ଭୁବନେଶ୍ୱର : ରାଜଧାନୀରେ ନିର୍ମାଣ ହେଉଥିବା ବିଧାୟକ କଲୋନୀ ପାଇଁ ସ୍ଥାନୀୟ ଲୋକେ ନାକେଦମ ହେଉଛନ୍ତି । ନିର୍ମାଣକାର୍ଯ୍ୟ ଚଳାଇଥିବା ସଂସ୍ଥା ଆଖପାଖରେ ଥିବା ରାସ୍ତାଘାଟରେ ଖାଲଖମା ସୃଷ୍ଟିକରିବା ସହିତ ପରିବେଷ ପ୍ରଦୂଷଣ କରିବାରେ ଲାଗିଛି ।
ରାଜ୍ୟ ବିଧାନସଭାର ଅପର ପାଶ୍ୱର୍ରେ ଚାରିନମ୍ବର ଅଞ୍ଚଳର ଚାଲିଛି ବିଧାୟକମାନଙ୍କ ପାଇଁ ସୁଉଚ୍ଚ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ । ନିର୍ମାଣସାମଗ୍ରୀ ଧରି ପ୍ରତିଦିନ ଏଠାକୁ ଏକାଧିକ ଟ୍ରକ ଆସୁଛି । ତେବେ ଏହି ଭାରିଯାନଗୁଡିକ ପ୍ରବେଶ ଯୋଗୁଁ ସ୍ଥାନୀୟ ଅଞ୍ଚଳର ରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହେବା ସହିତ ପିଚୁ ଉଠିଯାଉଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା କିମ୍ବା ବିଏମ୍ସି ଏହାକୁ ମରାମତି କରୁନାହାନ୍ତି । ଏହି ରାସ୍ତାଦେଇ ଦୈନିକ ଏକାଧିକ ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଯାଉଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା ରାସ୍ତାକୁ ମରାମତି ନକରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ସେହିଭଳି ନିର୍ମାଣସ୍ଥଳରୁ ବାହାରୁଥିବା ଶହ ଶହ ଟ୍ରକ ନାଲିମାଟିକୁ ଟ୍ରକ ଯୋଗେ ସ୍ଥାନାନ୍ତର କରାଯାଉଛି । ରାତିବେଳା ଏହି ମାଟି ପରିବହନ ହେଉଥିବାବେଳେ ଚାରି ନମ୍ବର ଅଞ୍ଚଳର ପିଚୁ ରାସ୍ତାରେଏହି ମାଟି ପଡି ରାସ୍ତାର ରଙ୍ଗ ବଦଳାଇ ଦେଲାଣି । ନିର୍ମାଣସ୍ଥଳ ଠାରୁ ଗୋଟିଏ ପଟେ ରାଜଭବନ ଓ ଅପର ପାଶ୍ୱର୍ରେ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାରେ ନାଲିମାଟି ପଡୁଛି । ହେଲେ ଧର୍ମକୁ ଆଖିଠାର ମାରିବା ଭଳି ନିର୍ମାଣକାରୀ ସଂସ୍ଥା କେତେ ହାତ ରାସ୍ତାରେ ପାଣି ମାରି କାମ ସାରି ଦେଉଛି ।
ବେପରୁଆ ଭାବେ ମାଟି ପରିବହନ କରି ରାସ୍ତା ଖରାପ କରିବା ପାଇଁ ବିଏମ୍ସି ପକ୍ଷରୁ ନିର୍ମାଣସ୍ଥଳରେ ଥିବା ଫାଟକରେ ତାଲା ପକାଯାଇଥିଲା । ଏହାପରେ କିଛିଦିନ ନିର୍ମାଣକାରୀ ସଂସ୍ଥା ସତର୍କତାର ସହିତ ମାଟି ପରିବହନ କରୁଥିବାବେଳେ ଏବେ ପୁଣିଥରେ ବେପରୁଆ ଭାବେ ଭାରିଯାନ ଚଳାଇ ରାସ୍ତାରେ ମାଟି ପକାଇବା ସହିତ ଖାଲ ଖମା ସୃଷ୍ଟି କରିବାରେ ଲାଗିଛି ।
ଆସନ୍ତା ୮ତାରିଖରୁ ହେଉଥିବା ପ୍ରବାସୀ ଭାରତୀୟ ପାଇଁ ସରକାର ରାଜଧାନୀକୁ ସଜାଉଥିବାବେଳେ କୌଣସି ଅକୁହା କାରଣରୁ କିନ୍ତୁ ବିଧାୟକ ସୌଧ ନିର୍ମାଣ ଅଞ୍ଚଳ ପ୍ରତି ଦୃଷ୍ଟି ଦେଉନାହାନ୍ତି । ନିର୍ମାଣସ୍ଥଳରୁ କିଭଳି ନାଲି ମାଟି ଉଡି ଚାରି ନମ୍ବର ଅଞ୍ଚଳରେ ଗଛଲତା ସହିତ ଲୋକଙ୍କ ଘରଦ୍ୱାର ନାଲିରଙ୍ଗ କରିଦେଲାଣି ତାହା ଉପରେ କାହାରି ନଜର ନାହିଁ । ପ୍ରବାସୀ ଭାରତୀୟ ଉତ୍ସବରେ ଯୋଗଦେବାକୁ ଆସୁଥିବା ଲୋକଙ୍କ ନଜରରେ ଏହା ନିଶ୍ଚୟ ପଡିବ ବୋଲି କୁହାଯାଉଛି ।
ପ୍ରବାସୀ ଭାରତୀୟ ଉତ୍ସବର ତଦାରଖ ପାଇଁ ଏକାଧିକ ମନ୍ତ୍ରୀ ରାଜଧାନୀର ବିଭିନ୍ନ ସ୍ଥାନରେ ପଇଁତରା ମାରି କାର୍ଯ୍ୟ ତଦାରଖ କରୁଥିବାବେଳେ ସେମାନେ ଚାରି ଅଞ୍ଚଳରେ ଥିବା ନିର୍ମାଣସ୍ଥଳ ସହିତ ଆଖପାଖର ରାସ୍ତାଘାଟ ଓ ନିକଟରେ ଥିବା ମାଛ ହାଟ ଅଞ୍ଚଳକୁ ବୁଲି ଆସିବାପାଇଁ ମତପ୍ରକାଶ ପାଉଛି । ନିର୍ମାଣକାରୀ ସଂସ୍ଥା ଯେଭଳି ଭାବେ ରାସ୍ତାଘାଟକୁ ଖାଲ ଖମାରେ ପରିଣତ କରିଛି ଅନ୍ତତଃ ପକ୍ଷେ ପ୍ରବାସୀ ଭାରତୀୟ ଉତ୍ସବ ପୂର୍ବରୁ ତାହାକୁ ମରାମତି କରିବା ଲାଗି ମତପ୍ରକାଶ ପାଉଛି । (ତଥ୍ୟ)