Home General ବିଧାନ ପରିଷଦ ପାଇଁ ଧୈର୍ଯ୍ୟହରା ଆଶାୟୀ

ବିଧାନ ପରିଷଦ ପାଇଁ ଧୈର୍ଯ୍ୟହରା ଆଶାୟୀ

ଭୁବନେଶ୍ୱର : ଓଡିଶାରେ ବିଧାନ ପରିଷଦ ଗଠିତ ହେଲେ ତାହାର ସଦସ୍ୟ ହୋଇ ମନ୍ତ୍ରୀ ପଦବୀରେ ବସିବାଲାଗି ଆଶା ବାନ୍ଧିଥିବା ଅନେକ ବ୍ୟକ୍ତିଙ୍କ ଧୈର୍ଯ୍ୟ ବନ୍ଧ ଭାଙ୍ଗିବାକୁ ଲାଗୁଛି । ଏଭଳି ଆଶାୟୀଙ୍କ ମଧ୍ୟରୁ ଇତି ମଧ୍ୟରେ କେତେକଙ୍କର ସ୍ୱର୍ଗବାସ ହୋଇଗଲାଣି । ତେବେ ଓଡିଶା ପାଇଁ କେବେ ବିଧାନ ପରିଷଦ ଗଢାଯିବ ତାହାର ସଠିକ ସମୟ କେହି କହିପାରୁ ନାହାନ୍ତି ।

ସଂସଦରେ ରାଜ୍ୟସଭା ଭଳି ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଆଦି କେତେକ ରାଜ୍ୟରେ ବିଧାନସଭା ସହିତ ବିଧାନ ପରିଷଦ ରହିଛି । ବିଧାନ ପରିଷଦର ସଦସ୍ୟ ଲାଗି ମଧ୍ୟ ଭିନ୍ନ ଭିନ୍ନ ନିର୍ବାଚନମଣ୍ଡଳୀ ରହିଥାଏ । ପରୋକ୍ଷ ମତଦାନ ପଦ୍ଧତିରେ ବିଧାନ ପରିଷଦକୁ ସଦସ୍ୟ ନିର୍ବାଚିତ ହୋଇଥାନ୍ତି ଏବଂ ବିଧାନ ପରିଷଦର ସଦସ୍ୟମାନେ ବିଧାନସଭା ସଦସ୍ୟଙ୍କ ଭଳି ପ୍ରାୟ ସମାନ ସୁବିଧା ସୁଯୋଗ ପାଇବା ସଂଗେ ସଂଗେ ବିିଭିନ୍ନ ରାଜ୍ୟରେ ମଧ୍ୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦି ହେବାର ନଜିର ରହିଛି ।

ଦୀର୍ଘ ବର୍ଷ ଧରି ଓଡିଶାରେ ବିଧାନ ପରିଷଦ ଗଠନ ଲାଗି ବିଭିନ୍ନ ମହଲରୁ ଦାବି ଉଠୁଥିଲେ ମଧ୍ୟ ତାହାକୁ ଏଡାଇ ଦିଆଯାଉଥିଲା । ତେବେ ୨୦୧୮ ସେପ୍ଟେମ୍ବର ୬ତାରିଖରେ ଓଡିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ରାଜ୍ୟ ବିଧାନସଭାରେ ଏକ ସଙ୍କଳ୍ପ ପାରିତ ହୋଇଥିଲା । ବିଧାନ ପରିଷଦ ଗଠନ ପାଇଁ ବିଧାନସଭାର ଏକ କମିଟି ବିଭିନ୍ନ ରାଜ୍ୟକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ । ଏହାଛଡା ପ୍ରଶାସନିକ ସ୍ତରରେ ମଧ୍ୟ ବିଧାନ ପରିଷଦ ପ୍ରସଙ୍ଗରେ ବେଶ୍‍ କସରତ ଚାଲିଥିଲା ।

