Home Education ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେବେ ନୂଆ ସରକାର

ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେବେ ନୂଆ ସରକାର

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ରାଜ୍ୟରେ ୧୭ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ଆଉ ଅନ୍ୟୁନ ୫ଟି ନୂଆ ବିଶ୍ୱବିଦ୍ୟାଳୟ ପାଇଁ ଦାବି ଜୋର ଧରୁଛି । ଏଥିଲାଗି ରାଜ୍ୟ ସରକାର ଓ ରାଜନୈତିକ ନେତାମାନଙ୍କ ଉପରେ ଚାପ ବଢିବାରେ ଲାଗିଛି ।

ରେଭେନ୍ସା, ଖଲିକୋଟ, ଗଙ୍ଗାଧର ମେହେର, ରାଜେନ୍ଦ୍ର, ଧରଣୀଧର, ବିକ୍ରମଦେବ, ରମାଦେବୀ ଆଦି କଲେଜକୁ ଗତ ସରକାର ସମୟରେ ବିଶ୍ୱବିଦ୍ୟାଳୟରେ ରୂପାନ୍ତର କରାଯାଇଥିଲା । ପର୍ଯ୍ୟାୟକ୍ରମେ ଏହି ନୂଆ ବିଶ୍ୱବିଦ୍ୟାଳୟଗୁଡିକ ସ୍ଥାପିତ ହୋଇଥିବାବେଳେ ଆଉ କେତେକ ଅଞ୍ଚଳରେ ମଧ୍ୟ ଏଥିଘେନି ଦାବି ଜୋର ଧରିଥିଲା । ସେତେବେଳେ ବିରୋଧିଦଳରେ ଥିବା ବିଜେପି ଓ କଂଗ୍ରେସର ସ୍ଥାନୀୟ ନେତୃବୃନ୍ଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ଖୋଲା ସମର୍ଥନ ଦେଉଥିଲେ ।

ପୁରୀରେ ଥିବା ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାପାଇଁ ଦୀର୍ଘବର୍ଷ ଧରି ଦାବିହୋଇ ଆସୁଛି । ଏବେ କେନ୍ଦ୍ରରେ ଓଡିଶାର ସାଂସଦ ଶିକ୍ଷାମନ୍ତ୍ରୀ ଥିବା ଏବଂ ରାଜ୍ୟରେ ବି ବିଜେପି ସରକାର ଥିବା ଦୃଷ୍ଟିରୁ ଏସସିଏସ୍‍ କଲେଜକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତର କରିବାପାଇଁ ପୁରୀର ବିଜେପି ସାଂସଦ ତଥା ଦଳର କେନ୍ଦ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ରଙ୍କ ଠାରୁ ପୁରୀ ବାସୀ ଏ ସମ୍ପର୍କରେ ଅଧିକ ଆଶା ରଖିବା ସ୍ୱାଭାବିକ ।

ସେହିଭଳି ଖୋରଧାର ପ୍ରାଣନାଥ ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମଧ୍ୟ ବହୁବର୍ଷ ଧରି ଦାବିହୋଇ ଆସୁଛି । ବିଶିଷ୍ଟ ସାମ୍ୟବାଦୀ ନେତା ପ୍ରାଣନାଥ ପଟ୍ଟନାୟକ ଖୋରଧାରେ କଲେଜ ପ୍ରତିଷ୍ଠା କରିବା ସମୟରେ ଏହାକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବେ ବୋଲି ଲକ୍ଷ୍ୟ ରଖିଥିଲେ । ଏହି ଉଦ୍ଦେଶ୍ୟ ସହିତ ଦଳମତ ନିର୍ବିଶେଷରେ ଅନେକଙ୍କ ଭାବାବେଗ ଜଡିତ ରହିଛି । ଏବେ ଖୋରଧାର ସାଂସଦ ଓ ବିଧାୟକ ବିଜେପି ଦଳର ଥିବା ଏବଂ ଜିଲ୍ଲାର ଅନ୍ୟତମ ବିଧାୟକ ତଥା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଜେଜେବାପା ପର୍ଶୁରାମ ହରିଚନ୍ଦନ ଖୋରଧା କଲେଜ ପ୍ରତିଷ୍ଠାରେ ପ୍ରାଣନାଥ ପଟ୍ଟନାୟକଙ୍କ ଅନ୍ୟତମ ସହଯୋଗୀ ଥିବା ପରିପ୍ରେକ୍ଷୀରେ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ଜୋର ଧରୁଛି ।

ଭଦ୍ରକ ସ୍ୱୟଂଶାସିତ କଲେଜ ମଧ୍ୟ ଏକ ପୁରାତନ ଶିକ୍ଷାନୁଷ୍ଠାନ । ଏହି କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ଅତୀତରେ ଦଳମତ ନିର୍ବିଶେଷରେ ଭଦ୍ରକବାସୀ ବହୁ ଆନ୍ଦୋଳନ କରିଛନ୍ତି । ଏବେ ଭଦ୍ରକ ଜିଲ୍ଲାର ଲଢୁଆ ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ହାତରେ ଉଚ୍ଚଶିକ୍ଷା ବିଭାଗ ଥିବା ଏବଂ ଭଦ୍ରକ କଲେଜର ପ୍ରାକ୍ତନ ଛାତ୍ରନେତା ମନମୋହନ ସାମଲ ରାଜ୍ୟ ସଭାପତି ଥିବା ଦୃଷ୍ଟିରୁ ଭଦ୍ରକବାସୀ ସେମାନଙ୍କ ଦୀର୍ଘଦିନର ଦାବି ପୂରଣ ହେବବୋଲି ଆଶା ରଖିବା ସ୍ୱାଭାବିକ ।

ସେହିପରି ଏକଦା ରାଜ୍ୟର ମନ୍ତ୍ରୀ ପଡା ଭାବେ ଚର୍ଚ୍ଚାର ବଳୟରେ ଥିବା କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବାପାଇଁ ମଧ୍ୟ ଦୀର୍ଘ ଦଶନ୍ଧି ଧରି ଦାବିହୋଇ ଆସୁଛି । ଅତୀତରେ ବିଜେପି ନେତାମାନେ ଏହି ଦାବି ପ୍ରତି ସମର୍ଥନ ଜଣାଇ ଆସିଥିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡାବାସୀଙ୍କ ଆଶା ବୃଦ୍ଧି ପାଇବା ସ୍ୱାଭାବିକ ।

ଓଡିଶାର ପ୍ରଥମ ମହିଳା କଲେଜ ଭାବେ ମୁଣ୍ଡ ଟେକିଥିବା କଟକର ଶୈଳବାଳା ସ୍ୱୟଂଶାସିତ ମହିଳା କଲେଜ ରମାଦେବୀ ମହିଳା କଲେଜ ଠାରୁ ପୁରୁଣା । ଶୈଳବାଳାକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ଦୀର୍ଘଦିନରୁ ମଧ୍ୟ ଦାବିହୋଇ ଆସୁଛି । ତେବେ ନୂଆ ସରକାର ଏଥିରୁ ର୍କେ ଦାବିଗୁଡିକୁ ଗ୍ରହଣ କରିବେ ତାହା ତାଙ୍କ ଉପରେ ନିର୍ଭର କରେ । (ତଥ୍ୟ)