Home Assembly ବିଧାୟକଙ୍କ ବେତନ ବୃଦ୍ଧି ବିଲ୍‍ର ସ୍ଥିତି ଅସ୍ପଷ୍ଟ

ବିଧାୟକଙ୍କ ବେତନ ବୃଦ୍ଧି ବିଲ୍‍ର ସ୍ଥିତି ଅସ୍ପଷ୍ଟ

ଭୁବନେଶ୍ୱର : ବିଧାୟକଙ୍କଠାରୁ ମନ୍ତ୍ରୀ, ମୁଖ୍ୟମମନ୍ତ୍ରୀ ଓ ବାଚସ୍ପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ବେତନ ଓ ଭତ୍ତା ବୃଦ୍ଧି ସହିତ ପୂର୍ବତନ ବିଧାୟକମାନଙ୍କ ପେନ୍‍ସନ୍‍ ଓ ଭତ୍ତା ବଢ଼ାଇବା ଲାଗି ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ବିଧେୟକ କେଉଁ ସ୍ଥିତିରେ ରହିଛି ତାହାର ସ୍ପଷ୍ଟ ସୂଚନା କୌଣସି ସୂତ୍ରରୁ ଦିଆଯାଉନାହିଁ । ତେଣୁ ଏହି ବିଲ୍‍ର ଭାଗ୍ୟ ଭବିଷ୍ୟତ ଘେନି ପ୍ରଶ୍ନବାଚୀ ଉଠୁଛି ।

କେନ୍ଦ୍ର ସରକାରଙ୍କ ଭିବି-ଜି-ରାମ ଜୀ ବିଲ୍‍ ସଂସଦରେ ଗୃହୀତ ହେବାର ମାତ୍ର ୩ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରି ଆଇନ୍‍ରେ ପରିଣତ ହୋଇପାରିଲା । ତେବେ ଓଡ଼ିଶାର ବିଧାୟକଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପ ବାଚସ୍ପତିଙ୍କ ବେତନ ଓ ଭତ୍ତା ବୃଦ୍ଧି ସଂକ୍ରାନ୍ତୀୟ ଅଧିନିୟମ ବିଧାନସଭାରେ ୨୦୨୫ ଡିସେମ୍ବର ୧୨ ତାରିଖରେ ଏକ ପ୍ରକାର ସର୍ବସମ୍ମତିକ୍ରମେ ପାରିତ ହୋଇଯାଇଥିଲେ ମଧ୍ୟ ଏହି ବିଲ୍‍ କିନ୍ତୁ ଆଇନ୍‍ର ରୂପ ନେଇପାରି ନାହିଁ ।

ସାମ୍ବିଧାନିକ ବିଧିବ୍ୟବସ୍ଥା ମୁତାବକ ବିଧାନଭାରେ ପାରିତ ବିଲ୍‍ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥାଏ ଏବଂ ରାଜ୍ୟପାଳ ଏହାକୁ ଅନୁମୋଦନ କଲେ ତାହା ଆଇନ୍‍ର ରୂପ ନେଇଥାଏ । ଯଦି ରାଜ୍ୟପାଳ ଏଥିରେ ସହମତ ନହୁଅନ୍ତି ତେବେ ସେ ବିଲ୍‍ଟିକୁ ଫେରାଇ ଦିଅନ୍ତି ଏବଂ ଏହା ଉପରେ ଯଦି ପୁଣିଥରେ ବିଧାନସଭା ମୋହର ବସାଏ ତା’ହେଲେ ରାଜ୍ୟପାଳ ତାହାକୁ ଅନୁମୋଦନ ଦେଇଥାନ୍ତି । ସଂସଦ କ୍ଷେତ୍ରରେ ପାରିତ ବିଲ୍‍ ଅନୁରୂପ ଭାବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ୍‍ର ରୂପ ନେଇଥାଏ ।

