Home Assembly ବିଧାନସଭା ପାଇଁ ବଢିଲା ଟ୍ରାଫିକ୍‍ ଚିନ୍ତା

ବିଧାନସଭା ପାଇଁ ବଢିଲା ଟ୍ରାଫିକ୍‍ ଚିନ୍ତା

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନ କାଳରେ ରାଜଧାନୀର କେତେକ ଅଞ୍ଚଳରେ ଯାନବାହନ ଚଳାଚଳ ଉପରେ କଟକଣା ରହୁଥିବାରୁ ବିକଳ୍ପ ରାସ୍ତାଗୁଡ଼ିକରେ ବ୍ୟାପକ ଭିଡ଼ ହେବାର ସମ୍ଭାବନା ରହିଛି । ଏହାଛଡ଼ା ବିଧାନସଭା ଅଧିବେଶନ କାଳରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଧାରଣା, ସଭା, ଘେରାଉ ଆଦି କାର୍ଯ୍ୟକ୍ରମ ହେବାକୁ ଥିବାରୁ ଏହା ଟ୍ରାଫିକ୍‍ ସମସ୍ୟାକୁ ଉତ୍କଟତର କରିପାରେ ।

ବିଧାନସଭା ଅଧିବେଶନ କାଳରେ ଗତ କିଛିବର୍ଷ ଧରି ବିଧାନସଭା କଡ଼ ଦେଇ ଯାଇଥିବା ରାସ୍ତାରେ ସର୍ବସାଧାରଣଙ୍କ ଯାନବାହନ ଚଳାଚଳ ଉପରେ କଟକଣା ରହୁଛି । ଫଳରେ ଜୟଦେବ ଭବନଠାରୁ ରିଜର୍ଭ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଏବଂ ରବୀନ୍ଦ୍ରମଣ୍ଡପ ଛକରୁ ପୁଲିସ କମିଶନରେଟ୍‍ ଅଫିସ୍‍ ଛକ ପର୍ଯ୍ୟନ୍ତ ଅଞ୍ଚଳରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁଛି । ଏହାଛଡ଼ା ମାଷ୍ଟରକ୍ୟାଣ୍ଟିନ୍‍ରୁ ଲୋୟର ପିଏମ୍‍ଜି ମଧ୍ୟରେ ଥିବା ଧାରଣାସ୍ଥଳୀ ନିକଟରେ ମଧ୍ୟ ଗହଳଚହଳ ରହିବା ସମ୍ଭାବନା ଥିବାରୁ ଲୋୟର ପିଏମ୍‍ଜିରୁ ମାଷ୍ଟରକ୍ୟାଣ୍ଟିନ୍‍ ପର୍ଯ୍ୟନ୍ତ ରାସ୍ତାରେ ବି ପୁଲିସ ବ୍ୟାରିକେଡ୍‍ ରହିବ । ବିଭିନ୍ନ ପ୍ରସଂଗରେ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସମ୍ଭାବନା ଥିବା ଦୃଷ୍ଟିରୁ ନିରାପତ୍ତା କାରଣରୁ ସେସବୁ ଅଞ୍ଚଳରେ ବି ଅବସ୍ଥା ଦେଖି ପୁଲିସ ବ୍ୟବସ୍ଥା କରିବ ।

ବିଧାନସଭା ଅଧିବେଶନ ପାଇଁ ୩୩ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ କରାଯିବା ସହିତ କମିଶନରେଟ୍‍ ପୁଲିସ ବ୍ୟତୀତ ଅନ୍ୟ ଅଞ୍ଚଳରୁ ବି ବହୁ ପୋଲିସ ଅଧିକାରୀଙ୍କୁ ଭୁବନେଶ୍ୱର ଆଣି ଅତିରିକ୍ତ ଦାୟିତ୍ୱ ଦିଆଯାଉଛି । ବିଧାନସଭାକୁ ସମ୍ବୋଧିତ କରିବା ପାଇଁ ରାଷ୍ଟ୍ରପତି ଆସୁଥିବାରୁ ବିମାନ ବନ୍ଦରରୁ ରାଜଭବନ ଓ ବିଧାନସଭା ପର୍ଯ୍ୟନ୍ତ ଅଞ୍ଚଳରେ ଅଧିକ ନିରାପତ୍ତା ବ୍ୟବସ୍ଥା ହେଉଛି । ଏଥିଲାଗି ବି ୨୫ ପ୍ଲାଟୁନ୍‍ ପୁଲିସ ନିୟୋଜିତ ହେଉଛନ୍ତି ।

