Home Energy ବିଦ୍ୟୁତ୍‍ ମିଟର ପାଇଁ ୮ବର୍ଷ ଅର୍ଥ ଆଦାୟ

ବିଦ୍ୟୁତ୍‍ ମିଟର ପାଇଁ ୮ବର୍ଷ ଅର୍ଥ ଆଦାୟ

ଭୁବନେଶ୍ୱର : ବିଦ୍ୟୁତ୍‍ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଇବାପାଇଁ ବାଧ୍ୟ କରୁଥିବା ବିଦ୍ୟୁତ୍‍ ବିତରଣ କମ୍ପାନୀ ହିତାଧିକାରୀଙ୍କୁ ଏକକାଳୀନ ମିଟର କିଣିବାର ସୁଯୋଗ ଦେଉନାହିଁ । କମ୍ପାନୀ କର୍ତ୍ତୃପକ୍ଷ ନିଜ ପସନ୍ଦର ମିଟର ଲଗାଇ ୮ବର୍ଷ ପାଇଁ ଅର୍ଥ ଆଦାୟ କରୁଛନ୍ତି । ଏହା ଉପରେ ଏବେ ପ୍ରଶ୍ନବାଚୀ ଉଠିଲାଣି ।

ଓଡିଶାରେ ବିଦ୍ୟୁତ୍‍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ଏବେ ବିଦ୍ୟୁତ୍‍ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଉଛି । କେତେକ ସ୍ଥାନରେ ଏହାକୁ ବିରୋଧ ହେଉଥିବାବେଳେ ଆଇନ୍‍ କାନୁନ୍‍ର ଆଳ ଦେଖାଇ କିନ୍ତୁ ଏହାକୁ ଲଗାଯାଉଛି । ତେବେ ମିଟର ଲଗାଇବା ସମୟରେ କିନ୍ତୁ ପୂର୍ବଭଳି ଗ୍ରାହକମାନେ ଆଉ ନିଜ ବଜେଟ୍‍କୁ ଦେଖି ଖୋଲାବଜାରରୁ ମିଟର କିଣିବାର ସୁଯୋଗ ପାଉନାହାନ୍ତି । ବଣ୍ଟନକାରୀ କମ୍ପାନୀ ନିଜ ପସନ୍ଦର ମିଟର ଲଗାଇବା ସହିତ ନିଜେ ଧାର୍ଯ୍ୟ କରୁଥିବା ଅର୍ଥ ଆଦାୟ କରୁଛି ।

ପୂର୍ବରୁ ଉପଭୋକ୍ତାମାନେ ନିଜେ ବିଦ୍ୟୁତ୍‍ ମିଟର ଖରିଦ କରୁଥିଲେ ଓ ତାହାକୁ ବିଦ୍ୟୁତ୍‍ ବିଭାଗର ପରୀକ୍ଷାଗାରରେ ପରୀକ୍ଷାକରି ସାର୍ଟିଫିକେଟ ହାସଲ କରୁଥିଲେ । ପରୀକ୍ଷା ପାଇଁ ଦେୟ ଦେବାକୁ ପଡୁଥିଲା । ସାର୍ଟିଫିକେଟ ମିଳିବାପରେ ବିଦ୍ୟୁତ୍‍ ବିଭାଗ ତାହାକୁ ଲଗାଉଥିଲା । ଯେହେତୁ ଗ୍ରାହକମାନେ ଏହି ମିଟର କିଣୁଥିଲେ ତେଣୁ ସେମାନଙ୍କୁ ଆଉ ମାସକୁ ମାସ ଅର୍ଥ ଗଣିବାକୁ ପଡୁନଥିଲା । ଯେଉଁମାନଙ୍କ ଘରେ ବିଦ୍ୟୁତ୍‍ ବିଭାଗ ମିଟର ଲଗାଉଥିଲା ସେମାନେ ୫ବର୍ଷ ପାଇଁ ମାସକୁ ମାସ ମିଟର ଦେୟ ଦେଉଥିଲେ । ମିଟର ବାବଦୀୟ ଅର୍ଥ ସୁଝିଯିବାପରେ ଆଉ ଅର୍ଥ ଦେବାକୁ ପଡୁନଥିଲା ।

ତେବେ ଟାଟାପାୱାର କର୍ତ୍ତୃପକ୍ଷ ସାଧାରଣ ମିଟର ସ୍ଥାନରେ ସ୍ମାର୍ଟ ମିଟର ବସାଉଛନ୍ତି । ହେଲେ ଉପଭୋକ୍ତାଙ୍କୁ ମିଟର ବାବଦରେ ଏକକାଳୀନ ଅର୍ଥ ପ୍ରଦାନ କିମ୍ବା ଖୋଲା ବଜାରରୁ ମିଟର କିଣିବାକୁ ସୁଯୋଗ ଦେଉନାହାନ୍ତି । ସେମାନେ ନିଜେ ଆଣିଥିବା ମିଟର ଲଗାଇବା ସହିତ ୮ବର୍ଷ ପାଇଁ ମାସକୁ ୬୦ଟଙ୍କା କରି ଆଦାୟ କରୁଛନ୍ତି । ଫଳରେ ଏହି ମିଟର ବାବଦରେ ଉପଭୋକ୍ତାଙ୍କୁ ୫୭୬୦ ଟଙ୍କା ଦେବାକୁ ପଡିବ ।

ବିଦ୍ୟୁତ୍‍ ବିତରଣ କମ୍ପାନୀର ଏଭଳି ଏକଚାଟିଆ ବିଦ୍ୟୁତ୍‍ ମିଟର କାରବାର ଯୋଗୁଁ ଉପଭୋକ୍ତା ଜଣଙ୍କ କେତେ ଅଧିକ କିମ୍ବା କମ୍‍ ଦରରେ ମିଟର ପାଉଛନ୍ତି ତାହା ଜାଣିପାରୁ ନାହାନ୍ତି । ଶକ୍ତି ସମୀକ୍ଷକମାନଙ୍କ ମତରେ ବିତରଣ କମ୍ପାନୀ ଯୋଗାଉଥିବା ମିଟରର ଦାମ ୪ହଜାର ଟଙ୍କାରୁ ଅଧିକ ହେବନାହିଁ । ସେହିଭଳି ବିଦ୍ୟୁତ୍‍ ନିୟାମକ ଆୟୋଗଙ୍କ ବ୍ୟବସ୍ଥା ଅନୁଯାୟୀ ଯେଉଁ ହିତାଧିକାରୀ ଚାହିଁବେ ସେମାନେ ନିଜେ ମିଟର ଖରିଦ କରିପାରିବେ । ହେଲେ ବିତରଣ କମ୍ପାନୀ କୌଣସି କାରଣରୁ ହିତାଧିକାରୀଙ୍କୁ ଏଭଳି ସୁଯୋଗ ଦେଉନାହିଁ ।

କିଛି ବିଦ୍ୟୁତ୍‍ ଉପଭୋକ୍ତା କହିଛନ୍ତି ଯେ ସ୍ମାର୍ଟ ମିଟର ସ୍ଥାପନ ସମୟରେ ସେମାନଙ୍କୁ ୫ବର୍ଷ ପାଇଁ ମିଟର ବାବଦରେ ଅର୍ଥ ଆଦାୟ ହେବ ବୋଲି କୁହାଯାଇଥିଲା । ଏବେ ୮ବର୍ଷ ପାଇଁ ଅର୍ଥ ଆଦାୟ କରାଯାଉଛି । ପୂର୍ବରୁ ବିଦ୍ୟୁତ୍‍ ବିଭାଗ ଯୋଗାଇଥିବା ମିଟର ବାବଦରେ ଟଙ୍କା ଗଣିଥିବା ଉପଭୋକ୍ତା ଏବେ ପୁଣିଥରେ ମିଟର ଦେୟ ଗଣୁଛନ୍ତି । ନିଜ ସୁବିଧା ପାଇଁ ସେମାନଙ୍କ ଭଲ ମିଟରକୁ ବଦଳାଇଥିବା ବିତରଣ କମ୍ପାନୀ ଏବେ ମାସକୁ ମାସ ଅର୍ଥ ଆଦାୟ କରିବାରେ ଲାଗିଛି । ଏପରିକି ବିତରଣ କମ୍ପାନୀ ହିତାଧିକାରୀଙ୍କ ଘରେ ଲଗାଉଥିବା ସ୍ମାର୍ଟ ମିଟର କେଉଁ ସଂସ୍ଥାରୁ ଆଣିଛି ଓ ଏହାର ପ୍ରକୃତ ଦର କେତେ ତାହା ସାଧାରଣ ଉପଭୋକ୍ତାଟିର ଜାଣିବାର ସାମାନ୍ୟତମ ଅବକାଶ ରହୁନାହିଁ । ତେଣୁ ବିଦ୍ୟୁତ୍‍ ନିୟାମକ ଆୟୋଗ ଏଥିରେ ହସ୍ତକ୍ଷେପ କରିବା ସହିତ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)