Home Education ବିନା କାମରେ ପାଉଣା ନେଉଛନ୍ତି

ବିନା କାମରେ ପାଉଣା ନେଉଛନ୍ତି

ଭୁବନେଶ୍ୱର : ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ନିୟମିତ ଶିକ୍ଷକ ନିଯୁକ୍ତି ନକରି ଅତିଥି ଅଧ୍ୟାପକମାନଙ୍କ ମାଧ୍ୟମରେ ଯେଉଁ କାମଚଳା ପଦକ୍ଷେପ ଚାଲିଛି ସେଥିରେ ଛାତ୍ରଛାତ୍ରୀ ଓ ଗବେଷକମାନେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ଅଳ୍ପ କେତେଜଣ ଅତିଥି ଅଧ୍ୟାପକଙ୍କୁ ଛାଡିଦେଲେ ଅଧିକାଂଶ ଏହି ନିଯୁକ୍ତିକୁ ଥଇଥାନକେନ୍ଦ୍ର ଭାବେ ଗ୍ରହଣ କରିନେଇଥିବାରୁ ପିଲାଙ୍କ ପାଠପଢା ଉପରେ ସେମାନେ ଗୁରୁତ୍ୱ ଦେଉନାହାନ୍ତି ବୋଲି ଖୋଦ ରାଜଧାନୀରେ ଥିବା ଦୁଇଟି ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଖୋଲା ଅଭିଯୋଗ କରୁଛନ୍ତି ।

ଅନେକ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ବରିଷ୍ଠ ଅମଲାତନ୍ତ୍ରୀଙ୍କ ଚାପ ଯୋଗୁଁ ନିଯୁକ୍ତି ପାଇଥିବାରୁ ସେମାନେ ପାଠ ପଢାନ୍ତୁ ନପଢାନ୍ତୁ ମାସ ଶେଷରେ ଯେଭଳି ନିଜର ପୂରା ପାଉଣା ପାଇବେ ତାହା ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଧିକ ଗୁରୁତ୍ୱଆରୋପ କରୁଛନ୍ତି । କାରଣ ଏବେ ଏହି ବିଶ୍ୱବିଦ୍ୟାଳୟଗୁଡିକରେ କୁଳପତି, ପିଜି କାଉନସିଲ ଅଧ୍ୟକ୍ଷ ଆଦି ସେମାନଙ୍କ କାର୍ଯ୍ୟକାଳ ପୂରିଯିବା ପରେ ବି ଉପରିସ୍ଥ ନେତାଙ୍କ ଦୟାରୁ କାର୍ଯ୍ୟକ୍ଷେତ୍ରରେ ରହିଛନ୍ତି ।

ଅଳ୍ପ କେତେଜଣ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ସମ୍ପୂର୍ଣ୍ଣ ସମୟ ଦେଇ ପାଠପଢାଉଥିବାବେଳେ ଅଧିକାଂଶ କିନ୍ତୁ ବହୁ ସମୟରେ ବିଶ୍ୱବିଦ୍ୟାଳୟକୁ ଆସୁନାହାନ୍ତି । ଯେଉଁଦିନ ବି ଆସୁଛନ୍ତି ସେଦିନ ପାଠପଢା ପରିବର୍ତ୍ତେ ଗପ ଖଟି ଜମାଇ ଫେରି ଯାଉଛନ୍ତି । ସେମାନଙ୍କର ଉପର ମହଲରେ ସମ୍ପର୍କ ଥିବାରୁ ଏଠାରେ ଥିବା ନିୟମିତ ଅଧ୍ୟାପକ/ଅଧ୍ୟାପିକାମାନେ ସେମାନଙ୍କ ପାଇଁ ବହୁ କ୍ଷେତ୍ରରେ ପାଠ ପଢାଉଛନ୍ତି । ଏମିତିକି ଓଡିଶା ବାହାରକୁ ବୁଲିଯିବା ଓ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ସମୟରେ ସେମାନେ ପାଠ ପଢାଉଛନ୍ତି ବୋଲି ଦର୍ଶାଇ ବିଲ୍‍ ଦେଇ ପଇସା ନେଉଥିବା ଘେନି ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି ।

