Home Health ବିନା କାମରେ ବୁଲୁଛନ୍ତି ୧୧୧ ଡାକ୍ତର

ବିନା କାମରେ ବୁଲୁଛନ୍ତି ୧୧୧ ଡାକ୍ତର

ଭୁବନେଶ୍ୱର : ରାଜ୍ୟରେ ୧୧୧ଜଣ ଡାକ୍ତର ସରକାରୀ ଚାକିରିରେ ଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ଏମାନଙ୍କ ମଧ୍ୟରୁ ୨୪ଜଣ ରିଲିଭ୍‍ ହୋଇସାରିବା ପରେ ପରବର୍ତ୍ତୀ ସ୍ଥାନରେ ଯୋଗ ନ ଦେଇ ଅନୁପସ୍ଥିତ ରହିଥିବା ବେଳେ ୮୭ଜଣ ଡାକ୍ତର ଦୀର୍ଘ ଛୁଟି କିମ୍ବା କାହାକୁ କିଛି ନ ଜଣାଇ ଅନୁପସ୍ଥିତ ଅଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଦେଇଥିବା ଉତ୍ତରରୁ ଏହା ଜଣାପଡିଛି । ମନ୍ତ୍ରୀ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ମୋଟ ୮୭୫୦ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ଏଥିରେ ୩୭୮୮ଜଣ କାର୍ଯ୍ୟରତ ଅଛନ୍ତି । ୧୧୧ ଜଣଙ୍କର ଦେଖାଦର୍ଶନ ମିଳୁନି ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ ୮୭୫୦ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ଥିବାବେଳେ ଏଥିରୁ ୩୫୭୯ଟି ପଦବୀ ଖାଲି ପଡିଛି । ଯାହାକି ମୋଟ ପଦବୀର ପ୍ରାୟ ୪୧ ପ୍ରତିଶତ । ତେବେ ରାଜ୍ୟରେ ଯେଉଁ ୫୧୭୧ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ସେମାନଙ୍କ ମଧ୍ୟରେ ନିୟମିତ ଡାକ୍ତରଙ୍କ ସଂଖ୍ୟା ୩୮୯୯ଜଣ ଥିବାବେଳେ ୩୫ଜଣ ଆଡହକ୍‍, ୧୦୨ଜଣ ପୋଷ୍ଟ ପିଜି, ୧୦୫ଜଣ ଠିକା, ୭୮ଜଣ ଡିଏମଏଫ୍‍ ଦ୍ୱାରା ନିଯୁକ୍ତ ହୋଇଥିବା ବେଳେ ୩ଜଣ କର୍ପସ ପାଣ୍ଠି ଅଧୀନରେ ନିଯୁକ୍ତ ହୋଇଛନ୍ତି । ତେବେ ଏହି ୫୧୭୧ଜଣ ଡାକ୍ତରଙ୍କ ମଧ୍ୟରୁ ୧୧୧ଜଣ କାର୍ଯ୍ୟରେ ଅନୁପସ୍ଥିତ ଅଛନ୍ତି ।

ମନ୍ତ୍ରୀ ଦେଇଥିବା ଉତ୍ତର ଅନୁଯାୟୀ ସର୍ବାଧିକ ପ୍ରାୟ ୬୭ ପ୍ରତିଶତ ଡାକ୍ତର ପଦବୀ ଦେବଗଡ ଜିଲ୍ଲାରେ ଖାଲି ପଡିଛି । ଏହି ଜିଲ୍ଲାରେ ମଞ୍ଜୁରୀପ୍ରାପ୍ତ ୧୦୬ ପଦବୀ ମଧ୍ୟରୁ ମାତ୍ର ୨୬ଜଣ ନିୟମିତ ଡାକ୍ତର ଅଛନ୍ତି । ଜିଲ୍ଲାରେ ମୋଟ ୩୫ଜଣ ଡାକ୍ତର ଥିବାବେଳେ ୭୧ଟି ପଦବୀ ଖାଲି ପଡିଛି । ସେହିଭଳି ନବରଙ୍ଗପୁର ଜିଲ୍ଲାରେ ୯୯ଜଣ ଡାକ୍ତର ଥିବାବେଳେ ୧୫୪ ପଦବୀ ଖାଲି ଅଛି । ଏହି ୯୯ଜଣ ଡାକ୍ତରଙ୍କ ମଧ୍ୟରୁ ୮୪ଜଣ ନିୟମିତ ଡାକ୍ତର ହୋଇଥିବା ବେଳେ ଜଣେ ଆଡହକ୍‍ ଓ ୧୪ଜଣ ଠିକା ଡାକ୍ତର ଅଛନ୍ତି ।

ସୁନ୍ଦରଗଡ ଜିଲ୍ଲାରେ ୧୮୭ଜଣ ଡାକ୍ତର ଥିବାବେଳେ ୨୦୪ଟି ପଦବୀ ଖାଲି ପଡିଛି । ଏହି ୧୮୭ ଡାକ୍ତରଙ୍କ ମଧ୍ୟରୁ ୧୪୯ଜଣ ନିୟମିତ ଓ ୩୫ଜଣ ଠିକା ଡାକ୍ତର ରହିଛନ୍ତି । ତେବେ ସବୁଠାରୁ କମ୍‍ ମାତ୍ର ୧୦ଟି ଡାକ୍ତର ପଦବୀ କ୍ୟାପିଟାଲ ହସପିଟାଲରେ ଖାଲି ପଡିଛି । ଏଠାରେ ୧୬୭ଜଣ ଡାକ୍ତର ଥିବାବେଳେ ସେମାନଙ୍କ ମଧ୍ୟରୁ ୧୨୦ଜଣ ନିୟମିତ ଓ ୪୪ଜଣ ଠିକା ଡାକ୍ତର ଅଛନ୍ତି । ଆରଜିଏଚ୍‍ ରାଉରକେଲାରେ ୬୪ଜଣ ଡାକ୍ତର ଥିବାବେଳେ ମାତ୍ର ୧୧ଟି ପଦବୀ ଖାଲି ପଡିଛି ।

ସେହିଭଳି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ୩ବର୍ଷ ମଧ୍ୟରେ ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲ କଲେଜଗୁଡିକରୁ ୨୪୨୩ଜଣ ଛାତ୍ରଛାତ୍ରୀ ଡାକ୍ତରୀ ପାସ୍‍ କରିଛନ୍ତି । ଏହି ସମୟ ମଧ୍ୟରେ ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ୨୨୪୭ଜଣ ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତ ହୋଇଛନ୍ତି । ତେବେ ଗତବର୍ଷ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା ଜରିଆରେ ମାତ୍ର ୮୧ଜଣ ନିଯୁକ୍ତି ପାଇଥିବା ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)