Home Covid ବିବାହ ଉତ୍ସବ ହୋଇପାରେ ସୁପରସ୍ପ୍ରେଡର

ବିବାହ ଉତ୍ସବ ହୋଇପାରେ ସୁପରସ୍ପ୍ରେଡର

ଭୁବନେଶ୍ୱର : ଆସନ୍ତା ମଇ ଓ ଜୁନ୍‍ ମାସରେ ବହୁ ସଂଖ୍ୟକ ବାହାଘର ତିଥି ଥିବାରୁ କରୋନା ସଂକ୍ରମଣକୁ ଏହା ଅଧିକ ଖୋରାକ ଯୋଗାଇବାର ଆଶଙ୍କା ଉପୁଜିଲାଣି । ସରକାରଙ୍କ ସପ୍ତାହନ୍ତ ସଟ୍‍ଡାଉନ୍‍ ଓ ରାତ୍ରୀକାଳୀନ କର୍ଫ୍ୟୁ ସତ୍ତ୍ୱେ ଅନେକ ଭୋଜି ପ୍ରସ୍ତୁତି ଚଳାଇଥିବାରୁ ବର କନ୍ୟାଙ୍କ ସମେତ ଅତିଥିମାନେ କରୋନାର ସୁପରସ୍ପ୍ରେଡର ସାଜିବା ସମ୍ଭାବନା ଅଧିକ ।

କରୋନା ସଂକ୍ରମଣ ରୋକିବାପାଇଁ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ସରକାର ଜାରି କରିଥିବା କଟକଣା ଯୋଗୁଁ ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଶୁଦ୍ଧିକ୍ରିୟାରେ ଅତି ବେଶିରେ ୨୦ ଲୋକ ଅନୁମତି ନେଇ ଏକାଠି ହୋଇପାରିବେ ବୋଲି ଯେଉଁ ବ୍ୟବସ୍ଥା ହୋଇଛି ତାହା ଅନେକ ଭୋଜି ଆୟୋଜକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ।

ଧୂମ୍‍ଧାମ୍‍ରେ ବାହାଘର କରିବାଲାଗି ଦୁଇ ତିନିମାସ ତଳୁ ପ୍ରସ୍ତୁତି ଚଳାଇ ଯେଉଁମାନେ ଶହ ଶହ ସଂଖ୍ୟାରେ ନିମନ୍ତ୍ରଣପତ୍ର ବାଣ୍ଟିଛନ୍ତି ସେମାନେ ଏବେ କେଉଁ ଅତିଥିଙ୍କୁ ଆସିବାପାଇଁ ବାରଣ କରିବେ କେଉଁମାନଙ୍କୁ ନେଇ ଉତ୍ସବପାଳନ କରିବେ ସେଥିଘେନି ଦ୍ୱନ୍ଦରେ । ଅବଶ୍ୟ ଅନେକ ଜାଣିବା ଶୁଣିବା ଲୋକ ନିମନ୍ତ୍ରଣପତ୍ର ପାଇଥିଲେ ମଧ୍ୟ କରୋନାର ଦ୍ରୁତ ସଂକ୍ରମଣ ପରିପ୍ରେକ୍ଷୀରେ ନିଜ ଆଡୁ ଭୋଜି ସଭାକୁ ଯାଉନାହାନ୍ତି ।

ଅନ୍ୟ ପକ୍ଷରେ ବ୍ୟବସ୍ଥାକୁ ଠକିବାପାଇଁ କିଛି ଲୋକ ନୂଆ ତରିକା ବାହାର କରିଛନ୍ତି । ଏହି ତରିକା ଅନୁଯାୟୀ ୫୦/୫୦ ଜଣ କରି ଲୋକଙ୍କୁ ଏକତ୍ରିତ କରାଇ ସ୍ଥଳ ବିଶେଷରେ ୩୦୦/୪୦୦ ଲୋକଙ୍କର ଭୋଜି ହେଉଛି । ଅବଶ୍ୟ କେଉଁ ୫୦ଜଣ ବିବାହ ଉତ୍ସବରେ ଉପସ୍ଥିତ ରହିବେ ସେମାନଙ୍କ ନାମତାଲିକା ସ୍ଥାନୀୟ ପ୍ରଶାସନ ନିକଟରେ ଦାଖଲ କରି ଅନୁମତି ଆଣିବା ଲାଗି ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ଏହା ଧର୍ମକୁ ଆଖିଠାର ମାରିବା ଭଳି ହେଉଛି ।

