Home News in Odia ବିଧାନସଭା ପାଇଁ ୨୫୦୦ ଆଶାୟୀ

ବିଧାନସଭା ପାଇଁ ୨୫୦୦ ଆଶାୟୀ

ଭୁବନେଶ୍ୱର : ରାଜ୍ୟରେ କଂଗ୍ରେସ ପ୍ରତି ବଢ଼ୁଛି ସମର୍ଥନ, କଂଗ୍ରେସ ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଛି । ୨୦୧୯ ନିର୍ବାଚନରେ ୧୪୭ ବିଧାନସଭା ପାଇଁ ୪୩୫ ଜଣ ଓ ୨୧ ଲୋକସଭା ଆସନ ପାଇଁ ୭୦ ଜଣ ଆଶାୟୀ ଆବେଦନ କରିଥିଲେ । ତେବେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ୧୪୭ ବିଧାନସଭା କ୍ଷେତ୍ରରୁ ୨୫୦୦ରୁ ଅଧିକ ଓ ୨୧ ଲୋକସଭା ଆସନ ପାଇଁଁ ୬୭୦ ରୁ ଅଧିକ ଆଶାୟୀ ପାର୍ଥୀ ଆବେଦନ କରିଛନ୍ତି ।

କଂଗ୍ରେସ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରାର୍ଥୀ ବାଛିବା ଓ ଟିକେଟରେ ସ୍ୱଚ୍ଛତା ଆଣିବା ପାଇଁ ଗତ ତା. ୦୪/୦୨/୨୦୨୪ ରେ ପ୍ରଗମନ ଦ୍ୱାରା ଟିକେଟ ଆବେଦନ କରିବା ଲାଗି ଦଳ ପକ୍ଷରୁ ଏକ ନୂତନ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ପଦ୍ଧତିକୁ ଆଦର କରିଛନ୍ତି ରାଜ୍ୟର ଅନେକ ଆଶାୟୀ ପାର୍ଥୀ । ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଉଭୟ ବିଜେଡ଼ି ଓ ବିଜେପି ଦଳରେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଟିକେଟ ବଂଟନରେ ସ୍ୱଚ୍ଛତା ନାହିଁ ।

କିନ୍ତୁ କଂଗ୍ରେସ ଗଣତାନ୍ତ୍ରିକ ପଦ୍ଧତିରେ ଟିକେଟ ବଂଟନକୁ ଗ୍ରହଣ କରେ, ଏହି ଆଧାରରେ କାର୍ଯ୍ୟକ୍ରମ ଚାଲିଛି ଏବଂ ଆସନ୍ତା ଫେବୃଆରୀ ୧୪ ତାରିଖରେ ପ୍ରଗମନ ଦ୍ୱିତୀୟ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ । କଂଗ୍ରେସ ପୂର୍ବରୁ ବ୍ଲକ ସଭାପତି ଓ ଜିଲ୍ଲା ସଭାପତିଙ୍କ ଜରିଆରେ ଆଶାୟୀଙ୍କ ରିପୋର୍ଟ ସଂଗ୍ରହ କରିଥିଲା । ଏହି ସବୁ ରିପୋର୍ଟକୁ ଭିତି କରି ପ୍ରଦେଶ ଇଲେକ୍‌ସନ କମିଟି ବୈଠକ ବସିବ । ଏଆଇସିସି ସ୍କ୍ରିନିଙ୍ଗ୍ କମିଟି ମଧ୍ୟ ଆଶାୟୀ ପାର୍ଥୀମାନଙ୍କୁ ଯାଂଚ କରିବ ଓ ପରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଚୂଡାନ୍ତ ପାର୍ଥୀ ତାଲିକା ଘୋଷଣା କରିବ ।

‘ପ୍ରଗମନ’ର ଅଧ୍ୟକ୍ଷ ପ୍ରବୀଣ ପାଠକ ସାମ୍ବାଦିକମାନଙ୍କୁ ପ୍ରଶ୍ନର ଉତର ଦେଇ କହିଥିଲେ ଯେ ଏହି ପ୍ରୋଜେକ୍ଟକୁ କଂଗ୍ରେସ ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ଗ୍ୱାଲିୟରରେ ପ୍ରୟୋଗ କରିଥିଲା ଓ ମେୟର ନିର୍ବାଚନରେ ସଫଳତା ସ୍ୱରୁପ ମେୟର ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ଏହି ସଫଳତାକୁ ଆଧାର କରି ଓଡ଼ିଶାରେ କଂଗ୍ରେସ ଆଗକୁ ବଢ଼ିବ ଓ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରି ସରକାର ଗଢ଼ିବ ବୋଲି ଶ୍ରୀ ପାଠକ କହିଥିଲେ ।

ରାଜ୍ୟ କଂଗ୍ରେସ ସହପ୍ରଭାରୀ କ୍ରିଷ୍ଟୋଫର ତିଲକ କହିଥିଲେ କଂଗ୍ରେସ ନୂଆ ପ୍ରଯୁକ୍ତି ବିଦ୍ୟା ଆପଣାଇଛି । ପୂର୍ବରୁ କମ୍ପ୍ୟୁଟର ଆଧାରର ସଫଳତା ଦୋହରାଇବା ସହ ପ୍ରଗମନ ଆଗାମୀ ସରକାର ଗଢ଼ିବାରେ ସହାୟକ ହେବ । ସମୟ ସହିତ ନୂଆ ଟେକ୍ନୋଲୋଜି ଆପଣାଇ ଦଳକୁ ବିଜୟ କରିବା କଂଗ୍ରେସର ମୂଳ ଲକ୍ଷ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ ।