Home Environment ବିପଦଜନକ ସ୍ତରରେ ବାୟୁ ଗୁଣମାନ

ବିପଦଜନକ ସ୍ତରରେ ବାୟୁ ଗୁଣମାନ

ଭୁବନେଶ୍ୱର : ଓଡିଶାର ପ୍ରମୁଖ ସହରଗୁଡିକରେ ବାୟୁର ଗୁଣବତ୍ତା ବିପଦଜନକ ସ୍ତରରେ ରହୁଥିବାବେଳେ ଫୁସ୍‍ଫୁସ୍‍ ଜନିତ ସମସ୍ୟା ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କ ଠାରେ ପରିଲକ୍ଷିତ ହେଉଛି । ଚିକିତ୍ସା ବିଜ୍ଞାନୀମାନେ ଏହା ସ୍ୱୀକାର କରୁଛନ୍ତି ।

ଦେଶର ରାଜଧାନୀ ନୂଆଦିଲ୍ଲୀରୁ ବାୟୁର ଗୁଣବତ୍ତା ବା ଏୟାରୁ କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁୱାଇ) ଢେର ଅଧିକ ରହୁଥିବାରୁ ସୁପ୍ରିମ୍‍କୋର୍ଟ ଉଦବେଗପ୍ରକାଶ କରିଛନ୍ତି । ଦିଲ୍ଲୀରେ ଏହା ପ୍ରାୟ ୪୦୦ ରହୁଥିବାବେଳେ ତାହାର ଆଖପାଖ ସହରରେ ବି ଏକ୍ୟୁୱାଇ ପରିମାଣ ୩୦୦ ରୁ ୪୦୦ ପର୍ଯ୍ୟନ୍ତ ରହୁଛି ।

ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏକ୍ୟୁୱାଇ ପରିମାଣ ୧୫୦ ରୁ ୨୦୦ ପର୍ଯ୍ୟନ୍ତ ରେକର୍ଡ ପର୍ଯ୍ୟନ୍ତ ରହୁଥିବା ପରିବେଶ ବିଶେଷଜ୍ଞମାନେ କହୁଛନ୍ତି । ଏକ୍ୟୁୱାଇ ପରିମାଣ ୧୦୦ ରୁ ତଳକୁ ରହିଲେ ଚଳନୀୟ ଓ ୬୦ରୁ ତଳକୁ ରହିଲେ ଏହା ସର୍ବୋତ୍ତମ ବୋଲି କୁହାଯାଇଥାଏ ।

କେବଳ ଭୁବନେଶ୍ୱର ନୁହେଁ, ଅନୁଗୁଳ, ଝାରସୁଗୁଡା, ରାଉରକେଲା, ତାଳଚେର ଭଳି ସହରାଞ୍ଚଳରେ ମଧ୍ୟ ଏକ୍ୟୁୱାଇ ବିପଦଜନକ ସ୍ତରରେ ରହୁଛି । ବିଶେଷକରି ଖଣି ଖାଦାନ,କଳକାରଖାନା ଏବଂ ଅଧିକ ସଂଖ୍ୟକ ମୋଟରଗାଡି ଚାଲୁଥିବା ଅଞ୍ଚଳରେ ଏକ୍ୟୁୱାଇ ବପଦଜନକ ସ୍ତରରେ ରହୁଛି । ଏହାଛଡା ରାସ୍ତା ସଫେଇ ସମୟରେ ଯେଉଁ ଧୂଳି ଉଡୁଛି ତାହା ବି କ୍ଷତିକାରକ ହେଉଛି । ବିଭିନ୍ନ ସ୍ଥାନରେ ଚାଲୁଥିବା କ୍ରସରଗୁଡିକ ବି ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ହେଉଛନ୍ତି ।

