ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜର କାଳଜୟୀ କଣ୍ଠସ୍ୱରରେ ସମଗ୍ର ଓଡ଼ିଶାକୁ ବିମୋହିତ କରିଥିବା ମହାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ଜୟଦେବ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭଳି ଅନେକ ସମ୍ମାନରେ ଭୂଷିତ ଏହି ଅତୁଳନୀୟ ସଙ୍ଗୀତ ସାଧକଙ୍କ ଦେହାନ୍ତ ଓଡ଼ିଆ କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି। ତାଙ୍କର ସୁମଧୁର ସ୍ୱରର ମୂର୍ଚ୍ଛନା ଓ କାଳଜୟୀ ସଙ୍ଗୀତ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଚିରକାଳ ଅମର ହୋଇ ରହିବ। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗ ଓ ଅସଂଖ୍ୟ ପ୍ରଶଂସକଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଓଡ଼ିଆ ସଂଗୀତ ଆକାଶର ତାରକା, ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି। ନିଜର ଅମୃତମୟ କଣ୍ଠସ୍ୱର ଓ କାଳଜୟୀ ସଂଗୀତ ସୃଷ୍ଟି ମାଧ୍ୟମରେ ସେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଚିରସ୍ମରଣୀୟ ହୋଇରହିବେ। ତାଙ୍କର ପରଲୋକ ଓଡ଼ିଆ ସଂଗୀତ ଜଗତରେ ଏକ ଶୂନ୍ୟତା ସୃଷ୍ଟି କରିଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।
ପ୍ରଣବ କିଶୋର ପଟ୍ଟନାୟକ ଜଣେ ପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ, ଯାହାଙ୍କ ସୁମଧୁର କଣ୍ଠସ୍ୱର ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ସଙ୍ଗୀତ ଶିଳ୍ପରେ ରାଜତ୍ୱ କରିଥିଲା। ଓଡ଼ିଶାର “ସ୍ୱର୍ଣ୍ଣ ସ୍ୱର” ଭାବରେ ପରିଚିତ, ସେ ୨୦୦ ରୁ ଅଧିକ ଚଳଚ୍ଚିତ୍ର ଗୀତ ଗାଇଥିଲେ ଏବଂ ଓଡ଼ିଶୀ, ଅର୍ଦ୍ଧ-ଶାସ୍ତ୍ରୀୟ, ଲୋକ, ଗଜଲ ଏବଂ ଭକ୍ତି ସଙ୍ଗୀତ ସମେତ ବିଭିନ୍ନ ଧାରା ଉପରେ ପାରଙ୍ଗମ ଥିଲେ।। ସିନେମାରେ ଜୀବନବ୍ୟାପୀ ଅବଦାନ ପାଇଁ ଓଡ଼ିଶାର ସର୍ବୋଚ୍ଚ ରାଜ୍ୟ ପୁରସ୍କାର, ୨୦୧୬ରେ ପ୍ରତିଷ୍ଠିତ ଜୟଦେବ ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ। ଏଥିସହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୭-୯୮), ପ୍ରଫୁଲ୍ଲ କର ସମ୍ମାନ (୨୦୧୧), ଏବଂ ବାଳକୃଷ୍ଣ ଦାଶ ସ୍ମାରକୀ ପୁରସ୍କାର (୨୦୨୩) ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋ୍ଚ୍ଚ ଉପେନ୍ଦ୍ର ଭଞ୍ଜ ସମ୍ମାନରେ (୨୦୨୩) ସେ ସମ୍ମାନିତ ହୋଇଥିଲେ।

