ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠରେ ଭୟାବହ ଅଗ୍ନିକାଣ୍ଡରେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରାୟ ୨୦ ଘଣ୍ଟା ଧରି ଜଳିବା ଘଟଣା ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ରାଜଧାନୀ ସମେତ ରାଜ୍ୟର ବହୁ ଅଞ୍ଚଳରେ ଅନେକ ଆପାର୍ଟମେଣ୍ଟ ଓ ବ୍ୟବସାୟିକ ପ୍ରତିଷ୍ଠାନର ବିଶାଳ ସୌଧରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି କି ନାହିଁ ଏବଂ ଏଗୁଡ଼ିକୁ ବ୍ୟବହାର କରିବା ପାଇଁ ଅଗ୍ନିଶମ ସଂସ୍ଥା ପ୍ରମାଣପତ୍ର ଦେଇଛି କି ନାହିଁ ସେଥିଘେନି ପୁଣି ଖୋଳତାଡ଼ ଆରମ୍ଭ ହୋଇଛି ।
କେବଳ ସେତିକି ନୁହେଁ, କଟକରେ ଏକ ପୁରୁଣା ଆପାର୍ଟମେଣ୍ଟର ବାଲ୍କୋନି ଭୁଶୁଡ଼ି କିଛି ଲୋକ ମୃତାହାତ ହେବା ପରେ ବିପସସଂକୁଳ କୋଠା ପ୍ରସଂଗ କିଛିଦିନ ପାଇଁ ଚର୍ଚ୍ଚାରେ ରହିଥିଲା । ଏବେ ବି ଭୁବନେଶ୍ୱର-କଟକ ସମେତ ବିଭିନ୍ନ ଅଞ୍ଚଳରେ ମାଳମାଳ ସରକାରୀ ଓ ବେସରକାରୀ ବିପଦସଂକୁଳ ସୌଧ ଥିବାବେଳେ ସେଗୁଡ଼ିକୁ ଭଙ୍ଗାଯାଉ ନାହିଁ । କେବଳ ସେତିକି ନୁହେଁ, ଅନେକ ଆପାର୍ଟମେଣ୍ଟ ଓ ବଡ଼ବଡ଼ ସୌଧର ଚାରିପଟେ ଅଗ୍ନିଶମ ଗାଡ଼ି ବୁଲି ପାରିବା ଭଳି ବ୍ୟବସ୍ଥା ମଧ୍ୟ ନାହିଁ । ଏଭଳି ସୌଧ ନିର୍ମାଣ ପାଇଁ କିପରି ସିଡିଏ ଓ ବିଡିଏ ଭଳି ସଂସ୍ଥାମାନେ ଅନୁମତି ଦେଲେ ଏବଂ ସେମାନେ କିପରି ଅଗ୍ନି ନିରାପତ୍ତା ଯାଞ୍ଚ ସାର୍ଟିଫିକେଟ୍ ହାସଲ କଲେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
କିଛିବର୍ଷ ତଳେ ଦିଲ୍ଲୀ ଉପକଣ୍ଠରେ ଥିବା ନୋଏଡ଼ା ଅଞ୍ଚଳରେ କେତେକ ବଡ଼ବଡ଼ ଆପାର୍ଟମେଣ୍ଟକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା । ଏହି ଆପାର୍ଟମେଣ୍ଟଗୁଡ଼ିକ ଯୋଗୁ ଆଖପାଖରେ ଥିବା ବାସଗୃହଗୁଡ଼ିକୁ ଆଲୋକ ଓ ଉତ୍ତାପ ପ୍ରବେଶ କରିବାରେ ବାଧା ସୃଷ୍ଟି ହେଉଥିଲା । ଏଭଳି ସ୍ଥିତି ଭୁବନେଶ୍ୱର ସମେତ ସାରା ଓଡ଼ିଶାର ବହୁ ସ୍ଥାନରେ ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ ।
