Home Education ବିଶ୍ୱବିଦ୍ୟାଳୟରେ ୬୮% ଶିକ୍ଷକ ପଦବୀ ଖାଲି

ବିଶ୍ୱବିଦ୍ୟାଳୟରେ ୬୮% ଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ଓଡ଼ିଶାର ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୬୮ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ୭୫ ପ୍ରତିଶତରୁ ଅଧିକ ଅଣଶିକ୍ଷକ ପଦବୀରେ କର୍ମଚାରୀ ନାହାନ୍ତି । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଅନ୍ୟୁନ ୧୪ଟିରେ ଦୀର୍ଘଦିନ ଧରି ନିୟମିତ କୁଳପତି ନଥିବାରୁ ଭାରପ୍ରାପ୍ତ କୁଳପତିମାନଙ୍କ ଦ୍ୱାରା କାମ ଚଳାଯାଉଛି ।

ଓଡ଼ିଶାରେ ଏବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଯେଉଁ ୧୭ଟି ବିଶ୍ୱବିଦ୍ୟାଳୟ ରହିଛି ସେଗୁଡ଼ିକ ହେଲା ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର, ଗଙ୍ଗାଧର ମେହେର, ରାମାଦେବୀ ମହିଳା, ଶ୍ରୀଜଗନ୍ନାଥ ସଂସ୍କୃତ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମା’ମାଣିକେଶ୍ୱରୀ, ମଧୁସୂଦନ ଆଇନ୍‍, ରେଭେନ୍ସା, ଧରଣୀଧର, ବିକ୍ରମଦେବ, ଫକୀରମୋହନ, ଖଲ୍ଲିକୋଟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ।

ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଲାଗି ୨୦୮୬ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦବୀ ଥିବାବେଳେ ମାତ୍ର ୬୭୯ ଜଣ ନିୟମିତ ଶିକ୍ଷକ କାମ କରୁଛନ୍ତି । ଅବଶିଷ୍ଟ ୧୪୨୭ ଶିକ୍ଷକ ପଦବୀ ଖାଲି ପଡିଛି । ମୋଟାମୋଟି ଭାବେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀଗୁଡ଼ିକ ଭିତରୁ ୬୮.୪୦ ପ୍ରତିଶତ ଖାଲି ଅଛି । ସେହିପରି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଲାଗି ୩୦୮୨ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୨୩୨୫ଟି ଖାଲି ପଡଛି । ଅର୍ଥାତ୍‍ ମାତ୍ର ୭୫୭ଜଣ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ମୋଟାମୋଟି ଭାବେ ୧୭ଟି ବିଶ୍ୱବିଦ୍ୟାଳୟରେ ୭୫.୪୩ ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ପଡିଛି ।

ଓଡ଼ିଆ ଅସ୍ମିତା କଥା କୁହାଯାଉଥିବାବେଳେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଲାଗି ଥିବା ୯ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର, ୮ଟି ଆସୋସିଏଟ୍‍ ପ୍ରଫେସର, ୨୬ଟି ଆସିଷ୍ଟାଣ୍ଟ ପ୍ରଫେସର ଓ ୧୪ଟି ଅଣଶିକ୍ଷକ ପଦବୀରେ ଜଣେ ହେଲେ କେହି ନିୟମିତ ଶିକ୍ଷକ କି ଅଣଶିକ୍ଷକ ନାହାନ୍ତି । ସତ୍ୟବାଦୀରେ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ଅବସ୍ଥା ତଦ୍ରୁପ । ଏହି ବିଶ୍ୱବିଦ୍ୟାଳୟ ପାଇଁ ଥିବା ମଞ୍ଜୁରୀପ୍ରାପ୍ତ ୩ଟି ପ୍ରଫେସର, ୬ଟି ସହଯୋଗୀ ପ୍ରଫେସର, ୧୨ଟି ସହକାରୀ ପ୍ରଫେସର ଓ ୪ଟି ଅଣଶିକ୍ଷକ କର୍ମଚାରୀ ପଦବୀ ମଧ୍ୟରୁ ସବୁତକ ଖାଲି । କେବଳ ଅତିଥି ଶିକ୍ଷକ ଓ ଠିକା କର୍ମଚାରୀଙ୍କ ଭରସାରେ ଏହି ଦୁଇଟି ବିଶ୍ୱବିଦ୍ୟାଳୟ ଚାଲିଛି ।

