ଭୁବନେଶ୍ୱର : ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ୬୦ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଖାଲିପଡିବା ଏବଂ ଅନେକ ବିଶ୍ୱବିଦ୍ୟାଳୟରେ ଜଣେ ହେଲେ ପ୍ରଫେସର ନଥିବାରୁ ପାଠପଢା ଓ ଗବେଷଣା କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ତେଣୁ ସଚେତନ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଏଭଳି ସ୍ଥିତିରେ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡିକୁ ପସନ୍ଦ କରୁଛନ୍ତି ଏବଂ ଆଉ ଅନେକ କୃତୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟଗୁଡିକୁ ପଳାଉଛନ୍ତି ।
ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷକ ନିଯୁକ୍ତି କରାଯାଉନଥିବାବେଳେ ପ୍ରତିବର୍ଷ ଅନେକ ବିଶ୍ୱବିଦ୍ୟାଳୟର ଶିକ୍ଷକ ଅବସରଗ୍ରହଣ କରୁଛନ୍ତି । ଏହି ୧୭ଟି ଯାକ ବିଶ୍ୱବିଦ୍ୟାଳୟ ଲାଗି ୧୯୧୧ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ପ୍ରାୟ ୧୨୦୦ ପଦବୀ ଖାଲି ପଡିଛି । ପ୍ରାୟ ୭୦୦ ନିୟମିତ ଅଧ୍ୟାପକ ଏହି ବିଶ୍ୱବିଦ୍ୟାଳୟଗୁଡିକରେ ଅଧ୍ୟାପନା, ଗବେଷଣା, ପରୀକ୍ଷା ପରିଚାଳନା ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ବ୍ୟାପକ ଚାପରେ ତୁଲାଉଛନ୍ତି ।
ଶିକ୍ଷକ ଅଭାବ ଲାଗି ରହିଥିବାବେଳେ ନିୟମିତ ନିଯୁକ୍ତି ନକରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱବିଦ୍ୟାଳୟଗୁଡିକ ଠିକାରେ ଅତିଥି ଅଧ୍ୟାପକ ନିଯୁକ୍ତ କରୁଛନ୍ତି । ତେବେ ଏହି ଅତିଥି ଅଧ୍ୟାପକମାନେ କେବଳ ସୀମିତ ସଂଖ୍ୟକ ପିରିୟଡ ପାଠ ପଢାଇ ଠିକାରେ ପାରିଶ୍ରମିକ ନେଉଛନ୍ତି । ଏବେ ଏହି ୧୭ଟି ଯାକ ସରକାରୀ ବିଶ୍ୱବିଦ୍ୟାଳୟରେ ୯୦୦ରୁ ଅଧିକ ଅତିଥି ଅଧ୍ୟାପକ ରହିଛନ୍ତି । ଏମାନଙ୍କୁ ଗତ ଫେବୃୟାରୀ ମାସରେ ଠିକା ନିଯୁକ୍ତି ଦିଆଯାଇଥିଲା । ଗ୍ରୀଷ୍ମାବକାଶ ପୂର୍ବରୁ ଏମାନଙ୍କ କାର୍ଯ୍ୟକାଳ ପୁରି ଯାଇଥିବାରୁ ପୁଣି ନୂଆ ଠିକା ନିଯୁକ୍ତି ନକରି ସେହି ଅଧ୍ୟାପକମାନଙ୍କୁ ନେଇ କାମ ଚଳାଇବାକୁ ସାନି ନିର୍ଦ୍ଦେଶ ଆସିଛି । ନିୟମିତ ଅଧ୍ୟାପକ ନିଯୁକ୍ତି ପର୍ଯ୍ୟନ୍ତ ଏମାନେ ଅତିଥି ଅଧ୍ୟାପକ ଭାବେ ଠିକାରେ ପାଠ ପଢାଇବେ ।
ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା୧୭ଟି ବିଶ୍ୱବିଦ୍ୟାଳୟରୁ ୮ଟିରେ ଜଣେ ହେଲେ ପ୍ରଫେସର ନାହାନ୍ତି । ଆଉ ୬ଟିରେ ୨ରୁ ୫ଜଣ ପର୍ଯ୍ୟନ୍ତ ପ୍ରଫେସର ଅଛନ୍ତି ।
ସର୍ବ ପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ୨୪୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଏବେ ସେଥିରୁ ପ୍ରାୟ ୧୩୦ଟି ପଦବୀ ଖାଲି ପଡିଛି । ରେଭେନ୍ସାରେ ୧୬୦ରୁ ଅଧିକ ନିୟମିତ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାଖାପାଖି ୧୦୦ ଓ ସମ୍ବଲପୁରରେ ୭୫ରୁ ଅଧିକ ଶିକ୍ଷକ ପଦବୀ ଖାଲି ଅଛି । ଖଲିକୋଟ, ରାଜେନ୍ଦ୍ର ଓ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୩୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ରାଜ୍ୟରେ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ପ୍ରାୟ ୮୦ଟି ଶିକ୍ଷକ ପଦବୀ ଖାଲି ।
ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ଏହି ୧୭ଟି ବିଶ୍ୱବିଦ୍ୟାଳୟ ଭିତରୁ ୧୨ଟିରେ ନିୟମିତ କୁଳପତି ନାହାନ୍ତି । ଆଉ କେତେକ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ବି ଏବର୍ଷ ଖାଲି ହେବାକୁ ଯାଉଛି । ଏ ପରିପ୍ରେକ୍ଷୀରେ ଅନ୍ୟୁନ ୧୫ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ ଏବେ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତାହା ଶେଷ ହେବା ବେଳକୁ ଆଉ ୨ମାସ ଲାଗିଯାଇପାରେ । ନୂଆ କୁଳପତି ନିଯୁକ୍ତି ପରେ ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ଶିକ୍ଷକ ପଦବୀଗୁଡିକୁ ‘ରେସନାଲାଇଜେସନ’ ମାଧ୍ୟମରେ କାଣ୍ଟଛାଣ୍ଟ କରି ଅବଶିଷ୍ଟ ପଦବୀ ଭିତରୁ କେଉଁ ବିଷୟ ଲାଗି ସର୍ବନିମ୍ନ କେତେ ସଂଖ୍ୟକ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ନିଯୁକ୍ତି ହେବେ ସେଥିଘେନି ବିଶ୍ୱବିଦ୍ୟାଳୟୱାରୀ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ଶେଷହେବା ବେଳକୁ ନୂଆ ଶିକ୍ଷାବର୍ଷ ଶେଷ ହୋଇଯିବାର ଆଶଙ୍କା ରହିଛି । (ତଥ୍ୟ)