Home Finance ବିନିଯୋଗ ପ୍ରମାଣପତ୍ର ତୁରନ୍ତ ଦିଅ

ବିନିଯୋଗ ପ୍ରମାଣପତ୍ର ତୁରନ୍ତ ଦିଅ

ଭୁବନେଶ୍ୱର : ୨୦୨୩-୨୪ ବର୍ଷ ରେ ପୁଞ୍ଜି ବ୍ୟୟ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା (ଏସଏଏସସିଆଇ) ଅଧୀନରେ ପ୍ରଦାନ କରାଯାଇଥିବା ପାଣ୍ଠିର ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାକୁ ଅନେକ ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି । ବଜେଟ୍ ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ, ଗୃହ, ଶିଳ୍ପ, ପରିବହନ, ପୂର୍ତ୍ତ, ଶକ୍ତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯୋଜନାର ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଥିବା ପାଣ୍ଠିର ଶୀଘ୍ର ୟୁସି ଦାଖଲ କରିବାକୁ କହିଛନ୍ତି ।

୨୦୨୩-୨୪ ପୁଞ୍ଜି ବ୍ୟୟ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନାର ପ୍ରଥମ ପର୍ଯ୍ୟାୟରେ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଛି ବୋଲି ଶ୍ରୀ ରଥ କହିଛନ୍ତି । ବ୍ୟୟକୁ ସୁଗମ କରିବା ପାଇଁ ୨୦୨୩-୨୪ ବଜେଟ୍ ଆକଳନରେ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରାଯାଇଛି ଏବଂ ୨୦୨୩ ଜୁନ୍ ରେ ୩୦୧୮.୬୬ କୋଟି ଟଙ୍କା (୬୬.୬୭%) ପ୍ରଥମ କିସ୍ତି ଜାରି କରାଯାଇଥିଲା । ଏସଏସିଆଇ ୨୦୨୩-୨୪ ଅଧୀନରେ ଦ୍ୱିତୀୟ କିସ୍ତି ପ୍ରଦାନ ପାଇଁ ୨୦୨୩ ନଭେମ୍ବର ଶେଷ ସୁଦ୍ଧା ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଥିବା ଅର୍ଥର ଅତି କମରେ ୭୫% ଅର୍ଥ ମନ୍ତ୍ରଣାଳୟ, ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାକୁ ପଡ଼ିବ ।

ତେବେ କେନ୍ଦ୍ରଠାରୁ ସ୍ୱତନ୍ତ୍ର ସହାୟତା ମିଳିବା ଆଶାରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ୧୫୦୯.୩୪ କୋଟି ଟଙ୍କା (୩୩.୩୩%) ପାଣ୍ଠିର ଦ୍ୱିତୀୟ କିସ୍ତି ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରଦାନ କରାଯାଇଛି ବୋଲି ବଜେଟ୍ ନିର୍ଦ୍ଦେଶକ କହିଛନ୍ତି । ୨୦୨୪ ମାର୍ଚ୍ଚ ୩୧ ପୂର୍ବରୁ ଚିହ୍ନଟ ହୋଇଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ପାଇଁ ଚଳିତ ଆର୍ଥିକ ବର୍ଷରେ ୪,୫୨୮ କୋଟି ଟଙ୍କାର ପୁଞ୍ଜି ବ୍ୟୟ ବରାଦ କରାଯିବ ।

ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଥିବା ପାଣ୍ଠି ବିରୋଧରେ ୟୁସିକୁ ଭାରତ ସରକାରଙ୍କ ନିକଟରେ ଦାଖଲ କରିବା ପାଇଁ ଖୁବ୍ ଶୀଘ୍ର ୟୁସି ଦାଖଲ କରିବାକୁ ଶ୍ରୀ ରଥ ବିଭାଗଗୁଡ଼ିକୁ ଅନୁରୋଧ କରିଥିଲୋ ଏହାବ୍ୟତୀତ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା ଅଧୀନରେ ପାଣ୍ଠି ପ୍ରଦାନ କରାଯାଉଥିବା ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗଗୁଡ଼ିକୁ ନିର୍ଦେଶ ଦିଆଯାଇଛି ।

ପତ୍ର ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର ସହାୟତା ଯୋଜନାରେ ଜଳସମ୍ପଦ ବିଭାଗକୁ ସର୍ବାଧିକ ୧୬୭୦.୩୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୮୨୮.୪୧ କୋଟି ଟଙ୍କା, ଶକ୍ତି ବିଭାଗକୁ ୬୯୯.୨୩ କୋଟି ଟଙ୍କା ଏବଂ ପୂର୍ତ୍ତ ବିଭାଗକୁ ୪୬୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେହିପରି ଗୃହ ଓ ନଗର ଉନ୍ନୟନ, ପରିବହନ, ଶିଳ୍ପ ଓ ଗୃହ ବିଭାଗ ପକ୍ଷରୁ ଚଳିତ ବର୍ଷ ଯଥାକ୍ରମେ ୪୦୦ କୋଟି, ୨୦୦ କୋଟି, ୧୯୬.୬୮ କୋଟି ଓ ୯୫.୩୩ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯାଇଛି । (ତଥ୍ୟ)