ଭୁବନେଶ୍ୱର : ରାଜଧାନୀରେ ସ୍ଥାପନ କରାଯାଇଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଖ୍ୟାତନାମା ସମାଜସେବୀ ମା’ରମାଦେବୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏବେ ବିବାଦ ଉଠିଛି । ଏହି ପ୍ରତିମୂର୍ତ୍ତିରେ ଥିବା ତ୍ରୁଟି ବିଚ୍ୟୁତିକୁ ତୁରନ୍ତ ସୁଧାରି ଦେଇ ନୂଆ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ହେଉଛି । ମା’ରମାଦେବୀଙ୍କ ନିକଟ ବଳୟରେ ଦୀର୍ଘବର୍ଷ ଧରି କାମ କରିଥିବା ଏବଂ ତାଙ୍କୁ ଖୁବ୍ ନିକଟରୁ ଦେଖିଥିବା ବ୍ୟକ୍ତିତ୍ୱମାନେ ଏହି ପ୍ରସଂଗ ଉଠାଇଛନ୍ତି ।
ବିଧାନସଭା ହତା ବାହାରେ କିଛିଦିନ ତଳେ ରାଜ୍ୟର କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏମାନଙ୍କ ମଧ୍ୟରୁ ମା’ରମାଦେବୀଙ୍କ ପ୍ରତିମୂର୍ତ୍ତି ଥିବାବେଳେ ସେଥିରେ ଯେଉଁ ପରିପାଟି ରହିଛି ତାହା ରମାଦେବୀଙ୍କର ନୁହେଁ । ଏହି ପ୍ରତିମୂର୍ତ୍ତିରେ ମା’ରମାଦେବୀ ଯେଭଳି ଶାଢ଼ୀ ପିନ୍ଧିଛନ୍ତି ସେପରି ପରିଧାନ ସେ କେବେ କରନ୍ତି ନାହିଁ । ୧୯୨୧ରୁ ତାଙ୍କ ମହାପ୍ରୟାଣ ୧୯୮୫ ପର୍ଯ୍ୟନ୍ତ ସେ ଖଦୀ ବସ୍ତ୍ର ପରିଧାନ କରୁଥିଲେ ଏବଂ କେବେ କୁଞ୍ଚ କରି ଶାଢ଼ୀ ପିନ୍ଧୁନଥିଲେ ।
୧୯୨୨ରୁ ଲଗାତାର ଭାବେ ସେ ବହୁ ସର୍ବଭାରତୀୟ କଂଗ୍ରେସ ଅଧିବେଶନ, ସେବାଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଆଶ୍ରମରେ ବିଭିନ୍ନ କାର୍ଯ୍ୟକ୍ରମ, ପୌନାରରେ ବିନୋବା ଭାବେଙ୍କ ଆଶ୍ରମରେ ବିଭିନ୍ନ ବୈଠକ, ଜୟପ୍ରକାଶ ନାରାୟଣଙ୍କ ସଂପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନରେ ଅନ୍ୟତମ ସଞ୍ଚାଳିକା ଭାବେ ବିଭିନ୍ନ କାର୍ଯ୍ୟକ୍ରମ, ଏମିତିକି ଓଡ଼ିଶାରେ ଗାନ୍ଧୀଜୀଙ୍କ ପଦଯାତ୍ରା, ଉତ୍କଳମଣି ଗୋପବନ୍ଧୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ, ବଡ଼ବାପା ତଥା ଉତ୍କଳ ଗୌରବ ମଧୁସୂଦନଙ୍କ ସହ ତାଙ୍କର ଥିବା ବିଭିନ୍ନ ଫଟୋଚିତ୍ର, ମଦର ଟେରେସାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଭେଟିବା ସମୟର ଦୃଶ୍ୟରେ କେବେ ହେଲେ ମା’ରମାଦେବୀ କୁଞ୍ଚ କରି ଶାଢ଼ୀ ପିନ୍ଧିଥିବା କେହି ଦେଖିନାହାନ୍ତି । ଏପରିସ୍ଥଳେ ବିଧାନସଭା ପରିସର ନିକଟରେ ମା’ରମାଦେବୀଙ୍କ ମୂର୍ତ୍ତିଟି କୁଞ୍ଚ କରା ଶାଢ଼ୀ ପିନ୍ଧିଲେ କିପରି ବୋଲି କେତେକ ସ୍ଥପତି ମଧ୍ୟ ପ୍ରଶ୍ନ କରୁଛନ୍ତି ।
ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବରୁ ଥିବା ତାଙ୍କ ଆବକ୍ଷ ପ୍ରତିମୂର୍ତ୍ତି ତାଙ୍କ ପରି ହୋଇଥିବା ବେଳେ ପରିବର୍ତ୍ତୀ ସମୟରେ ଏହି ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିବା ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମଧ୍ୟ ସମ୍ବ୍ରାନ୍ତ ଧନୀକ ପରିବାରର ମହିଳାଙ୍କ ଭଳି ଲମ୍ବା କୁଞ୍ଚ ଶାଢ଼ୀ ପିନ୍ଧାଇ ଦିଆଯାଇଛି । ଜମିଦାରୀର ବିଳାସ ବ୍ୟାସନ ଛାଡ଼ି ସେ ସ୍ୱେଚ୍ଛାକୃତ ଦାରିଦ୍ର୍ୟ ବରଣ କରିବା ସହ ସାଧାରଣ ମୂଲିଆଙ୍କ ଭଳି ବିଲରେ କାମ କରୁଥିଲେ । ତେବେ ତାଙ୍କୁ କୁଞ୍ଚକରା ଶାଢ଼ୀ ପିନ୍ଧାଇ ଯେଉଁ ପ୍ରତିମୂର୍ତ୍ତିମାନ ସ୍ଥାପନ କରାଯାଇଛି ତାହା ତାଙ୍କ ସ୍ମୃତି ପ୍ରତି ସମ୍ମାନ ପରିବର୍ତ୍ତେ ଅପମାନ ବୋଲି ଅଭିଯୋଗ ଆସୁଛି ।
ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା ଏକ ଗ୍ୟାଲେରୀରେ ମା’ରମାଦେବୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଏକ ବିଶେଷଜ୍ଞ କମିଟି ତାହାର ଯାଞ୍ଚ କରି ଯେଉଁ ସୁପାରିସ କଲେ ସେହି ଆଧାରରେ ମା’ରମାଦେବୀଙ୍କ ସହିତ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ହରେକୃଷ୍ଣ ମହତାବ ଆଦିଙ୍କ ମୂର୍ତ୍ତିର ପୁନଃ ନିର୍ମାଣ କରାଯାଇଥିଲା ।
ସେହିପରି ଅନୁଗୋଳରେ ନବକୃଷ୍ଣ ଚୌଧୁରୀଙ୍କ ସମେତ ୧୧ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ବିକୃତ ପ୍ରତିମୂର୍ତ୍ତି ଘେନି ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏଗୁଡ଼ିକର ମଧ୍ୟ ପରିବର୍ତ୍ତନ କରାଯାଇଛି । ଏ ପରିପ୍ରେକ୍ଷୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ବିଧାନସଭା ହତା ନିକଟରେ ବସାଯାଇଥିବା ମା’ରମାଦେବୀଙ୍କ ପ୍ରତିମୂର୍ତ୍ତିକୁ ବଦଳାଇବା ପାଇଁ ଦାବି ଜୋର ଧରିଛି । ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଥିବାରୁ ସେମାନେ ମା’ରମାଦେବୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ଅପସାରଣ କରି ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରିବା ଏବଂ ତାଙ୍କର ୧୨୫ତମ ଜନ୍ମବାର୍ଷିକୀକୁ ନାରୀ ଜାଗରଣ ବର୍ଷ ଭାବେ ପାଳନ କରାଯିବା ଦିଗରେ ପଦକ୍ଷେପ ନେବାକୁ ରମାଦେବୀଙ୍କ ଜଣେ ସହକର୍ମୀ ତଥା ଗାନ୍ଧୀ ବିଚାର ଚିନ୍ତକ ପ୍ରହଲାଦ ସିଂହ ନିବେଦନ କରିଛନ୍ତି । (ତଥ୍ୟ)