Home Education ବିଶ୍ୱବିଦ୍ୟାଳୟ ଆଇନ୍‍ ସଂଶୋଧନ ପ୍ରକ୍ରିୟା ଆରମ୍ଭ

ବିଶ୍ୱବିଦ୍ୟାଳୟ ଆଇନ୍‍ ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଶିକ୍ଷକ ମରୁଡି ଯୋଗୁଁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ଲାଗି ରହିଥିବା ସାଂଘାତିକ ସ୍ଥିତିରେ ସୁଧାର ଆଣିବାପାଇଁ ଓଡିଶା ସରକାର ୨୦୨୦ର ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍ର ଉଚ୍ଛେଦ କିମ୍ବା ପୁନଃ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଶିକ୍ଷାବିତ୍‍ଙ୍କ ସମେତ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଏବଂ ସଂଗଠନମାନଙ୍କ ମତାମତ ଲୋଡାଯିବ ।

ଏଠାରେ ଉଲ୍ଲେଖନୀୟ ଯେ ବିଧାନସଭାରେ ସ୍ୱତନ୍ତ୍ର ବିଧେୟକ ଆଣି ରାଜ୍ୟ ସରକାର ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍‍ରେ ୨୦୨୦ ମସିହାରେ ବ୍ୟାପକ ସଂଶୋଧନ କରିଥିଲେ । ଏହି ସଂଶୋଧିତ ଆଇନ୍‍ ଯୋଗୁଁ କୁଳପତି, ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ଆଦି ପଦବୀରେ ନିଯୁକ୍ତି ଘେନି ସମସ୍ୟା ଉପୁଜିଛି । ଏହି ସଂଶୋଧିତ ଆଇନ୍‍ର କେତେକ ଧାରା ବିରୁଦ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିବା ଫଳରେ ସଂଶୋଧିତ ଆଇନ୍‍ ଆଧାରରେ ନିଯୁକ୍ତି ହୋଇପାରୁ ନାହିଁ ।

ଏବେ ରାଜ୍ୟର ଚାରିଟି ବିଶ୍ୱବିଦ୍ୟାଳୟରେ କୁଳପତି ନଥିବାବେଳେ ଚଳିତବର୍ଷ ଆଉ ୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ଖାଲି ହେବାକୁ ଯାଉଛି । ଏହାଛଡା ୨୦୨୫ ବର୍ଷରେ ବି ରାଜ୍ୟର ଆଉ ୫ଟି ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ଖାଲି ହେବାକୁ ଯାଉଛି । ଏହାଛଡା ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ବିଶ୍ୱବିଦ୍ୟାଳୟଗୁଡିକରେ ଏବେ ୨୭୪ରୁ ୨୨୫ଟି ପ୍ରଫେସର, ୫୫୦ଟିରୁ ୪୦୧ଟି ସହଯୋଗୀ ପ୍ରଫେସର ଏବଂ ୧୦୮୭ଟି ସହକାରୀ ପ୍ରଫେସର ପଦବୀରୁ ୫୬୧ଟି ଖାଲିପଡିଛି । ମୋଟାମୋଟି ଭାବେ ଉଚ୍ଚଶିକ୍ଷା ବିଭାଗର ୧୭ଟି ବିଶ୍ୱବିଦ୍ୟାଳୟ ଲାଗି ଥିବା ୧୯୧୧ଟି ଶିକ୍ଷକ ପଦବୀରୁ ୧୧୮୭ଟି ଖାଲି ପଡିଛି ।

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୟୁଜିସି ସୁପ୍ରିମ୍‍କୋର୍ଟରେ ରୁଜୁ କରିଥିବା ମାମଲା ଫଏସଲା ନହେବା ପର୍ଯ୍ୟନ୍ତ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକ ପାଇଁ କୁଳପତି, ଶିକ୍ଷକ ଓ ଅନ୍ୟ ଅଣଶିକ୍ଷକ ପଦବୀରେ ନିୟମିତ ନିଯୁକ୍ତି ଦେବା ସମ୍ଭବପର ହେବନାହିଁ ।

ଇତି ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ପତ୍ରଲେଖି ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍କୁ ୟୁଜିସି ମାର୍ଗନିର୍ଦ୍ଦେଶିକା ଆଧାରରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି । ଏହା କରାଯାଇ ପାରିଲେ ୟୁଜିସି ସୁପ୍ରିମ୍‍କୋର୍ଟରୁ ମାମଲା ପ୍ରତ୍ୟାହାର କରିନେଇପାରେ ।

ସଂଶୋଧିତ ଆଇନ୍‍ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡିକ ଠାରୁ ଶିକ୍ଷକ ନିଯୁକ୍ତି କ୍ଷମତା କାଢିନେଇ ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରାଯାଇଛି । ସେହିପରି କୁଳପତି ଚୟନ କ୍ଷେତ୍ରରେ ୟୁଜିସିର ମାର୍ଗନିର୍ଦ୍ଦେଶିକାକୁ ଉପେକ୍ଷା କରି ରାଜ୍ୟ ସରକାରଙ୍କ ଦବ୍‍ଦବା ବଢାଯାଇଛି । ଏହାଛଡା ବିଶ୍ୱବିଦ୍ୟାଳୟଗୁଡିକରେ ଥିବା ସିନେଟ୍‍କୁ ସଂଶୋଧିତ ଆଇନ୍‍ରେ ଉଚ୍ଛେଦ କରାଯାଇଥିବା ପରିପ୍ରେକ୍ଷୀରେ ବହୁ ସମସ୍ୟା ମଧ୍ୟ ଉପୁଜୁଛି । ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍‍ ସରକାରୀ ପ୍ରତିନିଧିତ୍ୱ ବୃଦ୍ଧିକୁ ମଧ୍ୟ ପସନ୍ଦ କରାଯାଉ ନାହିଁ । ଏସବୁକୁ ଆଖିଆଗରେ ରଖି ରାଜ୍ୟ ସରକାର ସଂଶୋଧିତ ଆଇନ୍‍ରେ ପରିବର୍ତ୍ତନ ଚାହୁଁଛନ୍ତି । ସେଥିପାଇଁ ବିଭିନ୍ନ ବର୍ଗର ମତାମତ ମିଳିବାପରେ ବିଧାନସଭାର ଆଗାମୀ ଶୀତଅଧିବେଶନ କାଳରେ ରାଜ୍ୟ ସରକାର ବିଧେୟକ ଆଣିପାରନ୍ତି କିମ୍ବା ଅଧ୍ୟାଦେଶ ଜାରି କରି ସମସ୍ୟା ସମାଧାନ କରିପାରନ୍ତି । ତେବେ ବହୁ ପ୍ରାକ୍ତନ କୁଳପତି, ପୂର୍ବତନ ପ୍ରଫେସର, ଶିକ୍ଷାବିତ୍‍, ବୁଦ୍ଧିଜୀବୀ ଓ ବର୍ତ୍ତମାନର କାର୍ଯ୍ୟରତ ବିଶ୍ୱବିଦ୍ୟାଳୟର ବହୁ ଶିକ୍ଷକ ସଂଶୋଧିତ ଆଇନ୍‍ର ଉଚ୍ଛେଦ କରି ୟୁଜିସି ମାର୍ଗନିର୍ଦ୍ଦେଶିକା ଆଧାରରେ ନିଯୁକ୍ତି ପ୍ରକ୍ରିୟା ଜାରି ରଖିବା ସପକ୍ଷରେ କହୁଛନ୍ତି । (ତଥ୍ୟ)