ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି (ଏନ୍ଇପି-୨୦୨୦)ରେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ସାଙ୍ଘାତିକ ତ୍ରୁଟି ରହିଛି । ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରକାଶ କରି ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଛି ବିଜେପି ସରକାର । ଏହାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରାଉ କରାଯାଇଥିଲା ।
ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ଏଥିସହ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଯଥାଶୀଘ୍ର ସଂଶୋଧିତ ଓ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉ । ଆଉ କିଛି ଦିନ ପରେ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପଢ଼ି ଛାତ୍ରଛାତ୍ରୀମାନେ କିପରି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛି ବିଜେଡି । ନୂତନ ପୁସ୍ତକ ପ୍ରକାଶନ କରିବା ଟେଣ୍ଡର ବିଜେପିର ପ୍ରଭାବଶାଳୀ ନେତାଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରକାଶନ ସଂସ୍ଥାକୁ ସହାୟତା କରିବା ପାଇଁ ତ୍ରୁଟି ଗୁଡିକ ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି । ପୁସ୍ତକ ପ୍ରକାଶନରେ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି।
ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଥିଲେ ଯେ, ଭବିଷ୍ୟତ ପିଢ଼ିକୁ ନଷ୍ଟ କରିବାକୁ ବିଜେପି ସରକାର ଚକ୍ରାନ୍ତ କରିଛନ୍ତି । ଡବଲ ଇଞ୍ଜିନ ସରକାରର ଚକ୍ରାନ୍ତ ବିରୋଧରେ ବିଜେଡି ଜୋରଦାର ଲଢେଇ ଜାରି ରଖିଛି । ଶିକ୍ଷା ବଞ୍ଚାଅ ଆନ୍ଦୋଳନ ଜରିଆରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ହେବା ପରେ ବିଧାନସଭା ଘେରାଉ କରି ଯୁବ ଓ ଛାତ୍ର ମାନେ ରଣହୁଙ୍କାର ଦେଇଛନ୍ତି । ବିଜେପି ସରକାର ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ।

