Home News in Odia ବିପର୍ଯ୍ୟୟ ସଚେତନତା ନେଇ ମିନି ମାରାଥନ

ବିପର୍ଯ୍ୟୟ ସଚେତନତା ନେଇ ମିନି ମାରାଥନ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଆଜି ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍‌ ପରିସରରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନକୁ ପୂର୍ବତନ ସାଂସଦ ତଥା ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡ଼ିଏମ୍‌ଏ)ଙ୍କ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଜେନା ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ ।

‘ବିପର୍ଯ୍ୟୟ ଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତି ସ୍ଥାପକତାରେ ଗୋଷ୍ଠୀର ଭୂମିକା’ ବିଷୟକୁ ଗୁରୁତ୍ୱ ଦେଇଥିବା ଏହି ମାରାଥନରେ କ୍ରୀଡ଼ା ଛାତ୍ରାବାସ, କଳିଙ୍ଗ ଷ୍ଟାଡିୟମ୍‌ ଏଚ୍‌ପିସି ଅନ୍ତର୍ଗତ ହକି, ସନ୍ତରଣ, ଆଥଲେଟିକ୍ସ, ଭାରୋତ୍ତୋଳନ ଶୃଙ୍ଖଳର ଅନ୍ତେବାସୀଙ୍କ ସମେତ ଉଭୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଏସ୍‌ଡ଼ିଏମ୍‌ଏର ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୫୦୦ ଜଣ ସାମିଲ ହୋଇଥିଲେ । ମାରାଥନ କଳିଙ୍ଗ ଷ୍ଟାଡିୟମ୍‌ର ୩ ନମ୍ବର ଗେଟ୍‌ରୁ ବାହାରି ଶାସ୍ତ୍ରୀ ନଗର ଛକ, ୧୨୦ ବାଟାଲିୟନ୍‌ ଛକ ଓ ପାୱାର ହାଉସ୍‌ ଦେଇ ରାଜଭବନ ଛକରେ ପହଞ୍ଚିଥିଲା ଓ ସେଠାରୁ କଳିଙ୍ଗ ଷ୍ଟାଡିୟମ୍‌ ଫେରିଥିଲା ।

କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଓଏସ୍‌ଡ଼ି ଶ୍ରୀ ରେଘୁ ଜି, ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା, ଶୁଭ୍ରାଂଶୁ ଶେଖର ମିଶ୍ର, ବିଜୟାନନ୍ଦ ନାୟକ ଏବଂ ଓଏସ୍‌ଡ଼ି ସିଦ୍ଧାର୍ଥ ସାହୁଙ୍କ ସମେତ ଅନ୍ୟଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ବାହୀ ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ସିଜିଏମ୍‌ ସବ୍ୟସାଚୀ ହୋତା, ଧୀରେନ୍ଦ୍ର କୁମାର ସାହୁ, ଡିଜିଏମ୍‌ ସୁନୀଲ କୁମାର ସାହୁ, ଜୟଜଗତ ସାହୁ, ଉପଶାସନ ସଚିବ ରବି ବାରିକ ଏବଂ ବିଶ୍ୱନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।