ଭୁବନେଶ୍ୱର : ଆର୍ଥିକ ବର୍ଷ ସରିବାକୁ ଆଉ ସାଢେ ଚାରି ମାସ ଥିବାବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବଜେଟ୍ ଅର୍ଥରୁ ଖର୍ଚ୍ଚ କରିବାକୁ ଥିବା ଧାର୍ଯ୍ୟ ଲକ୍ଷରୁ ୩୦ପ୍ରତିଶତ ବ୍ୟୟ କରିଛି । ବିଭାଗରେ ଶହ ଶହ ସଂଖ୍ୟାରେ କର୍ମଚାରୀ ଛଟେଇ ଚାଲିଥିବାରୁ ଟଙ୍କା କିଭଳି ଖର୍ଚ୍ଚ ହେବ ତାହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହେଲାଣି ।
୨୦୨୪-୨୫ ବର୍ଷରେ ବିଭାଗ ପାଇଁ ବଜେଟ୍ରେ ୯୬୦୩ କୋଟି ୩୩ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଡିସେମ୍ବର ଶେଷ ସୁଦ୍ଧା ୫୭୬୨ କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରଖାଯାଇଛି । ଯାହା କି ବଜେଟ୍ ବ୍ୟୟବରାଦର ୬୦ ପ୍ରତିଶତ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଲକ୍ଷ୍ୟର ୩୦ ପ୍ରତିଶତ ବି ବ୍ୟୟ ହୋଇପାରି ନାହିଁ । ତେଣୁ ଡିସେମ୍ବର ଶେଷ ସୁଦ୍ଧା ୬୦ ପ୍ରତିଶତ ଓ ଆଉ ତିନି ମାସରେ ବଜେଟ୍ର ସମସ୍ତ ବ୍ୟୟବରାଦ ଅର୍ଥ ଖର୍ଚ୍ଚ କରିବେ ତାହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଲାଣି ।
ନଗର ଉନ୍ନୟନ ବିଭାଗରେ ଏବେ ୬୦୦ରୁ ଅଧିକ କର୍ମଚାରୀଙ୍କ ନିଯୁକ୍ତି ଅବଧି ବୃଦ୍ଧି ପାଇପାରୁ ନାହିଁ । ସେପ୍ଟେମ୍ବର ଶେଷରୁ ଏମାନଙ୍କ ଚାକିରି ସରିଲାଣି । ମାସକର ଦରମା ବି ମିଳିନାହିଁ । ତେବେ ନିଯୁକ୍ତି ଅବଧି ବୃଦ୍ଧି ଆଶାରେ କର୍ମଚାରୀମାନେ ଏବେ ବି କାର୍ଯ୍ୟ କରୁଛନ୍ତି । ବିନା ଦରମାରେ ଖଟୁଥିବା ଏହି କର୍ମଚାରୀମାନଙ୍କର ନିଯୁକ୍ତି ଅବଧି ବଢିବ କି ନାହିଁ ତାହା ସେମାନେ ମଧ୍ୟ ଜାଣିପାରୁ ନାହାନ୍ତି ।
ତେବେ ବିଭିନ୍ନ ଆଉଟସୋର୍ସିଂ ସଂସ୍ଥାରୁ ଆସିଥିବା ଏହି କର୍ମଚାରୀମାନେ ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପରେ ନିଯୁକ୍ତ ହୋଇଥିଲେ । ପ୍ରକଳ୍ପଗୁଡିକ ଅର୍ଥ ବ୍ୟୟର ପ୍ରମୁଖ ଦିଗ ହୋଇଥିବାବେଳେ ଏଠାରେ ଏବେ କାର୍ଯ୍ୟ ଏକ ପ୍ରକାର ଶୂନ ହୋଇଗଲାଣି । ବିନା ପାଉଣାରେ ନିଯୁକ୍ତ କର୍ମଚାରୀମାନେ ପ୍ରକଳ୍ପ କାର୍ଯ୍ୟଗୁଡିକୁ କେତେ ଦୂର ଆଗେଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।
ବସୁଧା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟର ୩୬ ପ୍ରତିଶତ ବ୍ୟୟ ହୋଇଥିବାବେଳେ ସହରାଞ୍ଚଳରେ ସେପ୍ଟେଜ୍ ବ୍ୟବସ୍ଥା ପାଇଁ ଥିବା ଅର୍ଥ ମଧ୍ୟରୁ ୨୦ ପ୍ରତିଶତ ଖର୍ଚ୍ଚ ହୋଇଛି । ତେବେ ଜଳ ଯୋଗାଣ ପାଇଁ ଥିବା ୱାଟ୍କୋ ଅର୍ଥ ବ୍ୟୟ କ୍ଷେତ୍ରରେ ବେଶ୍ ଆଗରେ ରହିଛି । ସରକାରଙ୍କର ବହୁ ଆଙ୍କାକ୍ଷିତ ମୁକ୍ତା ଯୋଜନାରେ ୫୪ ପ୍ରତିଶତ ଅର୍ଥ ବ୍ୟୟ ହୋଇଥିବାବେଳେ ବର୍ଷାଜଳ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ପାଇଁ ଥିବା ଅର୍ଥରୁ ୨୫ ପ୍ରତିଶତ ବ୍ୟୟ ହୋଇଛି । ଦକ୍ଷତା ବିକାଶ ପାଇଁ ସୁଡାକୁ ଦିଆଯାଇଥିବା ଅର୍ଥରୁ ଟଙ୍କାଟିଏ ଖର୍ଚ୍ଚ ହୋଇପାରିନଥିବା ଜଣ।।ଇଛି ।
ଇତି ମଧ୍ୟରେ ସହରାଞ୍ଚଳରେ ଲୋକଙ୍କ ହାତକୁ କାମ ଦେବାପାଇଁ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନା ଅନିଶ୍ଚିତତାରେ ଥିବାବେଳେ ଜଳସାଥିମାନେ ମଧ୍ୟ ଆଉ ପାଉଣା ପାଉନାହାନ୍ତି । ତେଣୁ ଏଭଳି ସ୍ଥିତିରେ ସରକାର ଯଦି କର୍ମଚାରୀମାନଙ୍କର ନିଯୁକ୍ତି ଅବଧି ବୃଦ୍ଧି ନେଇ ତତ୍କାଳ ନିଷ୍ପତ୍ତି ଗ୍ରହଣ ନକରିବେ ତେବେ ବଜେଟ୍ ଅର୍ଥ ଖର୍ଚ୍ଚ ହୋଇପାରିବ ନାହିଁ ଓ ଆର୍ôଥକବର୍ଷ ଶେଷରେ ବରାଦ ଅର୍ଥର ସିଂହଭାଗ ପରବର୍ତ୍ତୀ ବର୍ଷକୁ ନେବାକୁ ବାଧ୍ୟ ହେବେ । (ତଥ୍ୟ)