ଭୁବନେଶ୍ୱର : ବିମାନ ଚାଳନା କ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ପ୍ରୋତ୍ସାହିତ କରାଯିବ । ବିମାନ ଚାଳନା କ୍ଷେତ୍ରରେ ୫୦ ପ୍ରତିଶତ ମହିଳାଙ୍କୁ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିମାନ ଚାଳନା କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ନେଇ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ ରାଜ୍ୟରେ ବହୁସଂଖ୍ୟାରେ ମହିଳା ବୈମାନିକ ସୃଷ୍ଟି ହେବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓମେନ୍ ଇନ୍ ଆଭିଏସନ୍ ଇଣ୍ଡିଆ (ଡବ୍ଲୁଏଆଇ) ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ବିମାନ ଚାଳନା କ୍ଷେତ୍ରକୁ ବୃତ୍ତିଗତ ଭାବରେ ଆପଣାଇବା ପାଇଁ ଉତ୍ସାହିତ କରାଯାଇଥିଲା । ସେମାନଙ୍କୁ ବିମାନ ଚାଳନା କ୍ଷେତ୍ରରେ ଦକ୍ଷତା ବିକାଶ, କ୍ଷେତ୍ରୀୟ ଜ୍ଞାନ ଓ ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ନେଇ ସଚେତନ କରାଯାଇଥିଲା ।
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏହି ଅବସରରେ ବୈମାନିକ ବୃତ୍ତି ପାଇଁ ନିର୍ଦ୍ଧାରିତ ଏକ ନିର୍ଦ୍ଦେଶ ପୁସ୍ତିକା ଉନ୍ମୋଚନ କରିବା ସଙ୍ଗେ କହିଥିଲେ ଯେ ବିମାନ ଚାଳନା ପାଇଁ ମହିଳାମାନଙ୍କ ସକାଶେ ଆକାଶ ସୀମିତ ନୁହେଁ, ବରଂ ଆରମ୍ଭ ମାତ୍ର । ପାରମ୍ପରିକ ଲିଙ୍ଗଗତ ବୈଷମ୍ୟ ଦୂର କରି ଏହି କ୍ଷେତ୍ରରେ ମହିଳାମାନଙ୍କ ଅଧିକ ପ୍ରବେଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀମତୀ ପାଢ଼ୀ ଉଲ୍ଲେଖ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ରଶ୍ମିତା ପଣ୍ଡା ଡବ୍ଲୁଏଆଇ ସଂଗଠନର ସଭାପତି ଶ୍ରୀମତୀ ରାଧା ଭାଟିଆଙ୍କ ସମେତ ସୋନା ମୁଦିର୍, ଯସ୍ମିନ୍ ପରିଚ୍ଛା ଓ ସୋନିଆ କପିଳା ପ୍ରମୁଖ ବୈମାନିକ ବୃତ୍ତି ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ । ଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଢେଙ୍କାନାଳ ଜିଲ୍ଲା ବିରାଶାଳଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ବିମାନ ଚାଳନା କେନ୍ଦ୍ରକୁ କ୍ରିୟାଶୀଳ କରିବା ଲକ୍ଷ୍ୟରେ ସେଠାରେ ବିସ୍ତୃତ ବିମାନ ଚାଳନା ତାଲିମ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।