ରାଜ୍ୟର ସର୍ବପୂରାତନ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥିତି ଦୟନୀୟ । ଏହି ବିଶ୍ୱବିଦ୍ୟାଳୟ ମାତ୍ର ୮ଜଣ ପ୍ରଫେସର, ୨୬ଜଣ ସହଯୋଗୀ ପ୍ରଫେସର ଓ ୭୩ଜଣ ସହକାରୀ ପ୍ରଫେସରଙ୍କୁ ନେଇ ଚାଲିଛି । ଏଠାରେ ୩୮ଟି ପ୍ରଫେସର, ୪୯ଟି ସହଯୋଗୀ ପ୍ରଫେସର ଓ ୫୦ଟି ସହକାରୀ ପ୍ରଫେସର ପଦବୀ ଖାଲି ପଡିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଲାଗି ୯୨୧ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ବି ୭୩୧ଟି ଖାଲି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ୬ଜଣ ପ୍ରଫେସର, ୧୭ଜଣ ସହଯୋଗୀ ପ୍ରଫେସର ଓ ୪୮ଜଣ ସହକାରୀ ପ୍ରଫେସର ଏବଂ ୧୩୬ଜଣ କର୍ମଚାରୀଙ୍କୁ ନେଇ ଚାଲିଛି । ଏଠାରେ ୨୦ଟି ପ୍ରଫେସର, ୨୯ଟି ସହଯୋଗୀ ପ୍ରଫେସର ଓ ୩୩ଟି ସହକାରୀ ପ୍ରଫେସର ପଦବୀ ଖାଲି ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବି ଅନୁରୂପ ଅବସ୍ଥା । ଏଠାରେ ୧୯ଟି ପ୍ରଫେସର,୩୮ଟି ସହଯୋଗୀ ପ୍ରଫେସର, ୩୭ଟି ସହକାରୀ ପ୍ରଫେସର ଓ ୩୪୫ଟି ଅଣଶିକ୍ଷକ ପଦବୀ ଖାଲି । ରାଜ୍ୟର ଗର୍ବ ଓ ଗୌରବ ବୋଲି କୁହାଯାଉଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ଥିବା ୨୧୨ଟି ଅଣଶିକ୍ଷକ ପଦବୀରୁ ଖାଲି ପଡିଛି ୧୯୯ଟି । ଏହି ବିଶ୍ୱବିଦ୍ୟାଳୟରେ ୨୨ଟି ପ୍ରଫେସର, ୫୪ଟି ସହଯୋଗୀ ପ୍ରଫେସର ଓ ୮୯ଟି ସହକାରୀ ପ୍ରଫେସର ପଦବୀ ଖାଲି । ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପାଇଁ ଥିବା ସମସ୍ତ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଧରଣୀଧର ବିଶ୍ୱବିଦ୍ୟାଳୟରେ ଜଣେ ହେଲେ ପ୍ରଫେସର ନାହାନ୍ତି । ଏଠାରେ ମାତ୍ର ୪ଜଣ ସହକାରୀ ପ୍ରଫେସର ଓ ଜଣେ ସହଯୋଗୀପ୍ରଫେସର କାମ କରୁଛନ୍ତି । ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ୧୦ଟି ପ୍ରଫେସର, ୨୩ଟି ସହଯୋଗୀ ପ୍ରଫେସର ଓ ୪୬ଟି ସହକାରୀ ପ୍ରଫେସର ପଦବୀ ସହିତ ୧୧୨ଟି ଅଣଶିକ୍ଷକ ପଦବୀ ଖାଲି ପଡିଛି । ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହି ସମସ୍ୟା ଅତି ଉତ୍କଟତର ଅବସ୍ଥାରେ ଥିବା ଶିକ୍ଷାବିତ୍‍ମାନେ କହୁଛନ୍ତି । (ତଥ୍ୟ)