Home Education ବିଶ୍ୱବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇପାରୁନି

ବିଶ୍ୱବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇପାରୁନି

ଭୁବନେଶ୍ୱର : ରାଜଧାନୀରେ ଥିବା ଓଡିଶାର ଏକମାତ୍ର ସରକାରୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ୧୦ବର୍ଷ ହେବ ଜମି ଚିହ୍ନଟ ହୋଇପାରୁନଥିବାରୁ ଏହାର ପୂର୍ଣ୍ଣାଙ୍ଗ କ୍ୟାମ୍ପସ ନିର୍ମାଣ କରାଯାଇ ପାରୁନାହିଁ । ଭିତ୍ତିଭୂମି ଅଭାବରୁ ତେଣୁ ନାକ୍‍ ମାନ୍ୟତାରେ ଖସି ଖସି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବେ ବି+ ରେ ସନ୍ତୁଷ୍ଟ ହେବାକୁ ପଡୁଛି ।

୧୯୬୪ ମସିହାରେ ଭୁବନେଶ୍ୱରର ପ୍ରଥମ ମହିଳା ଉଚ୍ଚଶିକ୍ଷାନୁଷ୍ଠାନ ଭାବେ ସରକାରୀ ମହିଳା କଲେଜ ଆରମ୍ଭ ହୋଇଥିବା ତିନି ନମ୍ବର ୟୁନିଟ୍‍ରେ । ପରେ ତାହା କିଛି ବର୍ଷ ଏକ ନମ୍ବର ୟୁନିଟ୍‍ର ଏକ ସ୍କୁଲଘରେ ଚାଲିଥିଲା । ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏହି ମହିଳା କଲେଜ ଲାଗି ରୂପାଲିଛକ ନିକଟରେ ୨୭ଏକର ଜମି ଦିଆଯାଇଥିଲା ଏବଂ ସେତେବେଳର ଶିକ୍ଷାମନ୍ତ୍ରୀ ବନମାଳି ପଟ୍ଟନାୟକଙ୍କ ଆଗ୍ରହ କ୍ରମେ ଏହି ସରକାରୀ ମହିଳା ମହାବିଦ୍ୟାଳୟର ସୌଧ ନିର୍ମାଣ ସରିବାପରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଏହି ଉତ୍ତମ କ୍ୟାମ୍ପସକୁ ରମାଦେବୀ ମହିଳା କଲେଜ ନାମରେ ଗାନ୍ଧୀ ଶତବାର୍ଷିକୀ ବର୍ଷରେ ନାମିତ କରିଥିଲେ ।

ପରବର୍ତ୍ତୀ ସମୟରେ ରମାଦେବୀ ମହିଳା କଲେଜ ସ୍ୱୟଂଶାସିତ ମର୍ଯାଦା ସହିତ ନାକ୍‍ରେ ଏ+ ଗ୍ରେଡ୍‍ ହାସଲ କରିଥିଲା ଏବଂ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଏହାର ମଧ୍ୟ ବେଶ୍‍ ସୁନାମ ବଢିଥିଲା । ୨୦୧୫ ମସିହାରେ ଏହି ସ୍ୱୟଂଶାସିତ ମହିଳା କଲେଜକୁ ବିଶ୍ୱବିଦ୍ୟାଳୟରେ ଉନ୍ନୀତ କରାଯାଇଥିଲା । ଏହା ସହିତ ଅନ୍ୟୁନ ୪୮ଟି କଲେଜ ଅନୁବନ୍ଧିତ ହୋଇ ରହିଛି । ଏହି କ୍ୟାମ୍ପସରେ ଯେଉଁ ଖେଳପଡିଆ, ବ୍ୟାୟାମଶାଳା ଆଦି ଥିଲା ତାହା ଏବେ ସତ୍ତା ହରାଇଛି । ଏହା ବୋଧହୁଏ ଏକାମାତ୍ର ବିଶ୍ୱବିଦ୍ୟାଳୟ ଯାହାର ଛାତ୍ରୀମାନଙ୍କ ପାଇଁ କ୍ୟାଣ୍ଟିନଟିଏ ନାହିଁ ।

