ଭୁବନେଶ୍ୱର : ବିଦ୍ୟୁତ୍ ସରବରାହ ଜନିତ କ୍ଷତି ହ୍ରାସ ପାଇଁ ଗତ ୧୩ବର୍ଷ ମଧ୍ୟରେ ସାଢେ ୬ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜିବ୍ୟୟ ହୋଇସାରିଥିବାବେଳେ କ୍ଷତି ହ୍ରାସ ପରିମାଣ କିନ୍ତୁ ନଗଣ୍ୟ ରହିଛି । ୨୦୦୯-୧୦ ବର୍ଷରେ ବିଦ୍ୟୁତ୍ ସରବରାହ ଜନିତ କ୍ଷତି ୪.୧୧ ପ୍ରତିଶତ ଥିବାବେଳେ ୨୦୨୧-୨୨ରେ ତାହା ୩.୧୫ ପ୍ରତିଶତ ରହିଛି ।
ବିଦ୍ୟୁତ୍ ସରବରାହ ଜନିତ କ୍ଷତି ହ୍ରାସ ପାଇଁ ଭିତ୍ତିଭୂମିର ସୁଦୃଢୀକରଣ ସକାଶେ ଓପିଟଇସିଏଲ୍ ୧୭୮ଟି ଗ୍ରିଡ୍ ପ୍ରତିଷ୍ଠା କରିବା ସହିତ ପାଖାପାଖି ୧୬ହଜାର କିଲୋମିଟର ଲମ୍ବର ଲାଇନ୍ ନିର୍ମାଣ ହୋଇଛି । ତେବେ ସରବରାହ ଜନିତ କ୍ଷତି ରୋକିବାପାଇଁ ୨୦୦୯-୧୦ ବର୍ଷରେ ପ୍ରାୟ ୭୪ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୧୮-୧୯ ବର୍ଷରେ ଏହି ପରିମାଣ ୯୦୮ କୋଟି ଟଙ୍କାରୁ ଅଧିକ ରହିଥିଲା ।
୨୦୧୮-୧୯ ପରଠାରୁ ଏହି କ୍ଷତି ରୋକିବାପାଇଁ ହେଉଥିବା ବ୍ୟୟ ପରିମାଣ ହ୍ରାସ ପାଇଛି । ୨୦୧୯-୨୦ ବର୍ଷରେ ୭୬୧.୩୫ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୮୨୩.୮୪ କୋଟି ଟଙ୍କା ଥିଲା । ୨୦୨୧-୨୨ ବର୍ଷରେ ଏହା ପାଖାପାଖି ୫୫୦ କୋଟି ଟଙ୍କା ଥିଲା । ସରବରାହ ଜନିତ କ୍ଷତି ୨୦୦୯-୧୦ ବର୍ଷରେ ୪.୧୧ ପ୍ରତିଶତ ଥିବାବେଳେ ଏହା ନିୟମିତ ଭାବେ ହ୍ରାସ ପାଇ ୨୦୨୦-୨୧ବର୍ଷରେ ୩.୧୫ ପ୍ରତିଶତରେ ପହଞ୍ଚିଛି ।
ତେବେ ରାଜ୍ୟରେ ସରବରାହ ଓ ବଣ୍ଟନ ଜନିତ କ୍ଷତି କିନ୍ତୁ ୨୦ ପ୍ରତିଶତ ତଳକୁ ଆସିପାରୁ ନାହିଁ । ବିଶ୍ୱବ୍ୟାଙ୍କ୍ ଋଣ ଠାରୁ ଆରମ୍ଭ କାପେକ୍ସ ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ଲକ୍ଷ୍ୟ ଅନୁଯାୟୀ ଏହା ହ୍ରାସ ପାଇବା ବଦଳରେ ବଢୁଥିବା ଜଣାଯାଇଛି । ୨୦୧୯-୨୦ ବର୍ଷରେ ଏହି କ୍ଷତିର ପରିମାଣ ୨୦.୬୫ ପ୍ରତିଶତ ଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୨୧.୭୫ ପ୍ରତିଶତ ରହିଛି । କ୍ଷତି ହ୍ରାସର କାରଣ ଦୁର୍ବଳ ଭିତ୍ତିଭୂମି ହୋଇଥିବାବେଳେ ଗାଁ ଗହଳରେ ଏଥିରେ ବିଶେଷ ସୁଧାର ଅଣାଯାଇ ପାରୁନାହିଁ । ବିଶେଷକରି ଗାଁ ଗହଳରେ ଥିବା ପୁରୁଣା ଟ୍ରାନ୍ସଫର୍ମର ଓ ତାରଗୁଡିକୁ ବଦଳାଯାଉ ନାହିଁ ।
ବିଦ୍ୟୁତ୍ ସରବରାହ ଓ ବଣ୍ଟନ ଜନିତ କ୍ଷତିର ଅନ୍ୟତମ କାରଣ ବିଦ୍ୟୁତ୍ ଚୋରି ହୋଇଥିବାବେଳେ ଯେଉଁ ହାରରେ ଚୋରିକୁ ରୋକାଯିବା କଥା ତାହା ହେଉନାହିଁ । ଖୋଦ ରାଜଧାନୀରେ ବିଦ୍ୟୁତ୍ ଚୋରି ବଢି ଚାଲିଛି । ଗାଁ ଗହଳରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଚୋରି ଧରିବା ତ ଦୂରର କଥା ସାଧାରଣ ରକ୍ଷଣାବେକ୍ଷଣରେ ବି ବିଭ୍ରାଟ ଉପୁଜୁଛି । ତେଣୁ ଆଗାମୀ ଦିନରେ ବିଦ୍ୟୁତ୍ ବିତରଣ କମ୍ପାନୀ କାପେକ୍ସ ଯୋଜନାରେ ୫୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟକରି କିଭଳି ସରବରାହ ଓ ବଣ୍ଟନ ଜନିତ କ୍ଷତି ହ୍ରାସ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)