Home Administration ବିଶାଳ ଦେବଙ୍କୁ ଶକ୍ତି ବିଭାଗ

ବିଶାଳ ଦେବଙ୍କୁ ଶକ୍ତି ବିଭାଗ

ଭୁବନେଶ୍ୱର:  ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗ ଦାୟିତ୍ୱ ଦିଆଯାଇଛି।

୧୯୯୬ ବ୍ୟାଚ୍ ର ବରିଷ୍ଠ ଆଇଏଏସ୍ ଅଧିକାରୀ ବିଶାଲ କୁମାର ଦେବ ଏବେ ଓସିଏସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ସହ ସରକାର, ଇ ଓ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ତାଙ୍କୁ ଏବେ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି।

ସ୍ବତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବରଞ୍ଜନ କୁମାର ସିଂହଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓଏସଡମା)ର ପରିଚାଳନା ନିର୍ଦେଶକ ଭାବେ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍ ଡିସି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବରେ ରହିପାରିବେ।

ସେହିପରି ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ନେତା ସଞ୍ଜୟ କୁମାର ସିଂହଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି।

କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ୍ ର ସିଏମ୍ ଡି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଗିରିଶ ଏସ୍ ଏନ୍ ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ବତନ୍ତ୍ର ସଚିବ ତଥା ଓରମାସ ର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଗୁହା ପୁନମ ତାପସ କୁମାରଙ୍କୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-କମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି।