ଭୁବନେଶ୍ୱର : ରାଜ୍ୟ ଜନସଂଖ୍ୟାର ପାଖାପାଖି ଅଧା ମହିଳା ହୋଇଥିବାବେଳେ ପଞ୍ଚାୟତ ଓ ପୌରସଂସ୍ଥାରେ ସେମାନଙ୍କ ଲାଗି ୫୦ ପ୍ରତିଶତ ଆସନ ସଂରକ୍ଷିତ ରହିଛି । ତେବେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପ୍ରତିନିଧିତ୍ୱ ଅପେକ୍ଷାକୃତ ଢେର୍ କମ ରହୁଛି ।
୧୪୭ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଏବେ ମାତ୍ର ୧୮ଜଣ ବିଧାୟିକା ଅଛନ୍ତି । ଏମାନଙ୍କ ଭିତରୁ ବିଜେଡିର ୧୭ଜଣ ସଦସ୍ୟ ଥିବାବେଳେ ବିଜେପିର ଅଛନ୍ତି ଜଣେ । ସେହିଭଳି ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ମାତ୍ର ୪ଜଣ ମହିଳା ସ୍ଥାନ ପାଇଥିବାବେଳେ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବାଚସ୍ପତି ଆସନ କିନ୍ତୁ ଓଡ଼ିଶାରେ ପ୍ରଥମ ଥର ପାଇଁ ମହିଳାଙ୍କ ହାତକୁ ଯାଇଛି । ମହିଳାମାନଙ୍କ ଲାଗି ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଲାଗି ଯେଉଁ ଆଇନ ହୋଇଛି ତାହା କାର୍ଯ୍ୟକାରୀ ହେଲେ ଓଡ଼ିଶାର ବିଧାନସଭାରେ ମହିଳାଙ୍କ ସଂଖ୍ୟା ୪୯କୁ ବୃଦ୍ଧି ପାଇବ ।
ରାଜ୍ୟସଭା ଲାଗି ଓଡ଼ିଶା ପାଇଁ ୧୦ଟି ଆସନ ଥିବାବେଳେ ସେଥିରେ ବିଜେଡିର ମାତ୍ର ୨ଜଣ ମହିଳା ସ୍ଥାନ ପାଇଛନ୍ତି । ତେବେ ଓଡ଼ିଶା ପାଇଁ ଥିବା ଲୋକସଭାର ୨୧ଟି ଆସନ ମଧ୍ୟରୁ ଏବେ ୭ଜଣ ମହିଳା ସଦସ୍ୟା ଥିବାବେଳେ ସେମାନଙ୍କ ଭିତରୁ ବିଜେଡିର ୫ ଓ ବିଜେପିର ୨ଜଣ ସଦସ୍ୟା ରହିଛନ୍ତି ।
ରାଜ୍ୟର ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନ୍ୟୁନ ୧୦ଟିରେ ଥିବା ୭୦ଟି ବିଧାନସଭା ଆସନ ଭିତରୁ ଗୋଟିକରେ ହେଲେ ବି କେହି ମହିଳା ବିଧାୟିକା ନାହାନ୍ତି । ବରଗଡ଼ ଲୋକସଭା କ୍ଷେତ୍ର ପରିସରରେ ଆସୁଥିବା ୭ଟି ବିଧାନସଭା ଆସନରୁ ସର୍ବାଧିକ ୫ଜଣ ମହିଳା ବିଧାୟିକା ଥିବାବେଳେ ଆସିକା ଲୋକସଭା କ୍ଷେତ୍ର ମଧ୍ୟରେ ରହିଛନ୍ତି ୩ଜଣ ଓ ଯାଜପୁର ଲୋକସଭା କ୍ଷେତ୍ର ମଧ୍ୟରେ ୨ଜଣ କରି ବିଧାୟିକା ଅଛନ୍ତି । କୋରାପୁଟ, ବ୍ରହ୍ମପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବଲାଙ୍ଗୀର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ପରିସର ମଧ୍ୟରେ ରହିଥିବା ବିଧାନସଭା ଆସନ ଗୁଡିକରୁ ଜଣେ ଲେଖାଏଁ ମହିଳା ପ୍ରତିନିଧି ଏବେ ଅଛନ୍ତି ।
