Home Excise ବିପୁଳ ପରିମାଣର ମଦ ଓ ଟଙ୍କା ଜବତ

ବିପୁଳ ପରିମାଣର ମଦ ଓ ଟଙ୍କା ଜବତ

ଭୁବନେଶ୍ୱର : ବିଶ୍ୱସ୍ତ ସୂଚନା ଆଧାରରେ ବାଲେଶ୍ୱର ଜିଲ୍ଲା ଅବକାରୀ ଅଧିକାରୀମାନେ ବାଲେଶ୍ୱର ଜିଲ୍ଲା ବସ୍ତା ସ୍ଥିତ ହୋଟେଲ ବସୁନ୍ଧରାରେ ଅଚାନକ ଚଢ଼ାଉ କରି ହୋଟେଲ ଭିତରେ ଥିବା ୧୫୦୦ ଲିଟର ବେଆଇନ ମଦ ଓ ନଗଦ ୮,୦୦,୦୦୦ ଟଙ୍କା ଜବତ କରିଛନ୍ତି।

ଏହି ଘଟଣାରେ ବିଭିନ୍ନ ଗ୍ରାମକୁ ବେଆଇନ ମଦ ପରିବହନ ପାଇଁ ବ୍ୟବହୃତ ହେଉଥିବା ୫ଟି ମୋଟରସାଇକେଲ ଓ ୩ଟି ସ୍କୁଟିକୁ ମଧ୍ୟ ଜବତ କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ବେଆଇନ ମଦ କାରବାରରେ ସମ୍ପୃକ୍ତ ରାକେଶ ବେହେରା, ନିତାଇ ଦାସ, ରାଜେଶ ରଞ୍ଜନ ଜେନା, ଧୀରେନ୍ଦ୍ର ବେହେରା, ଅନିଲ ଦାସ, ପ୍ରତାପ ଚନ୍ଦ୍ର ନାୟକ, କାର୍ତ୍ତିକ ରାଉତ, ନବକାନ୍ତ ବେହେରା, ବୁଦ୍ଧିରାମ ଟୁଡୁ ଓ ଲକ୍ଷ୍ମଣ ମୁର୍ମୁ ନାମକ ୧୦ ଜଣଙ୍କୁ ଗିରଫ କରାଯାଇଛି।

ସାମ୍ପ୍ରତିକ ସମୟରେ ଏହି ଚଢ଼ାଉ ସବୁଠାରୁ ସଫଳ ଚଢ଼ାଉ ବୋଲି ବିବେଚନା କରାଯାଏ। ଏହି ଚଢ଼ାଉ ଟିମର ନେତୃତ୍ୱ ନେଉଥିଲେ ନବନିଯୁକ୍ତ ଅବକାରୀ ଉପଅଧୀକ୍ଷକ ସି.ଏଚ୍ ତିରୁପତି । ଏହି ଚଢ଼ାଉରେ ଅବକାରୀ, ମୋବାଇଲ ୟୁନିଟ୍ ର ଇନ୍ସପେକ୍ଟର ସଞ୍ଜିତ ବାର୍ଲା, ସଦର ଅବକାରୀ ନିରୀକ୍ଷକ ଦୀପ୍ତିମୟୀ ସାହୁ ଓ ଅନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ହୋଇଥିଲେ।

ବାଲେଶ୍ୱର ଜିଲ୍ଲା ମୋବାଇଲ ୟୁନିଟ୍ ର ପିଆର ନଂ ୪୧୭/୨୦୨୩-୨୪ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ହୋଟେଲ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ପ୍ରତାପ କେଶରୀ ମହାପାତ୍ର ଓ ପ୍ରଲପ ମହାପାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଟିମ୍ ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି। ଏହି ସଂଗଠିତ ବେଆଇନ ମଦ କାରବାର ଓ ବିତରଣରେ ଆହୁରି ଅନେକ ବ୍ୟକ୍ତି ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହି ବେଆଇନ ମଦ କାରବାରରେ କୌଣସି ଲାଇସେନ୍ସଧାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଅବକାରୀ ଚଢ଼ାଉକୁ ଜୋରଦାର କରାଯାଇଛି ଏବଂ ରାଜ୍ୟରେ ବେଆଇନ ମଦ ମାଫିଆଙ୍କ ନେଟୱାର୍କକୁ ପର୍ଦ୍ଦାଫାସ କରିବା ପାଇଁ ଚଢ଼ାଉ ଜାରି ରହିବ ବୋଲି ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି। ବେଆଇନ ମଦ କାରବାରରେ ଲାଇସେନ୍ସଧାରୀଙ୍କ ସମ୍ପୃକ୍ତି ଜଣାପଡିବାପରେ ଖୋର୍ଦ୍ଧାର ଗୋଟିଏ ଲାଇସେନ୍ସପ୍ରାପ୍ତ ବାର୍ ଆଣ୍ଡ ରେଷ୍ଟୁରାଣ୍ଟ, ଗୋଟିଏ ଓଏସ୍ (ମହୁଆ ମଦ) ଦୋକାନ, ଦୁଇଟି ଦେଶୀ ମଦ ଦୋକାନକୁ ସିଲ୍ କରାଯାଇଛି। ଆଗାମୀ ଦିନରେ ମଦ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ ।