ ସ୍ୱତନ୍ତ୍ର ସଫ୍ଟୱର ତିଆରି ହୋଇଥିବାବେଳେ ବହୁବର୍ଷ ଧରି ପ୍ରକାଶ ପାଇନଥିବା ବର୍ଣ୍ଣବୋଧ ଏହି ସମ୍ମିଳନୀ ଅବସରରେ ପୁନଃ ପ୍ରକାଶିତ ହେବାକୁ ଯାଉଥିବା ସୂଚନା ମିଳିଛି । (ତଥ୍ୟ)