ରାଜ୍ୟ ସଭାରେ ଏବେ ଓଡ଼ିଶାର ଯେଉଁ ୨ଜଣ ମହିଳା ପ୍ରତିନିଧିତ୍ୱ କରୁଛନ୍ତି ସେମାନେ ହେଲେ ବିଜେଡିର ଶ୍ରୀମତି ମମତା ମହନ୍ତ ଓ ଶ୍ରୀମତି ସୁଲତା ଦେଓ । ସେହିପରି ଲୋକସଭାରେ ଆସିକାରୁ ଶ୍ରୀମତି ପ୍ରମିଳା ବିଶୋୟୀ, ଭଦ୍ରକରୁ ଶ୍ରୀମତି ମଞ୍ଜୁଲତା ମଣ୍ଡଳ, ଜଗତସିଂହପୁରରୁ ଡାକ୍ତର ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶ୍ରୀମତି ଶର୍ମିଷ୍ଠା ସେଠି ଓ କେନ୍ଦୁଝରରୁ ଶ୍ରୀମତି ଚନ୍ଦ୍ରାଣୀ ମୁର୍ମୁ ବିଜେଡି ଟିକେଟରେ ଲୋକସଭାକୁ ଯାଇଥିବାବେଳେ ବିଜେପି ପ୍ରାର୍ଥୀଭାବେ ଲୋକସଭା ସାଂସଦ ହୋଇଛନ୍ତି ଭୁବନେଶ୍ୱରରୁ ଶ୍ରୀମତି ଅପରାଜିତା ଷଡଙ୍ଗୀ ଓ ବଲାଙ୍ଗୀରରୁ ସଂଗୀତା କୁମାରୀ ସିଂଦେଓ ।
ଶ୍ରୀମତି ପ୍ରମିଳା ମଲ୍ଲିକ ବିଧାନସଭାର ବାଚସ୍ପତି ଥିବାବେଳେ ଉଷାଦେବୀ, ଟୁକୁନି ସାହୁ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟା ରହିଛନ୍ତି । ଏମାନଙ୍କ ଛଡା ଓଡ଼ିଶା ବିଧାନସଭାରେ ବିଜେପିର ଏକମାତ୍ର ବିଧାୟିକା ଶ୍ରୀମତି କୁସୁମ ଟେଟେ ଥିବାବେଳେ ବିଜେଡିର ବର୍ଷାସିଂ ବରିହା, ସ୍ନେହାଙ୍ଗିନୀ ଛୁରିଆ, ଅଳକା ମାହାନ୍ତି, ଦୀପାଳି ଦାସ, ମିନାକ୍ଷୀ ମହାନ୍ତ, ସୁନନ୍ଦା ଦାସ, ସୀମାରାଣୀ ନାୟକ, ସାବିତ୍ରୀ ଅଗ୍ରୱାଲ, ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ, ମଞ୍ଜୁଳା ସ୍ୱାଇଁ ଓ ପଦ୍ମିନୀ ଦିଆନ ପ୍ରମୁଖ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି । କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳର କେହି ବିଧାୟିକା ନାହାନ୍ତି ।
ସବୁ ରାଜନୈତିକ ଦଳ ମହିଳା କାର୍ଡ ଖେଳୁଥିବାରୁ ଆଗାମୀ ନିର୍ବାଚନରେ ଲୋକସଭା ଓ ବିଧାନସଭା ପାଇଁ ବିଭିନ୍ନ ଦଳ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିପାରନ୍ତି । ଏହାଛଡା କେତେକ ଲୋକସଭା ସଦସ୍ୟାଙ୍କୁ ବିଧାନସଭା ଓ ଆଉ କେତେକ ବିଧାୟିକାଙ୍କୁ ମଧ୍ୟ ଲୋକସଭା ପାଇଁ ପ୍ରାର୍ଥୀ କରାଯାଇପାରେ । ଏ ପରିପ୍ରେକ୍ଷୀରେ ମହିଳା ସଂରକ୍ଷଣ ୨୦୨୯ରେ ଲାଗୁହେବା ପୂର୍ବରୁ ଏଥର ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳ ଅଧିକ ସଂଖ୍ୟକ ମହିଳାଙ୍କୁ ଦଳୀୟ ଟିକେଟ ଦେବାର ସମ୍ଭାବନା ଥିବା ପରିପ୍ରେକ୍ଷୀରେ ପ୍ରାର୍ଥୀ ହେବାକୁ ମହିଳା ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏମାନଙ୍କ ଭିତରୁ କିଏ ପାଇବେ ଓ କିଏ ନିରାଶ ହେବେ ତାହା ଖୁବ୍ ଅଳ୍ପଦିନ ଭିତରେ ସ୍ପଷ୍ଟ ହୋଇଯିବ । (ତଥ୍ୟ)