କ୍ୟାମ୍ପସ ଭିତରେ ସ୍ନାତକୋତ୍ତର, ପିଏଚଡି, ଡିଗ୍ରୀ ଓ ଯୁକ୍ତ ଦୁଇ ପାଠ୍ୟକ୍ରମ ଚାଲୁଛି । ଏହାଛଡା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ଲକ ମଧ୍ୟ ଖେଳପଡିଆ ଜାଗାରେ ନିର୍ମିତ ହୋଇଛି । ଛାତ୍ରୀମାନଙ୍କ ପାଇଁ ଥିବା ବ୍ୟାୟାମଶାଳା ପରୀକ୍ଷା ନିୟନ୍ତ୍ରକଙ୍କ ଭଣ୍ଡାରଘରରେ ରୂପାନ୍ତରିତ ହୋଇଛି । ଏବେ ଏଠାରେ ଛାତ୍ରୀମାନଙ୍କ ପାଇଁ ଖେଳିବାକୁ ଜାଗା ନାହିଁ । ଏ ସମସ୍ତ ଦିଗ ନାକ୍‍ ପରିଦର୍ଶନକାରୀ ଦଳ ଅନୁଧ୍ୟାନ କରି ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟକୁ ନିମ୍ନମାନର ଗ୍ରେଡ୍‍ ପ୍ରଦାନ କରିବା ସହିତ ସ୍ଥିତି ସୁଧାରିବା ଲାଗି ପରାମର୍ଶ ଦେଇଛନ୍ତି ।

ଏସବୁ ସତ୍ୱେ ୧୦ବର୍ଷ ଧରି ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ରାଜ୍ୟ ସରକାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ୩୦ଏକର ଜମି ଯୋଗାଇ ପାରୁନାହାନ୍ତି । କେବଳ ସେତିକି ନୁହେଁ, ଏହି ଶିକ୍ଷାନୁଷ୍ଠାନ ସମ୍ମୁଖରେ ଯାଇଥିବା ମୁଖ୍ୟ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସେଠାରେ ଏକ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ୨୦୧୧ ମସିହାର ସ୍ୱାୟତ୍ତଶାସନ ଦିବସରେ ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ୧୪ବର୍ଷ ଧରି ଏହି କାମ କିଛି ବି ଆଗେଇ ପାରିନାହିଁ ।

ଭିତ୍ତିଭୂମିର ଅଭାବ ଥିବାବେଳେ ରମାଦେବୀ ବିଶ୍ୱବିଦ୍ୟାଳୟରେ ଦୀର୍ଘମାସ ଧରି ସ୍ଥାୟୀ କୁଳପତି ନାହାନ୍ତି । ପିଜି କାଉନସିଲ୍‍ ଅଧ୍ୟକ୍ଷ ଏଠି ଏବେ ଭାରପ୍ରାପ୍ତ କୁଳପତି । ଏହି ମହିଳା ବିଶ୍ୱବିଦ୍ୟାଳୟ ଓ ତାହା ସହିତ ଚାଲୁଥିବା ଡିଗ୍ରୀ ଓ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡିବା ଫଳରେ ଶିକ୍ଷାଦାନ, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟରେ ବ୍ୟାଘାତ ଉପୁଜୁଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମୂଳପିଣ୍ଡକୁ ଇତି ମଧ୍ୟରେ ୬୦ବର୍ଷ ପୂରିଗଲାଣି । ଚଳିତବର୍ଷ ବି ଏହି ବିଶ୍ୱବିଦ୍ୟାଳୟ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରିଆସୁଛି । ଏହି ଅବସରରେ ରାଜ୍ୟ ସରକାର ତୁରନ୍ତ ଶିକ୍ଷାନୁଷ୍ଠାନ ପାଇଁ ରାଜଧାନୀରେ ୩୦ଏକର ଜମି ସହିତ କ୍ୟାମ୍ପସ ନିର୍ମାଣ ପାଇଁ ଅର୍ଥ ବରାଦ ଏବଂ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଆଗାମୀ ଗ୍ରୀଷ୍ମାବକାଶ ମଧ୍ୟରେ ପୂରଣ କରିବାକୁ ଛାତ୍ରୀମହଲରୁ ଦାବି ହେଉଛି । (ତଥ୍ୟ)