ବିଧାନସଭାରେ ବେତନ ବୃଦ୍ଧି ବିଲ୍‍ ବିରୋଧରେ ଜଣେ ହେଲେ କେହି ପାଟି ଫିଟାଇନଥିଲେ ମଧ୍ୟ ବିଧାନସଭା ବାହାରେ କିନ୍ତୁ ଏହାକୁ ବିରୋଧ କରାଯାଇଛି । ଏମିତିକି ବିରୋଧୀ ଦଳ ନେତାଙ୍କଠାରୁ ଆରମ୍ଭ କରି ବିଜେପି ବିଧାୟକ ଦଳ ପର୍ଯ୍ୟନ୍ତ ଏଥିରେ ଅସହମତି ବ୍ୟକ୍ତ କରିଛନ୍ତି । ଏମିତିକି ବିଜେପିର ବିଧାୟକମାନେ ବେତନ ଓ ଭତ୍ତା ବୃଦ୍ଧିକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି ।

ଓଡ଼ିଶାର ବିଧାୟକମାନେ ଏବେ ପ୍ରାୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ଓ ଭତ୍ତା ମିଶାଇ ପାଉଥିବାବେଳେ ବିଲ୍‍ର ବ୍ୟବସ୍ଥା ଅନୁଯାୟୀ ସେମାନେ ମାସକୁ ପାଖାପାଖି ସାଢ଼େ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରନ୍ତି । ବିଧାୟକମାନଙ୍କ ମାସିକ ଦରମା ୩୫ ହଜାରରୁ ୯୦ ହଜାର ଟଙ୍କାକୁ ବଢ଼ାଯାଇଥିବାବେଳେ ସେମାନଙ୍କ ପାଇଁ ମାସିକ ୭୫ ହଜାର ଟଙ୍କାର ନିର୍ବାଚନ ମଣ୍ଡଳୀ ଭତ୍ତା, ୫୦ ହଜାର ଟଙ୍କାର ଯାତାୟାତ ଭତ୍ତା, ୧୦ ହଜାର ଟଙ୍କାର ପତ୍ରିକା କିଣିବା ଭତ୍ତା, ୩୫ ହଜାର ଟଙ୍କାର ଚିକିତ୍ସା ଭତ୍ତା, ୨୦ ହଜାର ଟଙ୍କାର ବିଦ୍ୟୁତ ଭତ୍ତା, ୧୫ ହଜାର ଟଙ୍କାର ଟେଲିଫୋନ୍‍ ଭତ୍ତା ଏଥିରେ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ସେମାନଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ଗାଡ଼ି କିଣିବା ପାଇଁ ୧୦ ଲକ୍ଷ ଟଙ୍କାର ଅଗ୍ରୀମ ଓ ସରକାରୀ ଘରେ ନରହିଲେ ମାସିକ ୬୦ ହଜାର ଟଙ୍କା ଘରଭଡ଼ା ବ୍ୟବସ୍ଥା ମଧ୍ୟ ନୂଆ ବିଲ୍‍ରେ ରହିଛି ।

ପୂର୍ବତନ ବିଧାୟକମାନଙ୍କ ମାସିକ ପେନ୍‍ସନ୍‍ ୩୦ ହଜାରରୁ ୮୦ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହିତ ଯେଉଁମାନେ ଏକାଧିକଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ପାଇଁ ପ୍ରତି ଅଧିକ ବର୍ଷ ଲାଗି ପେନ୍‍ସନ୍‍ ପରିମାଣ ମାସକୁ ୩ ହଜାର ଟଙ୍କାକରି ବଢ଼ାଇବାର ବ୍ୟବସ୍ଥା ଅଛି । ପୂର୍ବତନ ବିଧାୟକମାନଙ୍କ ଲାଗି ମାସିକ ଚିକିତ୍ସା ଭତ୍ତା ୨୫ ହଜାର ଟଙ୍କା ସହିତ ଯାତାୟାତ ଭତ୍ତା ୧୨୫୦୦ ଟଙ୍କା, ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଓ ପୂର୍ବତନ ବିଧାୟକଙ୍କ ମୃତ୍ୟୁ ପରେ ପାରିବାରିକ ପେନ୍‍ସନ୍‍ ମଧ୍ୟ ଖଞ୍ଜା ଯାଇଛି । ଏହା କେବେଠାରୁ ଲାଗୁ ହେବ ସେଥିଘେନି ଅନେକ ପୂର୍ବତନ ବିଧାୟକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । (ତଥ୍ୟ