ଭୁବନେଶ୍ୱର : ରାଜ୍ୟରେ ଭିତ୍ତିଭୂମୀ ବିକାଶ, ରୂପାନ୍ତରଣ ଯୋଜନା, ଏମଏସଏମଇ ଶିଳ୍ପର ବିକାଶ ସାଙ୍ଗକୁ ସ୍ଥାୟୀ ଓ ନିରନ୍ତର ଅଭିବୃଦ୍ଧି ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବାଙ୍ଗାଙ୍କ ସହ ଆଲୋଚନା କରିଛନ୍ତି। ଓଡିଶା ଗସ୍ତରେ ଆସିଥିବା ବିଶ୍ୱ ବ୍ୟାଙ୍କ ସଭାପତିଙ୍କୁ ଲୋକସେବା ଭବନରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ବାଗତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱ ବ୍ୟାଙ୍କ ସଭାପତିଙ୍କ ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓରଂଜନ କୁମାର ସିଂ ଓ ବିଶ୍ୱବ୍ୟାଙ୍କର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଶ୍ବ ବ୍ୟାଙ୍କ ସହ ରାଜ୍ୟରେ ଘରୋଇ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁବ ଶକ୍ତିର ଦକ୍ଷତା ବିକାଶ, ଦୀର୍ଘସ୍ଥାୟୀ ବିକାଶ, ସାମାଜିକ କ୍ଷେତ୍ରର ଅଭିବୃଦ୍ଧି ଏବଂ ଟେକ୍ନୋଲୋଜି ଭିତ୍ତିକ ବିକାଶ ନେଇ ଆଲୋଚନା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ବ ବ୍ୟାଙ୍କ ସଭାପତିଙ୍କ ନିକଟରେ ରାଜ୍ୟ ସରକାରଙ୍କ ପ୍ରମୁଖ ଲୋକାଭିମୁଖୀ ଯୋଜନା ଓ ରୂପାନ୍ତରଣ ସହ ଭିତ୍ତିଭୂମୀ ବିକାଶରେ ଅଧିକ ପୁଞ୍ଜିନିବେଶ ନେଇ ତଥ୍ୟ ରଖିଥିଲେ।
ସେହିଭଳି ଅଧିକ ସଂଖ୍ୟାରେ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟିକାରୀ ଏମଏସଏମଇ, କୃଷି ଓ ଆନୁସଙ୍ଗିକ ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ବିଜେପି ସରକାର କ୍ଷମତାକୁ ଆସିବା ପରେ ପୁଂଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ରୂପାନ୍ତରଣ ଆଇନ ଲାଗୁ କରିଛନ୍ତି। ଏହାଦ୍ବାରା ରାଜ୍ୟ ଏବେ ନିବେଶକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେବା ସହ ଆନ୍ଧ୍ରପ୍ରଦେଶ ପରେ ଓଡିଶା ନିବେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ୨୦୨୫ ଡିସେମ୍ବର ସୁଦ୍ଧା ରାଜ୍ୟକୁ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ରାଜ୍ୟ ସରକାରଙ୍କ ରୂପାନ୍ତରଣ ଓ ବିକାଶ ଧାରାକୁ ବିଶ୍ୱବ୍ୟାଙ୍କ ସଭାପତି ପ୍ରଶାଂସା କରିଛନ୍ତି। ଯୁବକଙ୍କ ପାଇଁ ଦକ୍ଷତା ବିକାଶ ଅଭିଯାନ ପାଇଁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟକୁ ବୈଷୟିକ ସହାୟତା ସାଙ୍ଗକୁ ବିଭିନ୍ନ ନୀତି ନିର୍ଦ୍ଧାରଣ ଓ ଆର୍ଥକ ପରିଚାଳନାରେ ସହାୟତା ଯୋଗାଇଦେବାକୁ ବିଶ୍ୱବ୍ୟାଙ୍କ ସଭାପତି ଆଶ୍ବାସନା ଦେଇଛନ୍ତି। ଏଥିସହିତ ଓଡିଶାରେ ସେଣ୍ଟ୍ରାଲ ଟୁଲ ରୁମ ଭଳି କେନ୍ଦ୍ରୀୟ ଅନୁଷ୍ଠାନ ପ୍ରତିଷ୍ଠାରେ ମଧ୍ୟ ବିଶ୍ୱବ୍ୟାଙ୍କ ସହୟତା କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଅଧିକ ସରକାରୀ-ଘରୋଇ ଉଦ୍ୟୋଗୀକରଣ ଜରିଆରେ ଦକ୍ଷତା ବିକାଶ ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଛନ୍ତି।
ବିଶ୍ୱ ଓ ଆଞ୍ଚଳିକ ସ୍ତରରେ ଦେଖାଦେଇଥିବା ଅର୍ତନୈତିକ ଚ୍ୟାଲେଞ୍ଜ ନେଇ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ଭିତ୍ତିଭୂମି ବିକାଶ, ବ୍ୟାପକ ସହରୀକରଣ ଓ ଦୀର୍ଘସ୍ଥାୟୀ ଆର୍ଥିକ ପରିଚାଳନା ଜରିଆରେ ଏହାର ସମାଧାନ କରାଯାଇପାରିବ ବୋଲି ଏହି ଅବସରରେ ମତପ୍ରକାଶ ପାଇଛି। ବିଶ୍ୱବ୍ୟାଙ୍କର ଆଭିମୁଖ୍ୟ ଆଧାରରେ କିଭଳି ରାଜ୍ୟର ଗୁରୁତ୍ବପୂର୍ଣ୍ଣ ବିକାଶ ଲକ୍ଷ୍ୟ ହସଲ ହୋଇପାରିବ ସେନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନେଇ ରାଜ୍ୟ ସରକାରଙ୍କ ଭିଜନ ଡକ୍ୟୁମେଣ୍ଟକୁ ମୁଖ୍ୟମନ୍ତ୍ରୀ ବିଶ୍ୱ ବ୍ୟାଙ୍କ ସଭାପତିଙ୍କୁ ପ୍ରଦାନ କରିଥିଲ।

