ଭୁବନେଶ୍ୱର : ନିରକ୍ଷତା ଦୂର ପାଇଁ କାର୍ଯ୍ୟକାରୀ ହେଉଥିବା ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ରାଜ୍ୟରେ ବିଳମ୍ବରେ ଆରମ୍ଭ ହୋଇଛି । ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ବି ଏହା ସଠିକ ଭାବେ ଆରମ୍ଭ ହୋଇପାରି ନାହିଁ । ଚାରିବର୍ଷ ପରେ ଜିଲ୍ଲା ସ୍ତରୀୟ ବାବୁମାନେ ତାଲିମ ନେଉଥିବାବେଳେ ନିରକ୍ଷରମାନେ କିନ୍ତୁ ଆସନ୍ତା ମାସରେ ପରୀକ୍ଷାରେ ବସିବାକୁ ସ୍ଥିର ହୋଇଛି ।
ଆକଳନ ଅନୁଯାୟୀ ଓଡିଶାରେ ୯୨ଲକ୍ଷ ନିରକ୍ଷର ରହିଛନ୍ତି । ଏମାନଙ୍କୁ ଲେଖାପଢା ଶିଖାଇବାପାଇଁ ଚଳାଯାଉଛି ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଓଡିଶାରେ ୨୦୨୨ ମସିହାରେ ୫ବର୍ଷ ପାଇଁ କାର୍ଯ୍ୟକାରୀ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହା ଠିକଣା ଭାବେ ଚଳାଯାଇ ପାରିନାହିଁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶ।।ଳୟ ହାତରେ ଏହି କାର୍ଯ୍ୟକ୍ରମ ରହିଛି ।
କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ ଜିଲ୍ଲା ସ୍ତରର ଅଧିକାରୀମାନେ ତାଲିମ ନେବେ । ସେମାନେ ବ୍ଲକ ଓ କ୍ଲଷ୍ଟର ସ୍ତରର ପ୍ରଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରିବେ । ତାଲିମ ଗ୍ରହଣକାରୀମାନେ ନିରକ୍ଷରଙ୍କୁ ପାଠ ପଢାଇ ସାକ୍ଷର କରିବେ । ଏଥିପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ ଓ ପଠନ ସାମଗ୍ରୀ ଯୋଗାଇ ଦିଆଯିବ । ଏହି ଯୋଜନାର ଅବଧି ୨୦୨୭ରେ ସରିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା କେବଳ ଜିଲ୍ଲା ସ୍ତରର ଅଧିକାରୀଙ୍କ ତାଲିମରେ ଏହା ସୀମିତ ରହିଛି । ତଳ ସ୍ତରର ଅଧିକାରୀମାନେ କେବେ ତାଲିମ ପାଇବେ ତାହା କେହି କହିପାରୁ ନାହାନ୍ତି ।
ଅନ୍ୟ ପକ୍ଷରେ ଧାର୍ଯ୍ୟ ସମୟସୀମା ଆଧାରରେ ଆସନ୍ତା ମାସରେ ନବ ସାକ୍ଷରଙ୍କୁ ପରୀକ୍ଷାରେ ବସାଇବାପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ତେବେ ଏମାନେ ପାଠ ପଢିନଥିବାବେଳେ ପାଠ୍ୟ ପୁସ୍ତକ ଦେଖିନଥିବାବେଳେ କିଭଳି ପରୀକ୍ଷାରେ ବସିବେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ବଡକଥା ହେଲା ବର୍ତ୍ତମାନ ସୁଦ୍ଧା ଏମାନଙ୍କ ପାଇଁ ପାଠ୍ୟ ପୁସ୍ତକ ଛପାଯାଇ ନାହିଁ ।
ଏଭଳି ଏକ ଯୋଜନାକୁ କାର୍ଯକାରୀ ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଥିବାବେଳେ ରାଜ୍ୟରେ କାହିଁକି ଏହା ବିଳମ୍ବ ହୋଇଛି ତାହା ବଡ ପ୍ରଶ୍ନବାଚୀ । ପାଖାପାଖି କୋଟିଏ ଲୋକ ନିରକ୍ଷର ହେଲେ ସେମାନେ କିଭଳି ସରକାରୀ ଯୋଜନାରୁ ଲାଭ ଉଠାଇବେ ଓ ନିଜ ନିଜ ପିଲାଙ୍କୁ ସାକ୍ଷର କରିବେ ତାହାକୁ ନେଇ କର୍ତ୍ତୃପକ୍ଷ ଚିନ୍ତିତ । ଚାରିବର୍ଷ ତଳୁ ରାଜ୍ୟରେ ଯୋଜନା ଆରମ୍ଭ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହା ଉପରେ ସେଭଳି ଗୁରୁତ୍ୱ ଦିଆଯାଉ ନାହିଁ । ପୂର୍ବରୁ ରାଜ୍ୟରେ ସାକ୍ଷରତା କାର୍ଯ୍ୟକ୍ରମ ଚଳାଉଥିବା ରାଜ୍ୟ ଜନ ଶିକ୍ଷା ସାଧନ କେନ୍ଦ୍ରରେ ପୂର୍ବ ସରକାର ତାଲା ପକାଇ ଦେଇଛନ୍ତି । ଏପରିକି ଏହି ସଂସ୍ଥାର ଘରକୁ ବି ଭଡା ଦେଇଦେଇଛନ୍ତି । ବର୍ତ୍ତମାନ ସାକ୍ଷରତା ଯୋଜନା ଚଳାଇବାପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହେଉଥିବାବେଳେ ଏହା କେତେଦୂର ସଫଳତା ଲାଭ କରିବ ଓ ରାଜ୍ୟ କେବେ ଶତ ପ୍ରତିଶତ ସାକ୍ଷରତା ହାସଲ କରିବ ତାହା ବଡ ପ୍ରଶ୍ନବାଚୀ ହୋଇଛି ।(ତଥ୍ୟ)