ବିଶେଷକରି ବିଡିଓ ଓ ସିଡିଏ ଅଞ୍ଚଳରେ ଯେଉଁମାନଙ୍କର ନିଜସ୍ୱ ବାସଗୃହ କି ଜମିଜମା ନାହିଁ ସେମାନେଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ସରକାର ଅତି ଶସ୍ତା ଦରରେ ଆବାସିକ ପ୍ଲଟମାନ ଯୋଗାଇଥିଲେ । ଏହି ପ୍ଲଟଗୁଡ଼ିକ ବ୍ୟବସାୟିକ କାର୍ଯ୍ୟରେ ବିନିଯୋଗ ହେବା କଥା ନୁହେଁ । କିନ୍ତୁ ବହୁସ୍ଥଳରେ ଅନେକ ପ୍ଲଟ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି । ଏମିତିକି ଏହି ଛୋଟଛୋଟ ଆବାସିକ ପ୍ଲଟ ମଧ୍ୟରୁ ଅନେକରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ନିର୍ମିତ ହେଉଥିବାବେଳେ ବିଡିଓ ଓ ସିଡିଏ ଆଦି କେବଳ ଆଖିବୁଜି ଦେଉନାହାନ୍ତି, ଏହି ଆପାର୍ଟମେଣ୍ଟ ଲାଗି ପ୍ଲାନ ଅନୁମୋଦନ କରୁଛନ୍ତି ମଧ୍ୟ ।
ଅଭିଯୋଗ ହେଉଛି ଯେ ବିଡିଓ ଓ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଆଦି ରଜାଧାନୀର ବିଭିନ୍ନ ଅଞ୍ଚଳରେ ନିମ୍ନ ଆୟକାରୀ ବର୍ଗଙ୍କଠାରୁ ଉଚ୍ଚ ଆୟକାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀ ପାଇଁ ଗୃହ ନିର୍ମାଣ କରି ସ୍ୱଳ୍ପ ମୂଲ୍ୟରେ ଯୋଗାଇଛନ୍ତି । ଏଥିପାଇଁ ରାସ୍ତାଘାଟ, ବିଦ୍ୟୁତ, ସ୍ୱରେଜ୍, ଡ୍ରେନେଜ୍ ଆଦି ମଧ୍ୟ ହୋଇଛି । ତେବେ ବହୁ ସ୍ଥଳରେ ବିଡିଓ ଓ ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମିତ ଘରକୁ ଭାଙ୍ଗି କିମ୍ବା ଏହାର ପ୍ଲାନ ବଦଳାଇ ବି ବଡ଼ବଡ଼ ଘରମାନ ମୁଣ୍ଡ ଟେକିବା ଫଳରେ ରାସ୍ତାଘାଟଠାରୁ ଆରମ୍ଭ କରି ସ୍ୱରେଜ ସମସ୍ୟା ଉପୁଜୁଛି । ସେହିଭଳି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆବଣ୍ଟନ କରାଯାଇଥିବା ଆବାସିକ ପ୍ଲଟଗୁଡ଼ିକରେ ବି କିଭଳି ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ମୁଣ୍ଡ ଟେକୁଛି ତାହା ଏକ ପ୍ରଶ୍ନବାଚୀ । ଇତିମଧ୍ୟରେ ସରକାରଙ୍କ ଦ୍ୱାରା ନିର୍ମିତ କେତେକ ଦପ୍ତର ଓ ବ୍ୟବସାୟିକ ଅଞ୍ଚଳର ଗୃହଗୁଡ଼ିକୁ ବିପଦସଂକୁଳ ଘୋଷଣା କରାଯାଉଥିଲେ ବି ସେଗୁଡ଼ିକ ବ୍ୟବହୃତ ହେଉଛି । ଏବେଠାରୁ ଏହାର ପ୍ରତିକାର କରାନଗଲେ ଭବିଷ୍ୟତରେ ବଡ଼ଧରଣର ଅଘଟଣ ଘଟିପାରେ ବୋଲି ଅଭିଯୋଗ ହେଉଛି । (ତଥ୍ୟ)

