Home News in Odia ବିବାଦୀୟ ରାଜ୍ୟପାଳ ଥିଲେ ରଘୁବର

ବିବାଦୀୟ ରାଜ୍ୟପାଳ ଥିଲେ ରଘୁବର

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଓ ବିଜୁ ଜନତା ଦଳର ବରିଷ୍ଠ ନେତା ଡଃ ଅରୁଣ କୁମାର ସାହୁ ଆଜି ସାମ୍ୱାଦିକ ସମ୍ମିଳନୀରେ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କ ବିବାଦୀୟ ଭୂମିକା ଉପରେ ପ୍ରଶ୍ନବାଣ କରିଛନ୍ତି ।  ରାଜ୍ୟପାଳ ପଦବୀରୁ ବିଦାୟ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟପାଳ ପଦବୀ ଏକ ଲାଟସାହେବ ପଦବୀ, କିନ୍ତୁ ସେ ନିଜେ ଲାଟସାହେବ ନହୋଇ ଲୋକମାନଙ୍କ ପାଖକୁ ଯାଇ ତାଙ୍କର ସମସ୍ୟାକୁ ବୁଝିବା ପାଇଁ ଚେଷ୍ଟା କରୁଥିଲେ । ବିଦାୟୀ ରାଜ୍ୟପାଳଙ୍କୁ ରାଜ୍ୟ ବିଜେପି ତରଫରୁ ଲୋକପ୍ରିୟ ରାଜ୍ୟପାଳ ବୋଲି କୁହାଯାଉଛି । ଏହି ପରିପ୍ରେକ୍ଷୀରେ, ମୁଁ ବିଦାୟୀ ରାଜ୍ୟପାଳ ଓ ରାଜ୍ୟ ବିଜେପି ସରକାରଙ୍କ ଉଦ୍ଦେଶ୍ୟରେ କିଛି ପ୍ରଶ୍ନ ରଖିବାକୁ ଚାହୁଁଛି ବୋଲି ଡଃ ସାହୁ କହିଥିଲେ ।

ଜଣେ ଲୋକ କୌଣସି ଅପରାଧ କଲେ ଆଇନ ଅନୁସାରେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ । କିନ୍ତୁ, ରାଜ୍ୟପାଳଙ୍କ ପୁଅ ତାଙ୍କ ଅଫିସରେ କାର୍ଯ୍ୟ କରୁଥିବା ଜଣେ ସରକାରୀ ଅଧିକାରୀ (ଏଏସଓ)ଙ୍କୁ ମାଡ଼ ମାରି ଜୋତାରେ ଛେପ ପକାଇ ତାଙ୍କୁ ଚାଟିବାକୁ ବାଧ୍ୟ କରିଥିଲେ । ସେ ଅଧିକାରୀ ଜଣକ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ସାରା ରାଜ୍ୟରେ ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, କିନ୍ତୁ ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଏହା ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ନ୍ୟାୟିକ ବ୍ୟବସ୍ଥା ପ୍ରତି ସମ୍ମାନକୁ ପ୍ରଦର୍ଷିତ କରିଥିଲା । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି, ସରକାର ଗଠନ କରିବା ପରେ ତୁରନ୍ତ ଓଡ଼ିଆ ଅସ୍ମିତାକୁ ଜଳାଞ୍ଜଳି ଦେଇଥିଲା ।

ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ରଘୁବର ଦାସ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ଗ୍ରୀଭାନ୍ସ ନେଇଥିଲେ । ରାଜ୍ୟପାଳଙ୍କ ଗ୍ରୀଭାନ୍ସ ସମାଧାନ କରିବାରେ କୌଣସି କ୍ଷମତା ନଥିଲେ ମଧ୍ୟ ସେ ଏହି କାର୍ଯ୍ୟ କେଉଁ ଉଦ୍ଦେଶ୍ୟରେ କରୁଥିଲେ ତାହା ପ୍ରଶ୍ନବାଚୀ ହୋଇଥିଲା । ପ୍ରକୃତରେ ସେ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ଚିନ୍ତିତ ନଥିଲେ ବରଂ ରାଜ୍ୟ ସରକାରଙ୍କ ବିରୋଧରେ ଓ ବିଜେପି ସପକ୍ଷରେ ପ୍ରଚାର କରୁଥିଲେ । ଜଣେ ରାଜ୍ୟପାଳ ରାଜ୍ୟର ଲୋକପ୍ରିୟ ସରକାରଙ୍କୁ ବଦନାମ କରିବାକୁ ଶ୍ରୀ ଦାସଙ୍କ ଏହି ଉଦ୍ୟମ ଭାରତବର୍ଷର ଇତିହାସରେ ପ୍ରଥମ ଘଟଣା ଥିଲା । ଶ୍ରୀ ଦାସ ଯେଉଁସବୁ ଗ୍ରୀଭାନ୍ସ ଆଣିଥିଲେ, ସେଥିରୁ କେତେଗୁଡିଏ ସେ ବିଜେପି ସରକାରଙ୍କ ସମୟରେ ସମାଧାନ କରିଥିଲେ, ତାହା ଜନସାଧାରଣଙ୍କୁ ଜଣାଇବାର ଆବଶ୍ୟକ ରହିଛି । 

ବିଜେପି ନେତାଙ୍କ କଥା ଅନୁସାରେ, ରାଜ୍ୟପାଳ ଭାବେ ଯଦି ସେ ଏତେ ଲୋକପ୍ରିୟ ଥିଲେ, ତାହେଲେ ତାଙ୍କୁ ଏପରି ଅସମ୍ମାନ ସୂଚକ ଭାବେ ତାଙ୍କ କାର୍ଯ୍ୟକାଳ ସରିବାର ଢେର ପୂର୍ବରୁ କାହିଁକି ବିଦା କରାଗଲା ? ଏ ପ୍ରଶ୍ନର ଉତ୍ତର ରାଜ୍ୟର ବିଜେପି ନେତାମାନେ ରାଜ୍ୟର ଜନସାଧାରଣଙ୍କ ସାମ୍ନାରେ ରଖିବାର ଅଛି । 

ତାଛଡା, ରାଜ୍ୟପାଳ ପଦବୀ ଏକ ଲାଟସାହେବ ପଦବୀ ବୋଲି ଶ୍ରୀ ଦାସ କାହିଁକି କହିଲେ? ଦେଶର ଅନ୍ୟ ରାଜ୍ୟର ରାଜ୍ୟପାଳମାନେ କ’ଣ ଲାଟସାହେବ କି ବୋଲି ଡଃ ସାହୁ ପ୍ରଶ୍ନ କରିଥିଲେ । ବାସ୍ତବରେ ଶ୍ରୀ ଦାସ ଜଣେ ଲୋକପ୍ରିୟ ନୁହେଁ ବରଂ ଜଣେ ବିବାଦୀୟ ରାଜ୍ୟପାଳ ଥିଲେ ।