ଭୁବନେଶ୍ୱର : ଚଳିତ ବର୍ଷ ଏପ୍ରିଲ ମାସରେ ଅପେକ୍ଷାକୃତ ଅଧିକ ଓ ଗ୍ରୀଷ୍ମ ପ୍ରବାହ ଏବଂ ଆଗାମୀ ବୋର୍ଡ ଓ +୨ ପରୀକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ଥିତିର ସମୀକ୍ଷା କରିଥିଲେ ।
ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ଓ ବଣ୍ଟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଗ୍ରୀଡ୍କୋ, ଓ.ପି.ଟି.ସି.ଏଲ୍., ଓଡ଼ିଶା ଜଳ ବିଦ୍ୟୁତ ନିଗମ, ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମଙ୍କ ସମେତ ବିଭିନ୍ନ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଓ କଂପାନୀମାନେ ବିଦ୍ୟୁତ ବଣ୍ଟନ ବିଷୟରେ ସଦ୍ୟତନ ତଥ୍ୟ ଜଣାଇଥିଲେ ।
ସ୍ଥିତିର ସମୀକ୍ଷା କରି ଗ୍ରୀଷ୍ମ ପ୍ରବାହ ଏବଂ ପିଲାମାନଙ୍କର ପରୀକ୍ଷା ଦୃଷ୍ଟିରୁ ଘରୋଇ ଉପଭୋକ୍ତା, ଶିକ୍ଷାନୁଷ୍ଠାନ, ପରୀକ୍ଷା କେନ୍ଦ୍ର ଆଦିକୁ ବିଦ୍ୟୁତ ଯୋଗାଣ କାଟ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଦ୍ୟୁତ ବିତରକ କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟବସାୟିକ ପ୍ରତିଷ୍ଠାମାନଙ୍କୁ ମଧ୍ୟ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବିଦ୍ୟୁତ ଦେୟ ପୈଠ ହୋଇନଥିବା କାରଣରୁ କୌଣସି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ନକାଟିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଜଳଜାତ ବିଦ୍ୟୁତର ସଠିକ ପରିଚାଳନା ଓ ଉପଯୋଗ କରି ଏହି ସବୁ ଉପଭୋକ୍ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ଏହାଛଡା ରାଜ୍ୟରେ ବିଦ୍ୟୁତ ଉତ୍ପାଦନକାରୀ କଂପାନୀମାନଙ୍କୁ ଉନ୍ନତ୍ତମାନର କୋଇଲା ଯୋଗାଣ ଅବ୍ୟାବହତ ରଖିବାକୁ ଏମ୍.ସି.ଏଲ୍. ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଅଧିକ କୋଇଲା ପରିବହନ ନିମନ୍ତେ ଅଧିକ ରେକ୍ ଯୋଗାଇବା ପାଇଁ ମଧ୍ୟ ରେଳବାଇ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ରାଜ୍ୟକୁ ବିଦ୍ୟୁତ ଯୋଗାଣ ଅଙ୍ଗିକାରବଦ୍ଧତା ପୂରଣ କରିବାକୁ ବିଦ୍ୟୁତ କଂପାନୀମାନଙ୍କୁ କୁହାଯାଇଥିଲା ।
ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ଚଳିତ ଏପ୍ରିଲ୍ ମାସରେ ଅସ୍ୱାଭିକଭାବେ ଗରମ ଓ ଗ୍ରୀଷ୍ମ ପ୍ରବାହ ହଠାତ୍ ବଢ଼ିଯାଇଛି । ସାଧାରଣତଃ ମେ ମାସରେ ରୌଦ୍ରତାପ ଅଧିକ ହୋଇଥାଏ । ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ ବ୍ୟବହାର ଓ ଚାହିଦା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଏହି ମାସର ସର୍ବୋଚ୍ଚ ଚାହିଦା ସମୟରେ ପ୍ରାୟ ୪୦୦୦ ମେଗାଓ୍ୱାଟ୍ ବିଜୁଳି ଦରକାର ହେଉଥିବାବେଳେ ବର୍ତ୍ତମାନ ଏହା ୪୪୦୦ ମେଗାଓ୍ୱାଟ୍କୁ ବୃଦ୍ଧି ପାଇଛି ତେବେ ଏହି ସ୍ଥିତି ସାମୟିକ । ଓ.ପି.ଜି.ସି.ର ୟୁନିଟ୍-୪ ଜଳ ବିଦ୍ୟୁତ ପ୍ରକଳ୍ପରୁ ମେ ମାସ ପ୍ରଥମ ସପ୍ତାହରେ ଉତ୍ପାଦନ ଆରମ୍ଭ ହେବ । ଯାହାକି ବର୍ଦ୍ଧିତ ଚାହିଦା ମେଣ୍ଟାଇ ପାରିବ ।
ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଗ୍ରୀଡ୍କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପଣ୍ଡାଙ୍କ ସମେତ ସମସ୍ତ ବିଦ୍ୟୁତ ଉତ୍ପାଦନ, ବିପଣୀ ଏବଂ ବଣ୍ଟନକାରୀ ନିଗମ ଓ କଂପାନୀର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।