ଏଭଳି ଘୋଟାଲାରେ ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ବରବାଦ କରୁଛନ୍ତି । ଏମିତିକି ଦାୟିତ୍ୱରେ ଥିବା ନିୟମିତ ଅଧ୍ୟାପକ ଅଧ୍ୟାପିକାମାନେ ଏମାନଙ୍କ ଚାପରେ ବିଲ୍‍ ମଞ୍ଜୁର ପାଇଁ ସୁପାରିଶ୍‍ ନକଲେ ସେମାନଙ୍କୁ ବି ପ୍ରତ୍ୟକ୍ଷ ଓ ପରୋକ୍ଷ ଧମକ ମିଳୁଥିବା ଘେନି ଅଭିଯୋଗ ଉଠିଲାଣି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରବଳ ଚାପ ଯୋଗୁଁ ଏହାକୁ ଚପାଇ ଦେବାପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆସୁଛି ।

ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ଏବଂ କୁଳାଧିପତିଙ୍କ ଦପ୍ତର ତଦନ୍ତ କରିବାପାଇଁ ଦାବି ହେଉଛି । ଯେଭଳି ନିୟମିତ ଅଧ୍ୟାପକ ନିଯୁକ୍ତି ଘେନି ବିଶ୍ୱବିଦ୍ୟାଳୟ ଆଇନ୍‍ ସଂଶୋଧନରେ ବିଳମ୍ବ ହେବ ସେ ପ୍ରକ୍ରିୟାରେ ବି ଏଭଳି କିଛି ଅତିଥି ଶିକ୍ଷକ ସାମିଲ ଅଛନ୍ତି । ଏମାନଙ୍କର ଆଉ ସରକାରୀ ଚାକିରି ପାଇଁ ବୟସ ନାହିଁ କିମ୍ବା ବିଜ୍ଞାପନ ବାହାରିଲେ ବି ନିୟମିତ ଅଧ୍ୟାପକ/ଅଧ୍ୟାପିକା ପଦବୀ ଲାଗି ଏମାନେ ଆବେନ କରିପାରିବେ ନାହିଁ । ତେଣୁ ଯେତେଦିନ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟଗୁଡିକରେ ନିୟମିତ ଅଧ୍ୟାପକ ନିଯୁକ୍ତ ନହେବେ ସେତେଦିନ ପର୍ଯ୍ୟନ୍ତ ଏମାନେ ଚାପ ପ୍ରୟୋଗ କରି ନିଜ ନିଜ ଠିକା ନିଯୁକ୍ତି ବଜାୟ ରଖିବା ସହ ରାଜକୋଷରୁ ପଇସା ପାଇ ଚାଲୁଥିବେ ।

ଇତି ମଧ୍ୟରେ କେତେ ଛାତ୍ର ସଂଗଠନ ମଧ୍ୟ ଏ ପ୍ରସଙ୍ଗ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିଛନ୍ତି । ଯେଉଁମାନେ ପାଠ ନପଢାଇ ମିଥ୍ୟା ବିଲ୍‍ ଦେଇ ପଇସା ନେଉଛନ୍ତି ସେମାନଙ୍କୁ ତୁରନ୍ତ ବିଦାକରି ସେମାନଙ୍କ ସ୍ଥାନରେ ପାଠ ପଢାଇ ପାରୁଥିବା ଭଳି ଦକ୍ଷ ଅଧ୍ୟାପକମାନଙ୍କୁ ନିଯୁକ୍ତି ଦିଆନଗଲେ ଛାତ୍ରଛାତ୍ରୀମାନେ ଆନ୍ଦେଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦେଲେଣି । (ତଥ୍ୟ)