ଭୁବନେଶ୍ୱର : ଜାତୀୟ ରାଜପଥର ରକ୍ଷଣା ବେକ୍ଷଣ ଓ ମରାମତିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବାବେଳେ ଖୋଦ୍ କଟକ-ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ରାଜପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାରେ ଲାଗିଛି । ଏହି ରାସ୍ତାଦେଇ ମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ଅଫିସରଙ୍କ ପର୍ଯ୍ୟନ୍ତ ଦୈନିକ ଲକ୍ଷ ଲକ୍ଷ ଲୋକ ଯାଉଥିବାବେଳେ ଏଥିପ୍ରତି କିନ୍ତୁ କାହାରି ଦୃଷ୍ଟି ପଡୁନାହିଁ ।
୧୬ ନମ୍ବର ଜାତୀୟ ରାଜପଥର ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ରାସ୍ତା ଏବେ ଅତ୍ୟନ୍ତ ଦୟନୀୟ । ଅନେକ ସ୍ଥାନରେ ପରସ୍ତ ପରସ୍ତ ପିଚୁ ଉଠିଲାଣି । ରାସ୍ତା ମଝିରେ ଛୋଟ ବଡ ଖାଲଖମା । ଫ୍ଲାଇଓଭରଗୁଡିକରେ ମଧ୍ୟରେ ପିଚୁ ଉଠି କେତେକ ସ୍ଥାନରେ ଲୁହା ରଡ୍ ଦେଖିବାକୁ ମିଳୁଛି । ବହୁ ସ୍ଥାନରେ ରାସ୍ତାରୁ ପିଚୁ ଉଠିଯିବା ଫଳରେ ଗୋଡି ବାହାରି ଛଞ୍ଚାଡି ହୋଇ ପଡୁଛି । ଏଥିଯୋଗୁଁ ବିଶେଷ ଭାବରେ ଦୁଇ ଚକିଆ ଆରୋହୀମାନେ ସମସ୍ୟାରେ ପଡୁଛନ୍ତି ।
ପଳାଶୁଣି ନିକଟରେ ଏହି ଜାତୀୟ ରାଜପଥର ସ୍ଥିତି କୌଣସି ଗାଁ ଗହଳି ରାସ୍ତାଠାରୁ କମ୍ ନୁହେଁ । ଭୁବନେଶ୍ୱରରୁ କଟକ ପଟକୁ ଯାଇଥିବା ରାସ୍ତାର ପଳାଶୁଣି, ସପ୍ତସତୀ ମନ୍ଦିର, ହଂସପାଳ, ନଖରା ଆଦି ସ୍ଥାନରେ ରାସ୍ତାରୁ ଅଧିକାଂଶ ସ୍ଥାନରେ ପିଚୁ ଉଠିଗଲାଣି । ଏଥିଯୋଗୁଁ ଚାରିଚକିଆ ଯାନଗୁଡିକ ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ଯାଉଛନ୍ତି । ରାସ୍ତା ଫାଙ୍କା ଥିଲେ ମଧ୍ୟ ଚାଳକମାନେ ଗାଡିର ବେଗ ବଢାଇବାକୁ ଡରୁଛନ୍ତି ।
ଟ୍ରକ, ବସ୍ ଆଦିର ବଡ ବଡ ଚକ ଯୋଗୁଁ କୌଣସି ପ୍ରକାରେ ଏହି ରାସ୍ତା ପାର୍ ହେଉଥିବାବେଳେ ଛୋଟ ଚାରି ଚକିଆଯାନ ପାଇଁ ଏହି ୧୬ନମ୍ବର ଜାତୀୟ ରାଜପଥ ଧିରେ ଧିରେ ମୃତ୍ୟୁଯନ୍ତା ପାଲଟିବାରେ ଲାଗିଛି । ବିଶେଷକରି ଦୁଇ ସହରକୁ ସଂଯୋଗ କରୁଥିବା ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ଫ୍ଲାଇଓଭର ଉପରୁ ପିଚୁ ଉଠିବାରେ ଲାଗିଛି । ଫଳରେ ଖାଲରେ ପଡିବାରୁ ବର୍ତ୍ତିବାକୁ ଗାଡି ଚାଳକମାନେ ସର୍ପିଳ ଗତିରେ ଗାଡି ଚାଳନା କରୁଛନ୍ତି ଯାହା କି ଅନ୍ୟ ଚାଳକମାନଙ୍କ ବିପଦ ସୃଷ୍ଟି କରୁଛି ।
ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦପ୍ତର ରାଜଧାନୀରେ ଥିବାବେଳେ ଏହାର ଉପରୁ ତଳ ପର୍ଯ୍ୟନ୍ତ ଅନେକ ଅଧିକାରୀ ଓ କର୍ମଚାରୀ ଏହି ରାସ୍ତା ଦେଇ ଯା ଆସ କରୁଛନ୍ତି । ଏହାଛଡା ଏହି ରାଜପଥର ସୀମା ମଧ୍ୟ ଦୁଇଟି ଲୋକସଭା ସାଂସଦଙ୍କ କ୍ଷେତ୍ରରେ ଆସୁଛି । ଏଥି ସହିତ ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ବଡ ବଡ ଅଧିକାରୀଙ୍କର ଏହା ନିତିଦିନିଆ ରାସ୍ତା । ଦ୍ୱୈତନଗରୀର ଏହି ମୁଖ୍ୟ ସଂଯୋଗକାରୀ ରାଜପଥର ଅବସ୍ଥା ଦିନକୁ ଦିନ ବିଗୁଡୁଥିବାବେଳେ ସମସ୍ତଙ୍କ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଉଲ୍ଲେଖନୀୟ ଯେ କଟକ-ସମ୍ବଲପୁର ଜାତୀୟ ରାଜପଥର ରକ୍ଷଣା ବେକ୍ଷଣ ଓ ମରାମତିକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଏବେ ଜୋର ଧରିଛି । ଏହି ରାଜପଥର ଦୁରବସ୍ଥା ପାଇଁ ବିଜେଡି ବିଜେପି ଉପରେ ଦୋଷ ଲଦୁଥିବାବେଳେ ବିଜେପି ମଧ୍ୟ ଏହି ସଡକ ସମସ୍ୟା ନେଇ କେନ୍ଦ୍ର ରାଜପଥ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଭଳି ସ୍ଥଳେ ରାଜ୍ୟ ରାଜଧାନୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ସଂକ୍ରାନ୍ତରେ ସମସ୍ତଙ୍କ ନିରବତା ଏବେ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିବାରେ ଲାଗିଛି । (ତଥ୍ୟ)