ପରିବେଶବିତ୍‍ମାନେ କହୁଛନ୍ତି ଯେ ଭୁବନେଶ୍ୱର ସମେତ ବିଭିନ୍ନ ସହରାଞ୍ଚଳରେ ଚାଲୁଥିବା ରାସ୍ତାଘାଟ ଠାରୁ ଆପାର୍ଟମେଣ୍ଟ ନିର୍ମାଣ ଯୋଗୁଁ ବାୟୁମଣ୍ଡଳରେ ଧୂଳି ଭର୍ତ୍ତି ହୋଇଯାଉଛି । ନିୟମାନୁଯାୟୀ ଯେଉଁ ସ୍ଥାନରେ ନୂଆ ଘର କିମ୍ବା ଆପାର୍ଟମେଣ୍ଟ ଆଦି ତିଆରି ହେଉଛି ସେଠାରେ ଚାରିପଟୁ ଜରିପାଲ ଦ୍ୱାରା ଆବଦ୍ଧ କରାଯାଇ ଗୁଣ୍ଡ ଉଡିବାକୁ ରୋକାଯିବା ଆବଶ୍ୟକ । ଯେଉଁମାନେ ଏହାର ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ସହିତ ନିର୍ମାଣ ବନ୍ଦ କରାଇବା ପାଇଁ ବ୍ୟବସ୍ଥା ରହିଛି । ତେବେ ନଗର ଉନ୍ନୟନ ବିଭାଗ ସମେତ ବିଏମସି, ବିଡିଏ ଓ ଅନୁରୂପ ଅନ୍ୟ ସଂସ୍ଥାମାନେ ଏହା ଉପରେ ବିଶେଷ ଗୁରୁତ୍ୱ ଦେଉନଥିବାରୁ ଏହି ନିର୍ମାଣସ୍ଥଳୀର ଗୁଣ୍ଡ ପ୍ରଭାବରେ ଆଖପାଖର ନିରିହ ଲୋକମାନେ ବିଭିନ୍ନ ରୋଗରେ ପଡୁଛନ୍ତି ।

ବିଶେଷକରି ଶୀତଦିନେ ବାୟୁମଣ୍ଡଳରେ କୁହୁଡିର ପ୍ରଭାବ ରହିବା ଫଳରେ ଧୂଳିକଣା ଦୀର୍ଘସମୟ ଧରି ଜମାଟବାନ୍ଧି ରହିଥାଏ । ଏହି ପ୍ରଦୂଷିତ ବାୟୁ ସେବନ କଲେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଉପୁଜେ । ଏହାର ପ୍ରତିକାର ପାଇଁ ଲୋକେ ମାସ୍କ ବ୍ୟବହାର କରିବାକଥା । କିନ୍ତୁ ଏ ସଂକ୍ରାନ୍ତରେ ଜନସଚେତନତା ଅଭାବ ସହିତ ନିର୍ମାଣକାରୀ ଓ ତଦନ୍ତକାରୀ ସଂସ୍ଥାଗୁଡିକର ଖାମଖିଆଲ ମନୋଭାବ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡୁଛି ।
ଏଠାରେ ଉଲ୍ଲେଖନୀୟ ଯେ ବାୟୁ ପ୍ରଦୂଷଣ ରୋକାନଯିବା ସମ୍ବିଧାନର ୨୧ ଧାରାରେ ଉଲ୍ଲେଖ ଥିବା ବଞ୍ଚିବାର ଅଧିକାରକୁ ଉଲ୍ଲଙ୍ଘନ କରିଥାଏ ବୋଲି ସୁପ୍ରିମକୋର୍ଟ ବାରମ୍ବାର କହିଆସୁଛନ୍ତି । ବଞ୍ଚିବାର ଅଧିକାର ମଧ୍ୟରେ ଲୋକେ ପ୍ରଦୂଷଣ ମୁକ୍ତ ବାୟୁ ଓ ଜଳ ଯେପରି ପାଆନ୍ତି ତାହା ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକ କର୍ତ୍ତବ୍ୟ । (ତଥ୍ୟ)