ପୂର୍ବ ନିର୍ଦ୍ଧିାରିତ କାର୍ଯ୍ୟକ୍ରମ ଅନୁଯାୟୀ ବଡ ଧରଣର ବିବାହଭୋଜି ପାଇଁ ୪/୬ମାସ ଆଗରୁ ହୋଟେଲ, ମଣ୍ଡପ ଆଦି ଅନେକ ସଂରକ୍ଷିତ ରଖିବା ସହିତ ଶହ ଶହ ଲୋକଙ୍କ ଲାଗି ଭୋଜି ପ୍ରସ୍ତୁତ ଲାଗି ଅଗ୍ରିମ ଦେଇଛନ୍ତି । ମୋଟା ଅଙ୍କର ଜୋରିମାନା ଓ ସିଲ୍‍ ହୋଇଯିବା ଭୟରେ ହୋଟେଲ, ମଣ୍ଡପ ଇତ୍ୟାଦିର ମାଲିକମାନେ କୋଭିଡ ମାର୍ଗନିର୍ଦ୍ଦେଶିକା ପ୍ରତିପାଳନ କରିବାକୁ ବାଧ୍ୟ । ଏ ପରିପ୍ରେକ୍ଷୀରେ ସରକାର ଧାର୍ଯ୍ୟ କରିଥିବା ୫୦ଜଣିଆ ତାଲିକାରେ କନ୍ୟା ଓ ବର ପକ୍ଷର କେତେ ଲୋକ ରହିବେ ତାହା ବାଛିବା ଏବେ କାଠିକରପାଠ ।

ହୋଟେଲ ଓ ମଣ୍ଡପ ଆଦିରେ ଶହ ଶହ ଲୋକଙ୍କ ଭୋଜି ପାଇଁ ଦିଆଯାଇଥିବା ଅଗ୍ରିମରୁ ଅର୍ଥ ଫେରସ୍ତ ମିଳୁନାହିଁ । ଏ ପରିପ୍ରେକ୍ଷୀରେ ଅନେକ ଲୋକ ଏବେ ଗାଁ ଆଡକୁ ମୁହାଁଉଛନ୍ତି । ଭୁବନେଶ୍ୱର କଟକ ଆଦି ବଡ ବଡ ସହରରେ ରାତ୍ରୀ କର୍ଫ୍ୟୁ ଏବଂ ସପ୍ତାହନ୍ତ ସଟ୍‍ଡାଉନ୍‍ ସହିତ ଜୋରଦାର ଧରପଗଡ ହେଉଥିବାବେଳେ ଗାଁ ଗହଳରେ କିନ୍ତୁ ଢିଲା ଥିବାରୁ ଭୋଜିରେ ସ୍ଥଳ ବିଶେଷରେ ୮ଶହ/ହଜାରେ ଲୋକଙ୍କୁ ବି ଆପ୍ୟାୟିତ କରାଯାଇ ପାରୁଛି ।

ବିଶେଷଜ୍ଞମାନେ କହୁଛନ୍ତି ଯେ କେବଳ ନିଜ ଜୀବନ ନୁହେଁ ନିମନ୍ତ୍ରିତ ଅତିଥି ଏପରିକି ବର କନ୍ୟାଙ୍କ ଜୀବନକୁ କରୋନା ପରିପ୍ରେକ୍ଷୀରେ ବାଜି ଲଗାଇ ବଡଲୋକିପଣିଆ ଦେଖାଇବାକୁ ଲୁଚାଛପାରେ ହେଉଥିବା ଭୋଜିଭାତ ବାସ୍ତବରେ ଖୋଲାଖୋଲି ଭାବେ କରୋନା ବାଣ୍ଟିବାରେ ସହାୟକ ହେଉଛି ।