ଇତିମଧ୍ୟରେ ରାସ୍ତାଘାଟରୁ ଭିଡ଼ ଏଡ଼ାଇବା ପାଇଁ କମିଶନରେଟ୍‍ ପୁଲିସ ପକ୍ଷରୁ କେତେକ ରାସ୍ତାକୁ ‘ନୋ ପାର୍କିଂ ଜୋନ୍‍’ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ଗାଡ଼ି ରଖିଲେ ତାହାକୁ ଉଠାଇ ନେଇ ଜରିମାନା କରାଯାଉଛି । ଏମିତିକି ନୋ ପାର୍କିଂ ଜୋନ୍‍ରେ ରହୁଥିବା ଗାଡ଼ିର ଫଟୋ ଉଠାଇ ମଧ୍ୟ ଚାଲାଣ କାଟିବାର ବ୍ୟବସ୍ଥା ଅଛି । ଏସବୁ ସତ୍ତ୍ୱେ ଡାକ୍ତରଖାନା ଛକରୁ ଏଜି ଓ ସେଠାରୁ ରାଜଭବନ ଏବଂ ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଛକ ମଧ୍ୟରେ ରହୁଥିବା ବହୁ ରାଜନେତାଙ୍କ ଘର ସାମ୍ନାରେ ଗାଡ଼ି ପାର୍କିଂ ହେଉଛି । ତେବେ ଦଳମତ ନିର୍ବିଶେଷରେ ଯିଏ ବି ଟ୍ରାଫିକ୍‍ କଟକଣାକୁ ଉଲ୍ଲଂଘନ କରି ନୋ ପାର୍କିଂ ଜୋନ୍‍ରେ ଗାଡ଼ି ରଖୁଥିବା ନଜରକୁ ଆସିବ ସେମାନଙ୍କ ବିରୋଧରେ ପୁଲିସ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅଧିକାରୀମାନେ କହୁଛନ୍ତି ।

ବିଧାନସଭା ପାଇଁ ମୁଖ୍ୟ ରାସ୍ତା ବନ୍ଦ ରହୁଥିବାବେଳେ ପୁରୁଣା ବସ୍‍ଷ୍ଟାଣ୍ଡରୁ ଲୋୟର ପିଏମ୍‍ଜି ଦେଇ କେଶରୀ ଟକିଜ ଛକ ଓ ସେଠାରୁ ପ୍ରଦର୍ଶନୀ ପଡ଼ିଆକୁ ଯାଇଥିବା ରାସ୍ତାକୁ ଲୋକେ ବିକଳ୍ପ ମାର୍ଗ ଭାବେ ଗ୍ରହଣ କରିଥାନ୍ତି । ସେହିଭଳି କଂଗ୍ରେସ ଭବନ ଛକରୁ ୨ନମ୍ବର ଓ ୩ ନମ୍ବର ୟୁନିଟ୍‍କୁ ସଂଯୋଗ କରୁଥିବା ଅଣଚଉଡ଼ା ରାସ୍ତାରେ ବିଧାନସଭା ଅଧିବେଶନ କାଳରେ ବେଶ୍‍ ଭିଡ଼ ହେଉଛି । ତେଣୁ ଏହି ରାସ୍ତାଗୁଡ଼ିକୁ ଚାରି ଥାକିଆ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି । ବିଧାନସଭା କାଳରେ ଯେଭଳି ଲୋକେ ଯାନବାହନ ଚଳାଚଳରେ ହଇରାଣ ନହୁଅନ୍ତି ତାହା ଉପରେ ପୁଲିସ ମଧ୍ୟ ତୀକ୍ଷ୍ଣ ନଜର ରଖିଛି । (ତଥ୍ୟ)