ବିଧାନ ପରିଷଦ ଗଠନ କରାଗଲେ ଏହାପାଇଁ ବିଧାନସଭା ଭଳି ସ୍ୱତନ୍ତ୍ର ସୌଧର ଆବଶ୍ୟକତା ଥିବା ଦୃଷ୍ଟିରୁ ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ରାଜଧାନୀର ସର୍ଦ୍ଦାର ପଟେଲ ହଲ୍‍ରେ ଥିବା ପୁରୁଣା ବିଧାନସଭା ସୌଧରେ ବିଧାନ ପରିଷଦ ଆରମ୍ଭ କରାଯାଇ ପାରିବ ବୋଲି ମତପ୍ରକାଶ ପାଇଥିଲା ।

ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ ଥିବା ଦୃଷ୍ଟିରୁ ଏହାର ଏକ ତୃତୀୟାଂଶ ଅର୍ଥାତ୍‍ ୪୯ଟି ଆସନ ରାଜ୍ୟ ବିଧାନ ପରିଷଦରେ ରହିବ ବୋଲି ସ୍ଥିର ହୋଇଥିଲା । ପରିଷଦର ଏହି ୪୯ଟି ଆସନ ମଧ୍ୟରୁ କେତୋଟି ମନୋନିତ ସ୍ଥାନ ଥିବାବେଳେ ଅନ୍ୟ ଆସନଗୁଡିକ ପାଇଁ ଭିନ୍ନ ଭିନ୍ନ ଇଲେଟ୍ରୋରାଲ କଲେଜ ମାଧ୍ୟମରେ ନିର୍ବାଚନ ଲାଗି ପ୍ରସ୍ତାବ ଥିଲା ।

୨୦୧୯ ର ସାଧାରଣ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ପ୍ରସଙ୍ଗ ଦାନା ଧରିଥିବାରୁ ବହୁ ରାଜନୈତିକ ଓ ଅଣରାଜନୈତିକ ବ୍ୟକ୍ତି ଏଥିରେ ଥଇଥାନ ହେବେ ବୋଲି ଆଶା ରଖି ବିଭିନ୍ନ ସ୍ତରରେ ଲବି ମଧ୍ୟ ଅରମ୍ଭ କରିଦେଇଥିଲେ । ଏହି ଲବିରେ ବହୁ ଶିକ୍ଷାବିତ୍‍, ଅବସରପ୍ରାପ୍ତ ପ୍ରଶାସକ ଆଦିଙ୍କ ନାମ ଚର୍ଚ୍ଚାର ବଳୟ ଭିତରେ ଥିଲା । ସେତେବେଳେ କୁହାଯାଉଥିଲା ଯେ ଜ୍ଞାନି ଗୁଣି ବ୍ୟକ୍ତିମାନେ ବିଧାନସଭା ର୍ନିବାଚନ ଲଢି ଜିଣିବା କଷ୍ଟସାଧ୍ୟ ହେଉଥିବାବେଳେ ବିଧାନ ପରିଷଦ ମାଧ୍ୟମରେ ସେମାନଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଇ ସେମାନଙ୍କ ପ୍ରତିଭାର ଉପଯୋଗ ରାଜ୍ୟ କରିପାରିବ ।

୨୦୧୮ରୁ ବିଧାନ ପରିଷଦ ପାଇଁ ଯେଉଁମାନଙ୍କ ନାମ ଚର୍ଚ୍ଚାର ବଳୟରେ ଥିଲା ସେମାନଙ୍କ ମଧ୍ୟରୁ କେତେକ ବିଶିଷ୍ଟ ପ୍ରତିଭାଙ୍କର ଇତି ମଧ୍ୟରେ ଦେହାନ୍ତ ହୋଇଯାଇଛି । ଅନ୍ୟମାନେ ଚାରିବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପ୍ରତୀକ୍ଷା କରି ଏବେ ଏକ ପ୍ରକାର ନୈରାଶ୍ୟ ମଧ୍ୟରେ ଅଛନ୍ତି । ବିଧାନ ପରିଷଦ ପାଇଁ ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଅଟକଳ କରାଯାଉଥିବାବେଳେ ଏବେ ଏହା ୧୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । (ତଥ୍ୟ)