ଭୁବନେଶ୍ୱର: ଚଳିତ ବଜେଟ ଅଧିବେଶନରେ ପ୍ରଶ୍ନକାଳ ରହିବ ବୋଲି ସ୍ଥିର ହୋଇଥିବା ବେଳେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ଏହା ହୋଇପାରିନାହିଁ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଦେଖାଇ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ମାତ୍ର ଏକମିନିଟ୍ ପାଇଁ ଚାଲିପାରିଥିଲା ।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଚାଷୀ ପ୍ରସଙ୍ଗ ଓ ଧାନର ଅଭାବୀ ବିକ୍ରି ସଂକ୍ରାନ୍ତରେ ସ୍ୱତନ୍ତ୍ର ଆଲୋଚନା ଲାଗି ଦାବି କରିଥିଲେ । ଏ ସଂକ୍ରାନ୍ତରେ ସେମାନେ ଦେଇଥିବା ପ୍ରସ୍ତାବ ଅଗ୍ରାହ୍ୟ ହୋଇଯାଇଥିବାରୁ ଆଲୋଚନା ଦାବିରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ବିଧାନସଭା ସଚିବଙ୍କ ଚୌକି ଉପରେ ଛିଡ଼ାହୋଇ ଧ୍ୱନିମାନ ଦେଉଥିବା ଦେଖିବାକୁ ମିଳିଥିଲା । ସେହିଭଳି ବିଜେପି ସଦସ୍ୟମାନେ ମଧ୍ୟ ଧାନର ଅଭାବୀ ବିକ୍ରି ଓ ଚାଷୀ ପ୍ରସଙ୍ଗ ଆଲୋଚନା ଦାବିରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଏଥିଯୋଗୁ ପ୍ରଶ୍ନକାଳ ହୋଇପାରିନଥିଲା ଏବଂ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ସମୟରେ ବିରୋଧୀ ସଦସ୍ୟମାନେ ପୂର୍ବ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ଚଳାଇଥିଲେ । ଏହି ସମୟରେ ବାଚସ୍ପତି ଘୋଷଣା କରି କହିଥିଲେ ଯେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗୃହକାର୍ଯ୍ୟ ସମ୍ପାଦନ ଲାଗି ସମୟ ନିର୍ଘଣ୍ଟ ହୋଇଛି । ତଦନୁଯାୟୀ ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରୁ ଦିନ ୧ଟା ୩୦ ଏବଂ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ବଜେଟ୍ ଉପସ୍ଥାପନ, ସ୍ୱରାଷ୍ଟ୍ର, ରାଜସ୍ୱ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ଆଲୋଚନା ଦିନ ଗୃହ କାର୍ଯ୍ୟର ଅବଧି ଅପରାହ୍ଣ ୬ଟା ବଦଳରେ ୭ଟା ପର୍ଯ୍ୟନ୍ତ ଚାଲିବ । ସେହିଭଳି ମଙ୍ଗଳ ଓ ଶନିବାର ଦିନ କଂଗ୍ରେସ ସଦସ୍ୟମାନେ ଦେଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ସ୍ଥିର ହୋଇଥିବା ବେଳେ ଅନ୍ୟ ୪ ଦିନରେ ବିଜେପି ସଦସ୍ୟମାନେ ସେମାନଙ୍କର ମୁଲତବୀ ପ୍ରସ୍ତାବ ଦେଇପାରିବେ ।
ବାଚସ୍ପତିଙ୍କ ଘୋଷଣା ପରେ ବିରୋଧୀ ସଦସ୍ୟମାନେ ଆଲୋଚନା ଦାବିରେ ହଟ୍ଟଗୋଳ ଜାରି ରଖିଥିଲେ । ବାଚସ୍ପତିଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ସଦସ୍ୟମାନେ ନିଜ ନିଜ ଆସନକୁ ନ ଫେରିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।