ଭୁବନେଶ୍ୱର : ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଥିବା ଶିକ୍ଷକ କ୍ୟାଡର୍ର ପୁରୁଣା ରୋଷ୍ଟର ପଏଣ୍ଟ ରହିବ କିମ୍ବା ଏହାକୁ ବଦଳାଇ ନୂଆ ରୋଷ୍ଟର ପଏଣ୍ଟ କିପରି ପ୍ରସ୍ତୁତ କରାଯିବ ସେଥିଘେନି ଦାୟିତ୍ୱରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର କ୍ଷମତାପ୍ରାପ୍ତ କର୍ମଚାରୀମାନେ ଚିନ୍ତାରେ । ନୂଆ କୁଳପତିମାନଙ୍କ ପାଇଁ ଏହା ବି ଏକ ଆହ୍ୱାନ ହେବାକୁ ଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ଗତ ଫେବୃଆରୀ ମାସରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ମୁତାବକ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ଲାଗି ମୋଟ ୨୦୮୬ଟି ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୪୨୭ଟି ଖାଲି ପଡିଥିଲା । ଏହି ବିଶ୍ୱବିଦ୍ୟାଳୟଗଡ଼ିକ ଲାଗି ୨୯୯ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୨୬୧ଟି ଖାଲି ପଡିଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର ବହୁ ବିଷୟରେ ପ୍ରଫେସର ନାହାନ୍ତି । ସେହିଭଳି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଥିବା ୫୯୩ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀରୁ ୪୫୮ଟି ଏବଂ ୧୧୯୪ଟି ସହକାରୀ ପ୍ରଫେସର ପଦବୀରୁ ୭୦୮ଟି ଖାଲି ପଡିଥିବା କୁହାଯାଉଛି । ମୋଟାମୋଟି ଭାବେ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୬୮ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି ।
ଇତିମଧ୍ୟରେ ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟ ଲାଗି ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି । ଏହା ପୂର୍ବରୁ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷକ କ୍ୟାଡର୍ରେ ସଂରକ୍ଷଣ ଘେନି ଗତ ଜାନୁଆରୀ ମାସରେ ଏକ ଅଧ୍ୟାଦେଶ ଜାରି ହୋଇଥିଲା । ପରେ ପରେ ବିଧାନସଭାର ଗତ ବଜେଟ୍ ଅଧିବେଶନ ସମୟରେ ମାର୍ଚ୍ଚ ୩୧ ତାରିଖ ଅଧରାତିରେ ଏ ସଂକ୍ରାନ୍ତୀୟ ବିଲ୍ ପାରିତ ହୋଇଛି । ଇତିମଧ୍ୟରେ ରାଜ୍ୟପାଳ ଏହା ଉପରେ ସନ୍ତକ ବସାଇବାରୁ ତାହା ଏବେ ଆଇନ୍ରେ ପରିଣତ ହୋଇଛି ।
କୁହାଯାଉଛି ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିସଷ୍ଟାଣ୍ଟ ପ୍ରଫେସର ଗ୍ରେଡ୍ରେ ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଲାଗୁ ହେବ । ପୂର୍ବରୁ ବିଭିନ୍ନ ବିଷୟ ଲାଗି ଶିକ୍ଷକ ନିଯୁକ୍ତି ବେଳେ ସଂପୃକ୍ତ ବିଷୟକୁ ଗୋଟିଏ ଗୋଟିଏ କ୍ୟାଡର୍ ଭାବେ ଗ୍ରହଣ କରାଯାଇ ଓଡ଼ିଶା ସ୍ଥାନ ସଂରକ୍ଷଣ ଆଇନ୍ ଆଧାରରେ ସଂରକ୍ଷିତ ବର୍ଗଗୁଡ଼ିକ ଲାଗି ରୋଷ୍ଟର ପଏଣ୍ଟ ସ୍ଥିର କରାଯାଉଥିଲା । ଯେଉଁ ବର୍ଗ ପାଇଁ ରୋଷ୍ଟରର ଯେଉଁ ସ୍ଥାନ ଚିହ୍ନିତ ସେହି ବର୍ଗର ପ୍ରାର୍ଥୀ ଉକ୍ତ ସ୍ଥାନରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ହେଉଥିଲେ ।
ନୂଆ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ବିଷୟ ଭିତ୍ତିରେ ସଂରକ୍ଷଣ ଦିଆନଯାଇ ସମଗ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିସଷ୍ଟାଣ୍ଟ ପ୍ରଫେସର ଗ୍ରେଡ୍କୁ ନେଇ ନୂଆ ରୋଷ୍ଟର ଭିତ୍ତିରେ ନିଯୁକ୍ତି ନିଆଯିବ । ଫଳରେ ପୁରୁଣା ରୋଷ୍ଟରରେ ଯେଉଁସବୁ ସ୍ଥାନ ଯେଉଁ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ତାହା ଏବେ ସଂପୂର୍ଣ୍ଣ ବଦଳିଯିବ । ଏହାଫଳରେ ବିଶ୍ୱବିଦ୍ୟାଳୟର ଶିକ୍ଷକ କ୍ୟାଡର୍ରେ ସଂରକ୍ଷିତ ବର୍ଗଙ୍କ ସ୍ଥାନ ସୁନିଶ୍ଚିତ ରହୁଥିଲେ ମଧ୍ୟ କେତେକ ବିଷୟରେ କିନ୍ତୁ ସମସ୍ୟା ଉପୁଜିପାରେ । ଏଥିଘେନି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇନଗତ ବିବାଦ ଉପୁଜିବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ବିଧିବିଶେଷଜ୍ଞମାନେ କହୁଛନ୍ତି ।
ସରକାରୀ କଲେଜ୍ ଓ ଅନୁଦାନପ୍ରାପ୍ତ କଲେଜ୍ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ବେଳେ କେବଳ ସହକାରୀ ପ୍ରଫେସର ଗ୍ରେଡ୍ରେ ବିଷୟୱାରୀ ସଂରକ୍ଷଣ ଦିଆଯାଉଛି ଏବଂ ଏହି ଆଧାରରେ ରୋଷ୍ଟର ପଏଣ୍ଟ ନିର୍ଦ୍ଧାରିତ ହେଉଛି । କଲେଜ୍ଗୁଡ଼ିକର ସହଯୋଗୀ ପ୍ରଫେସର ଓ ପ୍ରଫେସର ପଦବୀରେ କିନ୍ତୁ ସଂରକ୍ଷଣ ନାହିଁ । ଏଭଳି ସ୍ଥିତିରେ କଲେଜ୍ଗୁଡ଼ିକ ଲାଗି ରହିଥିବା ସଂରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟର ଶିକ୍ଷକ କ୍ୟାଡର୍ରେ ନୂଆ ସଂରକ୍ଷଣ ବ୍ୟବସ୍ଥା ଭିତରେ ସମାନତା ରଖିବା ପାଇଁ ମତ ପ୍ରକାଶ ପାଉଛି ।(ତଥ୍ୟ)

